ଭୁବନେଶ୍ୱର ୧୪/୧ : ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଭଳି ଅଭାବନୀୟ ଘଟଣା ଘଟିବା ପରେ ସରକାରଙ୍କ ଚେତା ପଶିଛି । ଛାତ୍ର/ଛାତ୍ରୀଙ୍କ ସୁରକ୍ଷା ପାଇଁ ଏଣିକି ସ୍କୁଲରେ ସିସିଟିଭି କ୍ୟାମେରା ଲଗାଇବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ସ୍କୁଲରେ ସିସିଟିଭି ଲଗାଯିବ । ତେବେ ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ବାଳିକା ବିଦ୍ୟାଳୟଗୁଡ଼ିକରେ ଏହା ଲଗାଯିବ ବୋଲି ସୂଚନା ମିଳିଛି । ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ସରକାର ନିଲମ୍ବନ କରିଛନ୍ତି ।
ତେଣେ ଏ ପ୍ରକାର ଘଟଣା ନେଇ ଜାତୀୟ ମାନବଅଧିକାର କମିଶନ ଉଦବେଗ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହାର ତଦନ୍ତ ଲାଗି କମିଶନ ନିଷ୍ପତ୍ତି ନେଇଛନ୍ତି । ଏହି ଅନୁଯାୟୀ ଘଟଣା ସମ୍ପର୍କରେ ବିଶଦ ରିପୋର୍ଟ ପ୍ରଦାନ ଲାଗି କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କମିଶନ ଏଥିପାଇଁ ୪ ସପ୍ତାହ ସମୟ ଦେଇଛନ୍ତି ।