ଭୁବନେଶ୍ୱର ୧୪/୩ : ଆସନ୍ତା ୨୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଧାର୍ୟ୍ୟ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ନଥିବା ଓ ପରୀକ୍ଷକ ଚୟନ ହୋଇନଥିବାରୁ ମୂଲ୍ୟାୟନ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଗଲା ୭ ତାରିଖରେ ଶେଷ ହୋଇଥିବା ବେଳେ ଆସନ୍ତା ୨୫ରୁ ମୂଲ୍ୟାୟନ ପାଇଁ କାର୍ୟ୍ୟସୂଚୀ ପ୍ରସ୍ତୁତି ହୋଇଛି। ମୂଲ୍ୟାୟନ ପାଇଁ ୬୦ଟି କେନ୍ଦ୍ର ସ୍ଥିର କରାଯାଇଛି । କିନ୍ତୁ ଆଜି ଯାଏ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ପହଞ୍ଚି ନଥିବା ଅଭିଯୋଗ ହୋଇଛି । ମାଟ୍ରିକ୍ ପରୀକ୍ଷାରେ ଯେପରି ବିଭ୍ରାଟ ହେଲା ମୂଲ୍ୟାୟନରେ ସେପରି ନକରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଏବେଠୁ ସତର୍କତା ସହ ଖାତା ପଠାଇବା ଓ ମୂଲ୍ୟାୟନକୁ ସ୍ବଚ୍ଛ, ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି ।
କଟକ ସହରର ଏକ ନୋଡାଲ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁସାରେ ପ୍ରଥମ ଦଫାରେ ପ୍ରଥମ ଭାଷା ଓଡ଼ିଆ, ଦ୍ବିତୀୟ ଭାଷା ଇଂରାଜୀ, ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ଖାତା ସବୁକୁ ବୋର୍ଡ ପକ୍ଷରୁ ନିଆଯାଇଥିବା ବେଳେ ଅବଶିଷ୍ଟ ଖାତା କେନ୍ଦ୍ରରେ ରହିଛି। କିନ୍ତୁ ସହର ନେଡାଲ ସେଣ୍ଟରରୁ ଆଦୌ ଖାତା ନିଆଯାଇ ନାହିଁ । ବୋର୍ଡ ସଂପାଦକ ରାମାଶିଷ ହାଜିରା କହିଛନ୍ତି, ପ୍ରଥମ ଫେଜର ପ୍ରଥମ ଭାଷା ଓଡ଼ିଆ, ଦ୍ବିତୀୟ ଭାଷା ଇଂରାଜୀ ଓ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଯାଇଛି । ଚଳିତ ବର୍ଷ ରାଜ୍ୟରେ ୩୦୪ଟି ନୋଡାଲ ସେଣ୍ଟର ରହିଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ପାଇଁ ୫୦ଟି ଓ ମଧ୍ୟମା ଏବଂ ଓପନ ସ୍କୁଲ ପାଇଁ ୧୦ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଛି ।