ନୂଆଦିଲ୍ଲୀ ୨୨/୧୨ : କେନ୍ଦ୍ର ସରକାର ୩୩ଟି ଦ୍ରବ୍ୟ ଉପରୁ ଜିଏସ୍ଟି ହ୍ରାସ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୧ତମ ଜିଏସ୍ଟି ବୈଠକରେ ଏହି ନିସ୍ପତ୍ତି ନିଆଯାଇଛି । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେଟ୍ଲି କହିଛନ୍ତି ଯେ, ପୂର୍ବରୁ ୩୪ଟି ଦ୍ରବ୍ୟ ଉପରେ ୨୮ ପ୍ରତିଶତ ଜିଏସ୍ଟି ନିଆଯାଉଥିଲା । ଏବେ ସେଥିମଧ୍ୟରୁ ୬ଟି ଦ୍ରବ୍ୟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସେଗୁଡ଼ିକ ମଧ୍ୟରେ ମନିଟର, ଟିଭିସ୍କ୍ରିନ୍, ପାୱାରବ୍ୟାଙ୍କ ଭଳି ସାମଗ୍ରୀ ରହିଛି । ଏବେ ୨୮ ପ୍ରତିଶତ ସ୍ଲାବ ମଧ୍ୟରେ ୨୮ଟି ଦ୍ରବ୍ୟ ରହିଛି । ସଂଶୋଧିତ ଜିଏସଟି ହାର ଆସନ୍ତା ମାସ ପହିଲାରୁ ଲାଗୁ କରାଯିବ ।
ଆଉ କେତେକ ଦ୍ରବ୍ୟ ଉପରୁ ଜିଏସଟି ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦିଆଯାଇଥିବାବେଳେ ଅନ୍ୟକେତେକ ଦ୍ରବ୍ୟ ଉପରେ ୨୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ନିଆଯିବ । ଜିଏସଟି ହ୍ରାସ ଫଳରେ ଭିଡ଼ିଓଗେମ୍, କ୍ରୀଡା ସାମଗ୍ରୀ, ୱାସିଂ ମେସିନ, ମନିଟର, ୩୨ଇଂଚ ଏଲ୍ଇଡି ଟିଭି, ୧୦୦ ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକେଟ, ପାୱାର ବ୍ୟାଙ୍କ, ୱାଟର ହିଟର, ଟାୟାର ଓ ଡିଜିଟାଲ କ୍ୟାମେରା ପ୍ରଭୃତି ସାମଗ୍ରୀ ଶସ୍ତା ହେବ ।