ରାଜ୍ୟ

୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତିସଂଘର ପ୍ରଶଂସା

Published

on

ଭୁବନେଶ୍ୱର ୨୫/୨ : ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଂସ୍ଥା ପ୍ରଂଶସା କରିଛି । ଏ ନେଇ ଭାରତରେ ଅବସ୍ଥାପିତ ଜାତିସଂଘ ଉପମୁଖ୍ୟ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା ପତ୍ର ଲେଖି ଖୁସି ବ୍ୟକ୍ତ କରିବା ସହ ଏଭଳି ଉଦ୍ୟମ ଜାତୀୟ ସ୍ତରରେ ପୁଣି ଥରେ ମହିଳା ସଂରକ୍ଷଣ ଦାବିକୁ ପୁନଃଜୀବିତ କରିବ ବୋଲି ଜଣାଇଛନ୍ତି ।
ପତ୍ରରେ ଲେଖାଯାଇଛି, ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ଓଡିଶା ସରକାରଙ୍କ ପ୍ରତିଶ୍ରୃତି ବଦ୍ଧତା ପ୍ରଥମ ଥର ପାଇଁ ଏକ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛି । ଏଭଳି ଉଦ୍ୟମ ମହିଳା ସଂରକ୍ଷଣ ପ୍ରସଙ୍ଗରେ ବେଶ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ଜାତିସଂଘ ସମର୍ଥନ କରୁଛି । ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ନିରନ୍ତର ବିକାଶ ସେତିକିବେଳେ ସମ୍ଭବ ହୋଇପାରିବ ଯଦି ଦେଶର ସମୁଦାୟ ଜନସଂଖ୍ୟାର ଅର୍ଧାଧିକ ଲୋକଙ୍କୁ ପ୍ରତିନିଧିତ୍ୱ କରୁଥିବା ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ସଦସ୍ୟ ହେବା ପାଇଁ ସୁଯୋଗ ମିଳିବ ।
ସାମାଜିକ ସ୍ତରରେ ଲିଙ୍ଗଗତ ବୈଷମ୍ୟର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ଜାତିସଂଘ ମହିଳା ସଂଗଠନ ଅନେକ ସଚେତନତା ଓ ସଶକ୍ତିକରଣ କାର‌୍ୟ୍ୟକ୍ରମ କରିଆସୁଛି। ପାଖାପାଖି ଏକ ଦଶନ୍ଧି ଧରି ଜାତିସଂଘ ମହିଳା ସଂଗଠନ ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ କାର‌୍ୟ୍ୟ କରୁଛି। ଆଗକୁ ମଧ୍ୟ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ସହିତ ମିଳିତ ଭାବେ ଜାତିସଂଘ ମହିଳା ସଂଗଠନ ମହିଳା ସଶକ୍ତିକରଣ ନେଇ କାର‌୍ୟ୍ୟ କରିବାକୁ ଆଗ୍ରହୀ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରି ଜାତିସଂଘ ଉପମୁଖ୍ୟ ପ୍ରତିନଧି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version