ଭୁବନେଶ୍ୱର ୧୯ ।୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟ ଠାରେ ୪ଟି ଶିଳ୍ପର ଉଦଘାଟନ କରିଥିବା ବେଳେ ୧୪ ଟି ଶିଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପ ଗୁଡିକର ୨୧୯୬.୩୦ କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ଏହାଦ୍ୱାରା ୩,୪୬୫ ନିଯୁକ୍ତି ସୃଷ୍ଟି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପରିକଳ୍ପନା ହେଉଛି ପୂର୍ବାଂଚଳରେ ର୍ନିମାଣର ନାଭିକେନ୍ଦ୍ର ସ୍ଥାପନ କରାଇବା । ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଯାଜପୁର କଳିଙ୍ଗନଗର ଠାରେ ୪୦୧ କୋଟି ଟଙ୍କା ବ୍ୟୟ ଅଟକଳରେ ଇମାମି ସିମେଂଟ , କଳିଙ୍ଗନଗର ଠାରେ ୪୦ କୋଟି ଟଙ୍କା ବ୍ୟୟରେ ପେଲେଟ୍ ପ୍ଲାଂଟ ଶିଳ୍ପ , କଟକ ଜଗତପୁର ଠାରେ ୪୫ କୋଟି ଟଙ୍କା ବ୍ୟୟରେ ଜୟଭାରତ ସ୍ପାଇସେସ୍ ଏବଂ ଖୋର୍ଦ୍ଧା ଭଗବାନପୁର ଠାରେ ୭.୪୧ କୋଟି ଟଙ୍କାରେ ଉକ୍ରଳ ବ୍ରିକସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି ୪ ଟି ଶିଳ୍ପରେ ମୋଟ୍ ୪୯୩.୪୧ କୋଟି ଟଙ୍କାର ପୁଂଜି ବିନିଯୋଗ କରାଯାଇଥିବା ବେଳେ ୯୨୭ ଜଣ ନିଯୁକ୍ତି ପାଇବେ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକମାନଙ୍କୁ ଅଧିକ କର୍ମ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ନିମନ୍ତେ ସମଗ୍ର ରାଜ୍ୟ ଲାଗି ଅଧିକ ର୍ନିମାଣକାରୀ ବିନିଯୋଗ ଆଣିବାକୁ ଆମେ ଶିଳ୍ପ ବିକାଶର ନିମନ୍ତେ ଭିଜନ୍ ୨୦୨୫ ଜରିଆରେ ଏକ ଆକ୍ସନ୍ ପ୍ଲାନ୍ କରିଛୁ । ବିନିଯୋଗର ଉଦ୍ଦେଶ୍ୟ ଯେମିତି ବାସ୍ତବ ନିବେଶରେ ପରିଣତ ହୁଏ, ସେଥିନିମନ୍ତେ ମୋ ସରକାର କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।