ଦେଶ ବିଦେଶ

୭୦ ହଜାର କୋଟିର ନାହାନ୍ତି ଦାବିଦାର

Published

on

ନୂଆଦିଲ୍ଲୀ ୨୬/୪ : ଦେଶର ବିଭିନ୍ନ ସଂସ୍ଥାରେ ଏମିତି ୭୦ ହଜାର କୋଟି ଟଙ୍କା ପଡ଼ି ରହିଛି, ଯାହାର କେହି ମାଲିକ ନାହାନ୍ତି। ଏତେ ପରିମାଣର ଅର୍ଥର କେହି ଦାବିଦାର ମଧ୍ୟ ନାହାନ୍ତି। ଏହାର କାରଣ ଅନେକ ଲୋକ ଅଂଶଧନ କିଣି, ପୋଷ୍ଟ ଅଫିସ ସ୍କିମ କିମ୍ବା ବ୍ୟାଙ୍କ ଖାତାରେ ଜମା କରି କିମ୍ବା ବୀମା କରି ଏସବୁ ଅର୍ଥକୁ ଭୁଲି ଯାଇଛନ୍ତି। ଦ୍ଵିତୀୟ କାରଣ ଅନେକ ଲୋକ ଅର୍ଥ ଜମା କରିବା ଆରମ୍ଭ କରିଦେଲେ, ମାତ୍ର ମେଚ୍ୟୁରିଟି ପର‌୍ୟ୍ୟନ୍ତ ନିବେଶ କରିବାରେ ବିଫଳ ହୋଇଛନ୍ତି। ଏହି ପରିସ୍ଥିତିରେ ହିଁ ଭିନ୍ନ ଭିନ୍ନ ଜାଗାରେ ଜମା ଥିବା ଅର୍ଥର କୌଣସି ଦାବିଦାର ମଧ୍ୟ ସାମ୍ନାକୁ ଆସୁନାହାନ୍ତି।
ଭାରତୀୟଙ୍କ ମଧ୍ୟରୁ ଗୋଟିଏ କମ୍ପାନୀ ପିୟରଲେସ ଜେନେରାଲ ଫାଇନାନ୍ସ ଆଣ୍ଡ ଇନଭେଷ୍ଟମେଣ୍ଟରେ ଅର୍ଥ ନିବେଶ କରି ଲୋକେ ଭୁଲି ଯାଇଛନ୍ତି। ୧୫ ବର୍ଷରେ ସେମାନଙ୍କର ନିବେଶ ଅର୍ଥ ବଢି ୧୫୧୪ କୋଟି ଟଙ୍କା ହୋଇ ଯାଇଛି। ୧୫ ବର୍ଷ ପୂର୍ବେ କମ୍ପାନୀ ଛୋଟ ନିବେଶକଙ୍କୁ ଡିପୋଜିଟ ସାର୍ଟିଫିକେଟ ବାଣ୍ଟି ୧.୪୯ କୋଟି ଟଙ୍କା ଜୁଟାଇଥିଲା ଆଇଇପିଏଫରେ ୭ ବର୍ଷରେ ବିନା ମାଲିକାରେ ପଡ଼ି ରହିଥିବା କମ୍ପାନୀର ଘୋଷିତ ଲାଭାଂଶ ଓ ଅଂଶ ଧନକୁ ସ୍ଥାନାନ୍ତର କରାଯାଇଛି। ଏହି ଫଣ୍ଡରେ ମୋଟ୍ ୪,୧୩୮ କୋଟି ଟଙ୍କା ଜମା ହୋଇ ସାରିଛି। ଏହା ବ୍ୟତୀତ ଏଠାରେ କମ୍ପାନୀ ୨୧, ୨୩୨.୧୫ କୋଟି ଟଙ୍କା ମୂଲ୍ୟର ୬୫.୦୨ କୋଟି ସେୟାର ମଧ୍ୟ ଜମା କରିଛି। ୨୪ଟି ଜୀବନ ବୀମା କମ୍ପାନୀ ପାଖରେ ବୀମାଧାରକଙ୍କ ୧୬୦୦୦ କୋଟି ଟଙ୍କା ପଡ଼ି ରହିଛି। ଏହାର ୭୦ ପ୍ରତିଶତ ଅର୍ଥାତ ମୋଟ୍ ୧୦,୫୦୯ କୋଟି ଟଙ୍କା କେବଳ ଏଲଆଇସିର ବୀମାଧାରକଙ୍କ ରହିଛି। ଏହି ତଥ୍ୟ ୨୦୧୮ ମାର୍ଚ୍ଚ ୩୧ର। ଅଣ୍ୟ ପଟେ ୨୪ ଅଣ ଜୀବନ ବୀମା କମ୍ପାନୀ ପାଖରେ ୮୪୮ କୋଟି ଟଙ୍କା ରହିଛି, ଯାହାର କେହି ପ୍ରବଳ ଦାବିଦାର ନାହାନ୍ତି। ଏହି ପରି ପୋଷ୍ଟ ଅଫିସର ବିଭିନ୍ନ ଶାଖାରେ ୯୩୯୫ କୋଟି ଟଙ୍କାର କୌଣସି ଦାବିଦାର ନାହାନ୍ତି । ଲୋକେ ଡାକ ଘର ଯୋଜନା ଆଧାରରେ ଅର୍ଥ ଜମା କଲେ, ମାତ୍ର ମେଚ୍ୟୁରିଟି ପିରିୟଡ ପରେ ମଧ୍ୟ କୌଣସି ଦାବିଦାର ସାମ୍ନାକୁ ଆସୁ ନାହାନ୍ତି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଛୋଟ ଛୋଟ ସଞ୍ଚୟ ଯୋଜନାରେ ଅର୍ଥ ଜମା କରିବା ଆରମ୍ଭ କଲେ, ମାତ୍ର କିଛି ଦିନ ପରେ ଜମା କରିବା ବନ୍ଦ କରି ଦେଲେ। ଏହି ଲୋକ ନିଜର ଜମା ଅର୍ଥ ମଧ୍ୟ ନେବାକୁ ଆସୁ ନାହାନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version