ଦିଲ୍ଲୀ ୩୦/୧୨ : ଏଣିକି ଜଳ, ସ୍ଥଳ ଓ ଆକାଶରେ ଆଣବିକ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି କିଛିବର୍ଷ ମଧ୍ୟରେ ଦେଶର ଆଣବିକ ଯୁଦ୍ଧ-କୋ÷ଶଳ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି । ଆଜି ଆକାଶବାଣୀର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ମତ ବିନିମୟ କରିବାବେଳେ ଏହା ଉଲ୍ଲେଖ କରି ସେ କହିଛନ୍ତି ଯେ, ଜଳ, ସ୍ଥଳ ଓ ଆକାଶରେ ଶତ୍ରୁର ଆଣବିକ ଆକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାର ଦକ୍ଷତା ଭାରତ ହାସଲ କରିସାରିଛି । କେହି ଆଣବିକ ଆକ୍ରମଣ କଲେ ଭାରତ ମଧ୍ୟ ତାହାର ମୁହଁତୋଡ଼ ଜବାବ ଦେଇପାରିବ ।
ଭାରତରେ ଯେ, ଦାରିଦ୍ର୍ୟ ଦୂରୀକରଣ ପ୍ରକ୍ରିୟାର ଗତି ଯଥେଷ୍ଟ ଦ୍ରୁତତର ହୋଇଛି, ତାହା ବହୁ ଆନ୍ତର୍ଜାତିକ ସଂସ୍ଥା ସ୍ୱୀକାର କରିସାରିଲେଣି । ଏହି ସଂସ୍ଥାଗୁଡ଼ିକ ଦେଶର ଅଭିବୃଦ୍ଧି ହାରର ଗତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ୨୦୧୮ ଭାରତ ପାଇଁ ଏକ ସଫଳତାର ବର୍ଷ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବର୍ଷରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଆରମ୍ଭ ହୋଇଛି । ଦେଶର ପ୍ରତିଟି ଗାଁରେ ବିଜୁଳି ପହଂଚି ପାରିଛି । ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଏଭଳି ଗତିରେ ସଂପ୍ରସାରିତ ହେଉଛି ଯେ, ବର୍ତ୍ତମାନସୁଦ୍ଧା ଏହା ୯୫% ସୀମା ଅତିକ୍ରମ କରିସାରିଛି । କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।