ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶାରେ ବେଶ ରୋଚକପୂର୍ଣ୍ଣ ହେବ ତାହାର ଅଭାସ ବର୍ତମାନଠାରୁ ମିଳିଲାନି।
ନିର୍ବାଚନରେ ବିଜେପି ରାମ ମନ୍ଦିରକୁ ଏକ ବଡ଼ ପ୍ରସଙ୍ଗ କରିବାକୁ ସଜବାଜ ହେଉଛି। ଆସନ୍ତା ଜାନୁୟାରୀ ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଉଦଘାଟନ କରି ଦଳ ସମଗ୍ର ଦେଶରେ ମୋଦିଙ୍କ ପାଇଁ ଏକ ଲହର ସୃଷ୍ଟି କରିବାର ଯୋଜନା କରିଛି। ଏହି ଯୋଜନା ମୁତାବକ ଦେଶର ସବୁ ମନ୍ଦିର ଓ ହିନ୍ଦୁ ଧର୍ମାନୁଷ୍ଠାନ ଗୁଡିକରେ ମାସ ବ୍ୟାପୀ କାର୍ଯ୍ୟକ୍ରମମାନ କାରଯିବାର ବ୍ୟବସ୍ଥା କରା ଯାଉଛି। କେନ୍ଦ୍ର ସରକାର ଓ ଶାସକ ବିଜେପି ଦଳ ସମଗ୍ର ଦେଶରେ ରାମମୟ ବାତାବରଣ ସୃଷ୍ଟି କରିବାର ପ୍ରସ୍ତୁତି କରିଛନ୍ତି।
Ayodhya Ram Mandir
ତେବେ ଏହିଭଳି ଏକ ଧାର୍ମିକ ଲହରକୁ ପରାହତ କରିବାକୁ ଏବଂ ରାଜ୍ୟରେ ମୁଖ୍ୟ ବିରୋଧୀ ବିଜେପିକୁ ମାତ ଦେବାକୁ ଶାସକ ବିଜୁ ଜନତା ଦଳ ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାର ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ସେହି ଜାନୁଆରୀ ମାସରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। ରାଜ୍ୟ ସରକାର ଏବଂ ଶାସକ ବିଜୁ ଜନତା ଦଳ ସମଗ୍ର ରାଜ୍ୟରେ ଜଗନ୍ନାଥମୟ ବାତାବରଣ ସୃଷ୍ଟି କରି ବିଜେପିର ରାମ ଲହରକୁ ପ୍ରତିହତ କରିବାର ପ୍ରସ୍ତୁତି କରୁଛି।
ଜଗନ୍ନାଥ ପରିକ୍ରମା ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରି ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଫାଇବ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଘନ ଘନ ପୁରୀ ଗସ୍ତ କରିବା ଆରମ୍ଭ କରିଦେଇଛନ୍ତି।
ବର୍ତମାନ ଯଦିଓ ବିଜେଡି ଓ ବିଜେପି ମଧ୍ୟରେ ଥିବା ତିକ୍ତତା ଆଉ ପୂର୍ବପରି ଦେଖା ଯାଉନାହିଁ, ତେବେ ନିର୍ବାଚନ ସମୟରେ ଏହି ବିଜେପିର ରାମ ବନାମ ବିଜେଡିର ଜଗନ୍ନାଥ ଲହରକୁ ନେଇ ଏକ ବଡ଼ ପ୍ରତିଯୋଗିତା ସମ୍ଭାବନା ସ୍ପଷ୍ଟ ଦେଖା ଯାଉଛି।