Nation

ବିଜେପି ମୋଦି ସରକାରର ଭାଗ୍ୟ ନିର୍ଣ୍ଣୟ କରିବ ୨୦୨୩

Published

on

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ନଅ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନର ଧାରା ନିର୍ଧାରଣ କରିବ।

ମଧ୍ୟପ୍ରଦେଶ, କର୍ଣ୍ଣାଟକ ଭଳି ଦୁଇଟି ବଡ ରାଜ୍ୟ ସମେତ ତ୍ରିପୁରା, ନଗାଲାଣ୍ଡ, ମିଜୋରାମ, ମେଘାଳୟ ଆଦି ରାଜ୍ୟରେ ନିର୍ବାଚନ ହେବ। ସେହିଭଳି ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟରେ ବର୍ଷ ଶେଷ ବେଳକୁ ନିର୍ବାଚନ ହେବ। ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ସରକାର ଥିବାବେଳେ ତେଲେଙ୍ଗାନାରେ ଟିଆରଏସର ସରକାର ଅଛି।

ବିଜେପି ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ତ୍ରିପୁରରେ ଶାସନ କ୍ଷମତାରେ ଥିବାବେଳେ ନାଗାଲଣ୍ଡ ଓ ମିଜୋରାମରେ ଏନ୍ ଡି ଡି ପି ଓ ଏମ ଏନ ଏଫ ସହ ସରକାରରେ ଅଛି। ମେଘାଳୟରେ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମାଙ୍କ ନେତୃତ୍ୱରେ ଏନପିପି ଦଳ ଏନଡିଏ ଛାଡିବାପରେ ବିଜେପିର ସ୍ଥିତି ଦୋହଲି ଯାଇଛି। ସେହିଭଳି ତ୍ରିପୁରାରେ ଦଳର ଏନେକ ବିଧାୟକ ଦଳ ଛାଡ଼ିଦେବା ଏବଂ ଏକ ଆଞ୍ଚଳିକ ଦଳ ଏନଡ଼ିଏ ଛାଡ଼ିଦେବା ଘଟଣା ବିଜେପିକୁ ଦୁର୍ବଳ କରି ଦେଇଛି। କର୍ଣ୍ଣାଟକରେ ୟେଦୁରୁପା ବିଜେପିର ନିଦ ଖରାପ କରି ରଖିଛନ୍ତି। ମଧ୍ୟପ୍ରଦେଶରେ ଦଳର ସ୍ଥିତି ଭଲ ନାହିଁ।

ଏ ଭଳି ସ୍ଥିତିରେ ବିଜେପି ୨୦୨୩ କିଭଳି ପାର ହେବ ତାହାକୁ ନେଇ ଚିନ୍ତାରେ ଦଳର ତୁଙ୍ଗ ନେତାମାନେ ଅଛନ୍ତି।

ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଗୁଜରାଟରେ ବିଜୟ ହାସଲ କରିଥିବା ବେଳେ ହିମାଚଳ ପ୍ରଦେଶରେ ନିର୍ବାଚନ ହାରି ଯାଇଛି। ଗୁଜରାଟର ବିପୁଳ ବିଜୟ ଦଳ ପାଇଁ ବିଶେଷ କିଛି ସ୍ୱାନ୍ତନା ଆଣି ନାହିଁ। ସେଠି କଂଗ୍ରେସ ବସ୍ତୁତଃ ନିର୍ବାଚନ ଲଢୁନଥିଲା । ବିଜେପି ଏକାକୀହିଁ ନିର୍ବାଚନ ଲଢ଼ୁଥିଲା। ଅନ୍ୟ ପକ୍ଷରେ ଶାସନ କ୍ଷମତାରେ ଥିବା ବିଜେପିକୁ ପରାଜୟର ମୁହଁ ଦେଖିବାକୁ ହେଲା। ନିଜର ପରାଜୟ ଅପେକ୍ଷା କଂଗ୍ରେସର ବିଜୟ ବିଜେପି ଶୀର୍ଷ ନେତୃତ୍ୱକୁ ଅଧିକ ଆଘାତ ଦେଇଛି।

ଏହିଭଳି ପରିସ୍ଥିତିରେ ୨୦୨୩ ନିର୍ବାଚନରେ ଅତି କମରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ତ୍ରିପୁରରେ କ୍ଷମତା ବଜାୟ ରଖି ନପାରିଲେ ବିଜେପି ଦଳକୁ ୨୦୨୪ ଲୋକସଭା ନିର୍ବାଚନକୁ ସାମ୍ନା କରିବା କଷ୍ଟକର ହୋଇ ପଡିବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version