Connect with us

ଭୁବନେଶ୍ଵର :ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ, ଏକ ଅର୍ଦ୍ଧ-ପ୍ରସ୍ତୁତ ପୋଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ।

 

ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୋଲିସ୍‌ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ାଯିବ ଯାହାଦ୍ୱାରା ପୋଲିସ ପେଟ୍ରୋଲିଙ୍ଗ୍, ତଦନ୍ତ, ପୀଡିତ ପାଖରେ ପହଁଞ୍ଚିବା, ଅପରାଧୀ ଧରିବା ଆହୁରି ସୁଦୃଢ଼ ହେବ ।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦଘାଟନ କରିଥିଲେ।

 

ସେ କହିଥିଲେ ଯେ, ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ପୋଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ପୋଲିସ ଥାନା ଗୁଡିକୁ ୯ ହଜାର ବାଇକ୍‌ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍‌ ଦିଆଯିବ। ଏଇ ନିକଟରେ ଗୃହରେ ପାରିତ ହୋଇଥିବା ଅତିରିକ୍ତ ବଜେଟରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ପ୍ରାବଧାନ କରାଯାଇଛି। ପୋଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ଖାଲି ଥିବା ଓ ନୂଆ ପଦବୀକୁ ମିଶାଇ ପ୍ରାୟ ୫ ହଜାର ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମଧ୍ୟ ସେ କହିଥିଲେ ।

 

ଦେଶରେ ଚାଲିଥିବା ସାଇବର କ୍ରାଇମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପୁରା ଦେଶରେ ଅନେକ ଲୋକ ସାଇବର ଅପରାଧର ଶିକାର ହୋଇ ଅର୍ଥ ହରାଉଛନ୍ତି। ସାଇବର ଠକେଇ, ଡିଜିଟାଲ ଆରେଷ୍ଟ, ଇନଭେଷ୍ଟମେଣ୍ଟ ଠକେଇ ଆଦି ଅପରାଧ ବଢି ଚାଲିଛି। ସାଇବର ଅପରାଧ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ପୋଲିସ ବିଭାଗର ସାଇବର ସେଲକୁ ସୁଦୃଢ ଓ ଆଧୁନିକୀକରଣ କରିବା ପାଇଁ ସଂକଳ୍ପବଦ୍ଧ। ଏଥି ପାଇଁ ଆଗାମୀ ଦିନରେ ଯେଉଁ ଜିଲ୍ଲାରେ ସାଇବର ଥାନା ନାହିଁ ସେଠାରେ ସାଇବର ଥାନା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ଏତଦବ୍ୟତୀତ ଭୁବନେଶ୍ବରରେ ସାଇବର ଅପରାଧର ଉଚ୍ଚକୋଟୀର ତଦନ୍ତ ଓ ତଦାରଖ ପାଇଁ ରାଜ୍ୟସ୍ତରରେ ଏକ ସାଇବର ଅପରାଧ ଶାଖା ସୃଷ୍ଟି କରାଯିବ, ଯାହାର ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ମହିଳା ହିଂସା ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ମତ ଦେଇ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଦୁର୍ଭାଗ୍ୟ ବଶତଃ ମୋଟ ଦଣ୍ଡବିଧାନ ହାର ଏବଂ ମହିଳା ହିଂସା ବିରୁଦ୍ଧରେ ଦଣ୍ଡବିଧାନ ହାର ସର୍ବ ଭାରତୀୟ ସ୍ତରରେ ଓଡିଶାର ସ୍ଥିତି ନୈରାଶ୍ୟ ଜନକ ଥିଲା ।

 

ସେ କହିଲେ ଯେ, ଏହାର ପ୍ରମୁଖ କାରଣ ହେଉଛି ବୃତ୍ତିଗତ ଢଙ୍ଗରେ ଅନୁସନ୍ଧାନ ନ ହେବା ଏବଂ ପୂର୍ବବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ। ତେଣୁ, ସେ କହିଥିଲେ ଯେ, ଏହି ଦଣ୍ଡହାରକୁ ଜାତୀୟ ସ୍ତରକୁ ନେବାକୁ ହେବ। ଏଥିପାଇଁ ସରକାର ନିଜ ସ୍ତରରେ ଅଧିକ ମହିଳା କୋର୍ଟ ପ୍ରତିଷ୍ଠା କରୁଛନ୍ତି। ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ସ୍ଥାପନା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇ ସରିଛି। ବର୍ତ୍ତମାନ, ପୋଲିସ କାନ୍ଧରେ ବୃତ୍ତିଗତ ଢଙ୍ଗରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ କରି, ଅକାଟ୍ୟ ସାକ୍ଷ୍ୟ ପ୍ରମାଣ ସହିତ କୋର୍ଟରେ ଅଭିଯୋଗ ପତ୍ର ଠିକ ସମୟରେ ଦାଖିଲ କରିବା।

 

 

ନିକଟରେ ରାଜ୍ୟ ପୁଲିସ ବଳ କିଛି blind କେସର ସଫଳତାର ସହିତ ସମାଧାନ କରିବାରେ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଣାଇ ଏବଂ କଟକ କନ୍ଦରପୁର ହତ୍ୟାକାଣ୍ଡକୁ ପୋଲିସ ଖୁବ୍ ଶୀଘ୍ର ସଫଳତାର ସହ ସମାଧାନ କରିଛି। ସେ କହିଥିଲେ ଯେ, ସବୁ କେସରେ ଏପରି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯାହା ଫଳରେ ପୋଲିସ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇବ।

 

ଆଗାମୀ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓ ବାଦୀ ଏବଂ ନକ୍ସଲ ହିଂସାକୁ ସମୂଳେ ନିପାତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଓଡିଶାର କିଛି ଅଞ୍ଚଳ ଏହି ଆକ୍ସନ ପ୍ଲାନରେ ସାମିଲ ହୋଇଛି। ଏହି ହିଂସାକୁ ଦମନ କରିବା ପାଇଁ ପୋଲିସ ବଳ ସହିତ ବିଶେଷ ଜ୍ଞାନ, ନୂତନ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି, ଯାହା ଆଜି ପରି ଡ୍ୟୁଟି ମିଟ୍‌ରୁ ମିଳିପାରିବ ବୋଲି ସେ କହିଥିଲେ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଜନାବଦ୍ଧ ଭାବେ ସମାଜରେ ଉନ୍ମାଦ କରିବା ପାଇଁ ଚେଷ୍ଟା କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଯାହାଫଳରେ ପ୍ରତି ମୂହୁର୍ତ୍ତରେ ସେମାଙ୍କ ମନରେ ଭୟର ସଂଚାର ହେବ।

 

ଏଭଳି ଅପରାଧୀଙ୍କୁ ପୂର୍ବରୁ ଯେଉଁ ସୁରକ୍ଷା ଦିଆଯାଉଥିଲା ସେପରି ଆଉ ହେବ ନାହିଁ। ଆଇନର ଗଣ୍ଡି ଭିତରେ ରହି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରାଇମବ୍ରାଞ୍ଚ ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସ ପ୍ରମୁଖ ସଫଳତା ହାସଲ କରିଛି।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ପୋଲିସ ବଳ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି। ସର୍ବ ଭାରତୀୟ DG/IG ସମ୍ମିଳନୀରେ, କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

 

 

ପୋଲିସ ଡ୍ୟୁଟି ମିଟ୍‌ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ସମସ୍ତ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବିଜେତାମାନେ ଆଗାମୀ ଜାନୁଆରୀ ମାସରେ ଝାଡଖଣ୍ଡର ରାଞ୍ଚି ଠାରେ ହେବାକୁ ଥିବା All India Police Duty Meet ରେ ଭାଗ ନେବେ। ମନୋନୀତ ହୋଇଥିବା ଦଳର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ପୋଲିସ ନିଜର ‘ସେବା ଓ ସୁରକ୍ଷା’ ସ୍ଲୋଗାନକୁ କାୟ ମନୋବାକ୍ୟରେ ପାଳନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

 

ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ସି.ଆଇ.ଡି, କ୍ରାଇମ ବ୍ରାଞ୍ଚ ଶ୍ରୀ ବିନୟ ତୋଷ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ପୋଲିସ ବାହିନୀର କାର୍ଯ୍ୟକ୍ରମ, ସଫଳତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶାର ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ପ୍ରଦାନ 

Published

on

ଭୁବନେଶ୍ୱର: ଆଜି ଷଷ୍ଠ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି, ଯାହା ରାଜ୍ୟ ଅର୍ଥ କମିଶନ (SFC) ଏବଂ କେନ୍ଦ୍ର ଅର୍ଥ କମିଶନ (CFC) ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗୀତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ ।

ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଆର୍ଥିକ ମାନଦଣ୍ଡ, ପଞ୍ଚାୟତ ସ୍ତରର ଢାଞ୍ଚା ପରିବର୍ତ୍ତନ, ଜନସାଧାରଣଙ୍କ ଜୀବନଧାରଣାର ମାନ ବୃଦ୍ଧି, ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସ୍ଥିତି ସୁଧାରିବାକୁ ତତ୍‌ସହିତ ସମୃଦ୍ଧ ଓଡ଼ିଶାର ଭିତ୍ତି ସୁଦୃଢ଼ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟଯେ, କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଏକ ପୂର୍ବାନୁମାନଯୋଗ୍ୟ ଏବଂ ସୂତ୍ର-ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ, ଗ୍ରାମୀଣ ଏବଂ ସହରାଞ୍ଚଳର ସ୍ଥାନୀୟ ପୃଥକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କମିଶନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ ସୁପାରିଶ କରିଛନ୍ତି।

ଆଜିର ଏହି ବୈଠକରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଵିଶାଲ ଦେବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଗିରିଶ ଏସ.ଏନ ପ୍ରମୁଖ ଉପସ୍ଥିତ ଥିଲେ ।

କମିଶନ ର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ଏହି ଅବସରରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ (SFC) ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକଙ୍କ ସହିତ; ସଦସ୍ୟ ସଚିବ- ଡକ୍ଟର ସତ୍ୟ ପ୍ରିୟ ରଥ, ପଦାଧିକାରୀ ସଦସ୍ୟ-ତଥା- ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Nation

ଓଡିଶାର ୯୦ ପ୍ରତିଶତ ଚାଷ ଜମିକୁ  ୨୦୩୬ ସୁଦ୍ଧା ଜଳସେଚନର ସୁବିଧା ଯୋଗାଇ ଦିଆଯିବ-ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ରାଜ୍ୟର  ୯୦ ପ୍ରତିଶତ ଚାଷ ଜମିକୁ  ୨୦୩୬ ସୁଦ୍ଧା ଜଳସେଚନର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ୯୦ ପ୍ରତିଶତରୁ ଅଧିକ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ଓ ଆଡିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ଅନ୍ତର୍ଭୁକ୍ତ କରାଯିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗିରର ଅପରଲାନ୍ଥ ପ୍ରକଳ୍ପ, ସାଣ୍ଡୁଲ ଭୂତଳ ପାଇପଲାଇନ୍, ନୟାଗଡର ବୃତଙ୍ଗ ଜଳସେଚନ ପ୍ରକଳ୍ପ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଜଳାଶୟ ଓ କେନାଲ ପ୍ରକଳ୍ପ ତ୍ୱରାନ୍ବିତ ଭାବେ ଚାଲୁ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୪୦,୩୮୦ ଗୋଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାବେଳେ, ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡିଶା ପାଣି ପଞ୍ଚାୟତ ଆଇନ-୨୦୦୨ ଓ ତାହାର ସଂଶୋଧନ ମାଧ୍ୟମରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ବ୍ୟବହାରକାରୀଙ୍କୁ ସମାନ ଅଧିକାର ଓ ସୁଯୋଗ ଦିଆଯାଇଛି।

ସେ ଆହୁରି କହିଥିଲେ ଯେ, ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ପାଇଁ ଆଇଓଟି (IOT) ସକ୍ଷମ ଡିଜିଟାଲ ଜଳମାପ ଏବଂ ମୃତ୍ତିକାର ଆଦ୍ରତା ଜାଣିବା ପାଇଁ ସେନ୍‌ସିଙ୍ଗ୍ ସିଷ୍ଟମ ନିମନ୍ତେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟକୁ ଅନୁବନ୍ଧିତ କରାଯାଇଛି। ଏଥି ସହିତ ପାଣି ପଞ୍ଚାୟତ ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସହ ଏମ୍‌ଓୟୁ କରାଯାଇଛି । ନୂଆପଡା ଜିଲ୍ଲାର ଚାନ୍ଦପାଲାରେ ୨,୫୬୭ ହେକ୍ଟର ଜମିକୁ ଆଧୁନିକ ଜଳ ଦକ୍ଷତା ଏବଂ ଗୋଷ୍ଠୀ ଦ୍ବାରା ପରିଚାଳିତ ଜଳସେଚନ ପରିଚାଳନା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଚାଷୀ ମାନଙ୍କୁ କିପରି ଉତ୍ତମ ବଜାର ବ୍ୟବସ୍ଥା ଯୋଗାଇଦେବା ସହିତ ସେମାନଙ୍କ ଉତ୍ପାଦିତ ଫସଲକୁ  ବିଦେଶକୁ ରପ୍ତାନୀ କରାଯାଇ ସେମାନଙ୍କୁ ଉତ୍ତମ ମୂଲ୍ୟ ଦିଆଯାଇ ପାରିବ ସେ ଦିଗରେ ସରକାର ଯୋଜନା କରୁଛନ୍ତି। ଚାଷୀଙ୍କ ଆୟ କିପରି ଦ୍ବିଗୁଣିତ ହୋଇପାରିବ, ତାହା ଆମ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ।

ଏହି  କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଇଞ୍ଜିନିୟର-ଇନ-ଚିଫ  ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇଲେ ଓଡିଶା ମୁଖ୍ୟମନ୍ତ୍ରୀ

Published

on

 

ଭୁବନେଶ୍ୱର:   ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ଉଦ୍‌ଘାଟନ ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଵା ଅବସରରେ କହିଥିଲେ ଯେ ଓଡ଼ିଶାରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆମ ସରକାର ଆସିବା ମାତ୍ରେ ପ୍ରଥମ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ଉଦ୍‌ଘାଟନ ଅବସରରେ କହିଛନ୍ତି ।

ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍‌ଡିଙ୍ଗ୍‌ ଆହୁରି କମିଯିବ । ତେଣୁ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ଉଚିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ଆରମ୍ଭ କରାଯାଇଛି ।

ସେ କହିଥିଲେ ଆମ ସରକାର ୧୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ବିଗତ ଦେଢ଼ ବର୍ଷ ଭିତରେ ପୂର୍ବ ତୁଳନାରେ ରାଜ୍ୟରେ ୧.୩୫ ଲକ୍ଷ ଲିଟର ଅଧିକ ଦୁଗ୍‌ଧ ଉତ୍ପାଦନ ହେଉଛି । ଏହି ପରିମାଣକୁ ଆହୁରି ବୃଦ୍ଧି କରିବା ପାଇଁ ଆମେ ପ୍ରତିବଦ୍ଧତା ସହ କାମ କରୁଛୁ ।

ସେ ପୁଣି କହିଥିଲେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇ ଶଙ୍କର ଜାତୀୟ ଅଧିକ ଦୁଗ୍‌ଧ ପ୍ରଦାନକାରୀ ଗାଈ ଓ ମଇଁଷି ପାଳନ ପାଇଁ ଉତ୍ସାହିତ କରାଯାଉଛି । ଏହା ମାଧ୍ୟମରେ ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହିତ ଦୁଗ୍‌ଧ ବ୍ୟବସାୟୀମାନଙ୍କ ପାଇଁ ଓମ୍‌ଫେଡ୍‌ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ସହାୟତା ରାଶି ଦିଆଯାଉଛି । କେବଳ ମାଈ ବାଛୁରୀ ଜନ୍ମ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ ଯୋଜନା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ୨.୩୦ ଲକ୍ଷ ଗୋ-ପାଳକ ଉପକୃତ ହୋଇଛନ୍ତି ।

ରାଜ୍ୟର ଚାଷୀମାନଙ୍କ ଆୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଆମର ସମୃଦ୍ଧ କୃଷକ ଯୋଜନା, ପିଏମ ଓ ସିଏମ କିଷାନ ଯୋଜନା ଏବଂ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଫଳରେ ଏବେ ଗୋଟିଏ କୃଷକ ପରିବାରର ଆୟ ବାର୍ଷିକ ୬୧,୦୦୦ ରୁ ବି ଅଧିକ ହୋଇପାରିଛି ।

ସେ ଆହୁରି କହିଥିଲେ ଯେ, ରାଜ୍ୟକୁ ମାଛ, ମାଂସ, କୁକଡ଼ା ମାଂସ, ଅଣ୍ଡା ଇତ୍ୟାଦିରେ ଆତ୍ମନିର୍ଭର କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପ କରିଛନ୍ତି । ଏବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥି ସହିତ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ଓ କେଜ୍‌ କଲ୍‌ଚର୍‌ ମଧ୍ୟ ଆଦୃତି ଲାଭ କରିଛି ।

ଉପସ୍ଥିତ ପ୍ରାଣୀପାଳକ ମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଣୀପାଳନ ଏକ ଲାଭଦାୟକ ବ୍ୟବସାୟ । ସରକାରଙ୍କ ପକ୍ଷରୁ ଋଣରେ ରିହାତି, ମାଗଣା ଟିକା ବ୍ୟବସ୍ଥା, ପ୍ରାଣୀ ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯାଉଛି । ତେଣୁ, ଛେଳି ଚାଷ, ଘୁଷୁରି ପାଳନ, କୁକୁଡ଼ା ପାଳନ ଓ ବତକ ପାଳନ ପରି ଲାଭଜନକ କୃଷି ବ୍ୟବସାୟ କରିବା ପାଇଁ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଅନୁଗୋଳର ଦିଲ୍ଲୀପ ପ୍ରଧାନଙ୍କୁ ଗୋପାଳରତ୍ନ ସମ୍ମାନ ଏବଂ ଯାଜପୁରର ସୁକାନ୍ତ କୁମାର ବିଶ୍ୱାଳଙ୍କୁ Native Breed Conservation Award ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ୬ ଜଣ ଏବଂ ପ୍ରାଣୀ ପାଳନ କ୍ଷେତ୍ରର ୬ ଜଣ ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇ କହିଥିଲେ ଯେ, ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ରୁହନ୍ତୁ, ଅନ୍ୟଥା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରାଜ୍ୟରେ ଦୁଗ୍‌ଧ ବିପ୍ଲବରେ ଏକ ନୂଆ ଦିଗନ୍ତ ଆଣିଛି। ଚାଷୀମାନଙ୍କୁ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମ୍ପର୍କରେ ଅଧିକ ସଚେତନ କରିବା ଲକ୍ଷ୍ୟରେ ରାଜ୍ୟର ୩୧୪ ବ୍ଲକ୍‌ ଏବଂ ୩୦ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ ହୋଇଥିଲା ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ  ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଗୋ-ସମ୍ପଦ ଓ ଗୋ-ମାତାର ସୁରକ୍ଷା ପାଇଁ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଶାଳା ନିର୍ମାଣ ହେବ। ସେଥିପାଇଁ ରାଜସ୍ୱ ବିଭାଗ ଜମି ଯୋଗାଇଦେବ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions