Connect with us

ଭୁବନେଶ୍ଵର :ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ, ଏକ ଅର୍ଦ୍ଧ-ପ୍ରସ୍ତୁତ ପୋଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ।

 

ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୋଲିସ୍‌ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ାଯିବ ଯାହାଦ୍ୱାରା ପୋଲିସ ପେଟ୍ରୋଲିଙ୍ଗ୍, ତଦନ୍ତ, ପୀଡିତ ପାଖରେ ପହଁଞ୍ଚିବା, ଅପରାଧୀ ଧରିବା ଆହୁରି ସୁଦୃଢ଼ ହେବ ।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦଘାଟନ କରିଥିଲେ।

 

ସେ କହିଥିଲେ ଯେ, ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ପୋଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ପୋଲିସ ଥାନା ଗୁଡିକୁ ୯ ହଜାର ବାଇକ୍‌ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍‌ ଦିଆଯିବ। ଏଇ ନିକଟରେ ଗୃହରେ ପାରିତ ହୋଇଥିବା ଅତିରିକ୍ତ ବଜେଟରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ପ୍ରାବଧାନ କରାଯାଇଛି। ପୋଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ଖାଲି ଥିବା ଓ ନୂଆ ପଦବୀକୁ ମିଶାଇ ପ୍ରାୟ ୫ ହଜାର ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମଧ୍ୟ ସେ କହିଥିଲେ ।

 

ଦେଶରେ ଚାଲିଥିବା ସାଇବର କ୍ରାଇମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପୁରା ଦେଶରେ ଅନେକ ଲୋକ ସାଇବର ଅପରାଧର ଶିକାର ହୋଇ ଅର୍ଥ ହରାଉଛନ୍ତି। ସାଇବର ଠକେଇ, ଡିଜିଟାଲ ଆରେଷ୍ଟ, ଇନଭେଷ୍ଟମେଣ୍ଟ ଠକେଇ ଆଦି ଅପରାଧ ବଢି ଚାଲିଛି। ସାଇବର ଅପରାଧ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ପୋଲିସ ବିଭାଗର ସାଇବର ସେଲକୁ ସୁଦୃଢ ଓ ଆଧୁନିକୀକରଣ କରିବା ପାଇଁ ସଂକଳ୍ପବଦ୍ଧ। ଏଥି ପାଇଁ ଆଗାମୀ ଦିନରେ ଯେଉଁ ଜିଲ୍ଲାରେ ସାଇବର ଥାନା ନାହିଁ ସେଠାରେ ସାଇବର ଥାନା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ଏତଦବ୍ୟତୀତ ଭୁବନେଶ୍ବରରେ ସାଇବର ଅପରାଧର ଉଚ୍ଚକୋଟୀର ତଦନ୍ତ ଓ ତଦାରଖ ପାଇଁ ରାଜ୍ୟସ୍ତରରେ ଏକ ସାଇବର ଅପରାଧ ଶାଖା ସୃଷ୍ଟି କରାଯିବ, ଯାହାର ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ମହିଳା ହିଂସା ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ମତ ଦେଇ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଦୁର୍ଭାଗ୍ୟ ବଶତଃ ମୋଟ ଦଣ୍ଡବିଧାନ ହାର ଏବଂ ମହିଳା ହିଂସା ବିରୁଦ୍ଧରେ ଦଣ୍ଡବିଧାନ ହାର ସର୍ବ ଭାରତୀୟ ସ୍ତରରେ ଓଡିଶାର ସ୍ଥିତି ନୈରାଶ୍ୟ ଜନକ ଥିଲା ।

 

ସେ କହିଲେ ଯେ, ଏହାର ପ୍ରମୁଖ କାରଣ ହେଉଛି ବୃତ୍ତିଗତ ଢଙ୍ଗରେ ଅନୁସନ୍ଧାନ ନ ହେବା ଏବଂ ପୂର୍ବବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ। ତେଣୁ, ସେ କହିଥିଲେ ଯେ, ଏହି ଦଣ୍ଡହାରକୁ ଜାତୀୟ ସ୍ତରକୁ ନେବାକୁ ହେବ। ଏଥିପାଇଁ ସରକାର ନିଜ ସ୍ତରରେ ଅଧିକ ମହିଳା କୋର୍ଟ ପ୍ରତିଷ୍ଠା କରୁଛନ୍ତି। ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ସ୍ଥାପନା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇ ସରିଛି। ବର୍ତ୍ତମାନ, ପୋଲିସ କାନ୍ଧରେ ବୃତ୍ତିଗତ ଢଙ୍ଗରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ କରି, ଅକାଟ୍ୟ ସାକ୍ଷ୍ୟ ପ୍ରମାଣ ସହିତ କୋର୍ଟରେ ଅଭିଯୋଗ ପତ୍ର ଠିକ ସମୟରେ ଦାଖିଲ କରିବା।

 

 

ନିକଟରେ ରାଜ୍ୟ ପୁଲିସ ବଳ କିଛି blind କେସର ସଫଳତାର ସହିତ ସମାଧାନ କରିବାରେ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଣାଇ ଏବଂ କଟକ କନ୍ଦରପୁର ହତ୍ୟାକାଣ୍ଡକୁ ପୋଲିସ ଖୁବ୍ ଶୀଘ୍ର ସଫଳତାର ସହ ସମାଧାନ କରିଛି। ସେ କହିଥିଲେ ଯେ, ସବୁ କେସରେ ଏପରି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯାହା ଫଳରେ ପୋଲିସ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇବ।

 

ଆଗାମୀ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓ ବାଦୀ ଏବଂ ନକ୍ସଲ ହିଂସାକୁ ସମୂଳେ ନିପାତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଓଡିଶାର କିଛି ଅଞ୍ଚଳ ଏହି ଆକ୍ସନ ପ୍ଲାନରେ ସାମିଲ ହୋଇଛି। ଏହି ହିଂସାକୁ ଦମନ କରିବା ପାଇଁ ପୋଲିସ ବଳ ସହିତ ବିଶେଷ ଜ୍ଞାନ, ନୂତନ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି, ଯାହା ଆଜି ପରି ଡ୍ୟୁଟି ମିଟ୍‌ରୁ ମିଳିପାରିବ ବୋଲି ସେ କହିଥିଲେ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଜନାବଦ୍ଧ ଭାବେ ସମାଜରେ ଉନ୍ମାଦ କରିବା ପାଇଁ ଚେଷ୍ଟା କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଯାହାଫଳରେ ପ୍ରତି ମୂହୁର୍ତ୍ତରେ ସେମାଙ୍କ ମନରେ ଭୟର ସଂଚାର ହେବ।

 

ଏଭଳି ଅପରାଧୀଙ୍କୁ ପୂର୍ବରୁ ଯେଉଁ ସୁରକ୍ଷା ଦିଆଯାଉଥିଲା ସେପରି ଆଉ ହେବ ନାହିଁ। ଆଇନର ଗଣ୍ଡି ଭିତରେ ରହି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରାଇମବ୍ରାଞ୍ଚ ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସ ପ୍ରମୁଖ ସଫଳତା ହାସଲ କରିଛି।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ପୋଲିସ ବଳ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି। ସର୍ବ ଭାରତୀୟ DG/IG ସମ୍ମିଳନୀରେ, କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

 

 

ପୋଲିସ ଡ୍ୟୁଟି ମିଟ୍‌ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ସମସ୍ତ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବିଜେତାମାନେ ଆଗାମୀ ଜାନୁଆରୀ ମାସରେ ଝାଡଖଣ୍ଡର ରାଞ୍ଚି ଠାରେ ହେବାକୁ ଥିବା All India Police Duty Meet ରେ ଭାଗ ନେବେ। ମନୋନୀତ ହୋଇଥିବା ଦଳର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ପୋଲିସ ନିଜର ‘ସେବା ଓ ସୁରକ୍ଷା’ ସ୍ଲୋଗାନକୁ କାୟ ମନୋବାକ୍ୟରେ ପାଳନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

 

ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ସି.ଆଇ.ଡି, କ୍ରାଇମ ବ୍ରାଞ୍ଚ ଶ୍ରୀ ବିନୟ ତୋଷ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ପୋଲିସ ବାହିନୀର କାର୍ଯ୍ୟକ୍ରମ, ସଫଳତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁର ହାଇକମିଶନର, ସହଭାଗିତା ହେବ ଅଧିକ ସୁଦୃଢ଼

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ ( Simon Wong) ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ବୈଠକ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ଓ ବୈଷୟିକ ସମ୍ଭାବନାକୁ ବାସ୍ତବ ରୂପ ଦେବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଙ୍ଗାପୁରର ସହରୀ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଦକ୍ଷତା ଓଡ଼ିଶାର ବିକାଶମୂଳକ ଲକ୍ଷ୍ୟ ହାସଲ ଦିଗରେ ଖୁବ୍ ସହାୟକ ହେବ। ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ସିଙ୍ଗାପୁର ଏକ ସ୍ୱାଭାବିକ ପାର୍ଟନର୍ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।

ଓଡ଼ିଶାର ସମୃଦ୍ଧ ପୁଞ୍ଜିନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଏବଂ ନିବେଶ ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ।

ଜାନୁଆରୀ ୨୦୨୫ରେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ଥରମାନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିଥିଲା । ଏହି ସମୟରେ ରାଜ୍ୟର ୫ଟି ପ୍ରମୁଖ ବିଭାଗ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା । ଏହି ୮ଟି MoUର ଅଗ୍ରଗତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ସିଙ୍ଗାପୁର’ର ନିବେଶ ତଥା ବିଭିନ୍ନ ପାର୍ଟନର୍‌ସିପ୍’ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ସୁ-ବ୍ୟବସ୍ଥିତ ମେକାନିଜିମ୍ ବା Structured Engagement Mechanism ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ସେ ଗ୍ରୀନ୍ ଏନର୍ଜି, ସହରୀ ବିକାଶ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ।

ଓଡ଼ିଶାରେ ହୋଇଥିବା ‘ବ୍ଲାକ୍ ସ୍ୱାନ୍ ସମିତ୍’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଓଡ଼ିଶାର ଯୁବବର୍ଗଙ୍କୁ ଫିନ୍‌ଟେକ୍ ଓ ଇନ୍‌ସିଓରଟେକ୍ କ୍ଷେତ୍ରରେ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସିଙ୍ଗାପୁର’ର ସହଯୋଗରେ ଓଡ଼ିଶାରେ ଫିନ୍‌ଟେକ୍ ଓ ଇନ୍‌ସିଓର୍‌ଟେକ୍ କ୍ଷେତ୍ରରେ ଉଦ୍ୟମକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ ।

ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ ୱଙ୍ଗ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସିଙ୍ଗାପୁର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ରାଜ୍ୟର ପ୍ରଗତି ଏବଂ ଅଭିବୃଦ୍ଧି ଯାତ୍ରାରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ୱଙ୍ଗ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ସିଙ୍ଗାପୁର ପକ୍ଷରୁ ହାଇକମିଶନରଙ୍କ ସହ ମୁମ୍ବାଇର କନସୁଲ୍-ଜେନେରାଲ୍ ଶ୍ରୀ ଚଙ୍ଗ୍ ମିଙ୍ଗ୍ ଫୁଙ୍ଗ୍ (Mr Cheong Ming Foong) ଏବଂ ହାଇକମିଶନର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Continue Reading

Nation

ପ୍ରାକ୍-ରେରା ପ୍ରକଳ୍ପ ଗୁଡ଼ିକ ପାଇଁ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ 

Published

on

ଭୁବନେଶ୍ୱର : ଓଡ଼ିଶାର ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାଦ୍ୱାରା ୫ ଅକ୍ଟୋବର, ୨୦୧୬ ରେ ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ ବା ‘ରେରା’ (RERA) ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ ।

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପୁରୁଣା ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକରେ କ୍ରେତା ଏବଂ ଅଂଶୀଦାରମାନେ ସାମ୍ନା କରୁଥିବା ଦୀର୍ଘଦିନର ପଞ୍ଜୀକରଣ ସମସ୍ୟାର ସମାଧାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ଗେଜେଟ୍‌ର ଅସାଧାରଣ ସଂଖ୍ୟାରେ ପ୍ରକାଶିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ପୂର୍ବରୁ ଥିବା ଦସ୍ତାବିଜ୍ ଏବଂ ନିୟମାନୁପାଳନ ଜନିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଏକ ସ୍ପଷ୍ଟ ଆଇନଗତ ଆଧାର ପ୍ରଦାନ କରୁଛି, ଯାହା ଅନେକ ଆପାର୍ଟମେଣ୍ଟ ୟୁନିଟ୍‌ର ପଞ୍ଜୀକରଣରେ ବାଧା ସୃଷ୍ଟି କରୁଥିଲା ।

ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ (OAOM Act) ପ୍ରଣୟନ କରାଯାଇଥିଲା। ତଥାପି, ପ୍ରାକ୍-ରେରା ପ୍ରକଳ୍ପଗୁଡ଼ିକରେ ବହୁ ସଂଖ୍ୟକ ଆପାର୍ଟମେଣ୍ଟ କ୍ରେତା ହସ୍ତାନ୍ତର ଦଲିଲ (Deed of Transfer) ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଦିଓ ୩ ଡିସେମ୍ବର, ୨୦୨୫ ରେ ଜାରି ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବ୍ୟକ୍ତିଗତ ଆଲଟି (Allottees) ମାନଙ୍କୁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ପ୍ରମୋଟର ଏବଂ ଜମି ମାଲିକଙ୍କ ପାଖରେ ରହିଯାଇଥିବା ଆପାର୍ଟମେଣ୍ଟଗୁଡ଼ିକ ଏହାର ପରିସରଭୁକ୍ତ ହୋଇନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ର ଧାରା ୩୫ ଅନ୍ତର୍ଗତ ତାଙ୍କ କ୍ଷମତାର ପ୍ରୟୋଗ କରିଛନ୍ତି ଏବଂ ଯୋଗ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଛାଡ଼ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହାଫଳରେ ଏଭଳି ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ସମ୍ଭବ ହେବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ପୁରୁଣା ମାମଲାଗୁଡ଼ିକର ସମାଧାନ ହୋଇପାରିବ ।

ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ, ଏହି କୋହଳ ବ୍ୟବସ୍ଥା କେବଳ ୫ ଅକ୍ଟୋବର, ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ । ଏହି ସୁବିଧା କେବଳ ସେହି କ୍ଷେତ୍ରରେ ଉପଲବ୍ଧ ହେବ ଯେଉଁଠାରେ ପ୍ରକଳ୍ପର ଅତିକମରେ ୫୦ ପ୍ରତିଶତ ଆପାର୍ଟମେଣ୍ଟ ୟୁନିଟ୍ ରେରା କଟ୍-ଅଫ୍ ତାରିଖ (RERA cut-off date) କିମ୍ବା ତା’ ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ (Registered Sale Deeds) ମାଧ୍ୟମରେ ହସ୍ତାନ୍ତର କରାଯାଇ ସାରିଥିବ । ଏହା ବ୍ୟତୀତ, ପଞ୍ଜୀକରଣ ପାଇଁ ପ୍ରସ୍ତାବିତ ଆପାର୍ଟମେଣ୍ଟଟି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ (Odisha Development Authorities Act, 1982) କିମ୍ବା ଓଡ଼ିଶା ସହର ଯୋଜନା ଏବଂ ଉନ୍ନୟନ ଟ୍ରଷ୍ଟ ଅଧିନିୟମ, ୧୯୬ (Odisha Town Planning and Improvement Trust Act, 1956) ଅଧୀନରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଅନୁମୋଦିତ ବିଲ୍ଡିଂ ପ୍ଲାନର ଅଂଶ ବିଶେଷ ହୋଇଥିବା ଆବଶ୍ୟକ ।

ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ କ୍ରେତାମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ, ପ୍ରମୋଟର କିମ୍ବା ଜମି ମାଲିକମାନଙ୍କୁ ପ୍ରକଳ୍ପ ପରିସର ମଧ୍ୟରେ ଅନୁମୋଦିତ ବିଲ୍ଡିଂ ପ୍ଲାନକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ହେବ । ଅବଶିଷ୍ଟ ବିକ୍ରି ହୋଇନଥିବା ଆପାର୍ଟମେଣ୍ଟର ପ୍ରଥମ ବିକ୍ରୟ ଦଲିଲ ପଞ୍ଜୀକରଣ ପୂର୍ବରୁ, ଆଲଟି ଆସୋସିଏସନ ଠାରୁ ଏକ ଅନାପତ୍ତି ପ୍ରମାଣପତ୍ର

ହାସଲ କରିବାକୁ ହେବ, ଯାହା ପ୍ରମାଣିତ କରିବ ଯେ ଅନୁମୋଦିତ ପ୍ଲାନରେ ଥିବା ଆପାର୍ଟମେଣ୍ଟ ନମ୍ବର ସଠିକ୍ ଅଛି। ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସମସ୍ତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିବାକୁ ହେବ ।

ଏହି ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଲାଗୁ ହେବା ପୂର୍ବରୁ ପୂର୍ବ ଆଇନ ଅନୁଯାୟୀ ଗଠିତ କୌଣସି ଆପାର୍ଟମେଣ୍ଟ ଆସୋସିଏସନ କିମ୍ବା ସୋସାଇଟିକୁ କେବଳ ଏହି ଅଧିନିୟମର ଧାରା ୧୫ ଅନୁଯାୟୀ ବାଏ-ଲ’ (Bye-laws) ଗ୍ରହଣ କରିବା ପରେ ହିଁ ସ୍ୱୀକୃତି ଦିଆଯିବ ।

ମନ୍ତ୍ରୀ ଡକ୍ଟର ମହାପାତ୍ର ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ଏହି ଛାଡ଼ କେବଳ ପ୍ରକୃତ (Genuine) ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ବେଆଇନ ନିର୍ମାଣର ନିୟମିତକରଣ ବୋଲି ଧରାଯିବ ନାହିଁ । ବିଲ୍ଡିଂ ନିୟମାବଳୀର ଯେକୌଣସି ଉଲ୍ଲଂଘନ ପାଇଁ ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାରି ରହିବ ।

ଆପାର୍ଟମେଣ୍ଟ ମାଲିକମାନଙ୍କ ଅଧିକାରର ସୁରକ୍ଷା ଏବଂ ସାଧାରଣ ସମ୍ପତ୍ତି ଉପରେ ସାମୁହିକ ମାଲିକାନା ବଜାୟ ରଖିବା ପାଇଁ, ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଧୀନରେ ନିଷ୍ପାଦିତ ପ୍ରତ୍ୟେକ ବିକ୍ରୟ ଦଲିଲରେ ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକରେ ଆଲଟିଙ୍କ ଆନୁପାତିକ ଅବିଭକ୍ତ ସ୍ୱାର୍ଥ/ଅଂଶର ହସ୍ତାନ୍ତର ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବା ଆବଶ୍ୟକ । ଏଭଳି ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକର ମାଲିକାନା ଅଧିକାର ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩ ର ପ୍ରାବଧାନ ଅନୁଯାୟୀ ଆଲଟି ଆସୋସିଏସନ ପାଖରେ ନ୍ୟସ୍ତ ରହିବ ।

ରାଜ୍ୟପାଳଙ୍କ ଆଦେଶକ୍ରମେ ଜାରି ଏବଂ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା ବିଜ୍ଞପ୍ତିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ଦୀର୍ଘ ଦିନରୁ ପଡ଼ିରହିଥିବା ସମ୍ପତ୍ତି ପଞ୍ଜୀକରଣ ସମସ୍ୟାର ସମାଧାନ ଏବଂ ଓଡ଼ିଶାରେ ସହରୀ ଗୃହ ନିର୍ମାଣ ଶାସନ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Continue Reading

Nation

ସୋସିଆଲ ମିଡିଆକୁ ଶସ୍ତା ଏବଂ ନକରାତ୍ମକ କଣ୍ଟେଣ୍ଟରୁ ଦୂରେଇ ରହିବାକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published

on

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଡିଜିଟାଲ୍ କ୍ରିଏଟରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିଟାଲ୍ କ୍ରିଏଟରମାନଙ୍କୁ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ‘ଡିଜିଟାଲ୍ ଆମ୍ବାସଡରସ୍’ ଏବଂ ଭବିଷ୍ୟତର ‘ଓପିନିଅନ ଲିଡରସ୍’ ବୋଲି କହିଛନ୍ତି।

ଡିଜିଟାଲ କ୍ରିଏଟର ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯିଏ ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ‘ରାଷ୍ଟ୍ର ସର୍ବୋପରି’ ହେବା ଉଚିତ। ‘ଦେଶ’ ଏବଂ ‘ସରକାର’ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ସେ କହିଥିଲେ, ଆପଣ ସରକାରଙ୍କୁ ସମାଲୋଚନା କରି ପାରିବେ, କିନ୍ତୁ ସରକାରଙ୍କୁ ସମାଲୋଚନା କରିବା ଆଳରେ ‘ଦେଶକୁ’ ଅସମ୍ମାନ କରିବା କେବେ ବି ଗ୍ରହଣୀୟ ନୁହେଁ । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟିଂ ଯୋଗୁଁ ଯୁବପିଢ଼ି ଯେଭଳି ବିବାଦରେ ଛନ୍ଦି ହୋଇ ନିଜ ଭବିଷ୍ୟତ ନଷ୍ଟ ନକରନ୍ତି, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ କଣ୍ଟେଣ୍ଟ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।

ସେ କହିଥିଲେ, ଆପଣମାନଙ୍କ କଣ୍ଟେଣ୍ଟର ଉଦ୍ଦେଶ୍ୟ କେବଳ ‘ଭିଉଜ୍’ (Views) ବଢ଼ାଇବା କିମ୍ବା କିଛି ସେକେଣ୍ଡର ମନୋରଞ୍ଜନ ମଧ୍ୟରେ ସୀମିତ ନରହି, ସମାଜ ପାଇଁ ଏକ ସୁସ୍ଥ ବାର୍ତ୍ତା ବହନ କରିବା ଆବଶ୍ୟକ। ‘କ୍ଲିକ୍‌ବେଟ୍’ ଏବଂ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରେଇ ରଖି ‘Purpose-Driven Content’ ବା ମହତ ଉଦ୍ଦେଶ୍ୟ ଭିତ୍ତିକ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାକୁ ସେ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆଜିର ‘ଜେନ୍-ଜି’ (Gen-Z) ବା ନୂତନ ପିଢ଼ିର ମାନସିକ ସ୍ଥିତି ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ, ଏହି ପିଢ଼ି ଖୁବ୍ ସ୍ମାର୍ଟ ଓ ସୃଜନଶୀଳ ହୋଇଥିଲେ ମଧ୍ୟ ସୂଚନାର ଅତିରିକ୍ତ ବୋଝ, ଆତ୍ମପରିଚୟର ସଂଘର୍ଷ, ମାନସିକ ଚାପ ଏବଂ ସାଇବର ଜଗତର ନକାରାତ୍ମକତା ଯୋଗୁଁ ବେଳେବେଳେ ବିଭ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଇନଫ୍ଲୁଏନ୍ସରମାନଙ୍କର ଗୋଟିଏ ‘ରିଲ୍’ କିମ୍ବା ‘ଭିଡିଓ’ ହଜାର ହଜାର ଯୁବପିଢ଼ିଙ୍କ ମନୋଭାବକୁ ବଦଳାଇ ଦେଇପାରେ।

ସୋସିଆଲ ମିଡିଆର ବ୍ୟବହାର ଓ ସଂଯମତା ରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ପବିତ୍ର ଭୂମି, ଯେଉଁଠି ‘ବସୁଧୈବ କୁଟୁମ୍ବକମ୍’ର ଶିକ୍ଷା ଦିଆଯାଇଥାଏ। ତେଣୁ କେବଳ ଟିଆରପି (TRP) ପାଇଁ କୌଣସି ବିପଦଜନକ ଷ୍ଟଣ୍ଟ୍, କ୍ଷତିକାରକ ଆହ୍ୱାନ କିମ୍ବା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉଚିତ ନୁହେଁ। ସେହିପରି ଗୁଜବ ଓ ମିଥ୍ୟା ଖବର (Fake News) ବିରୋଧରେ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗଦ୍ବାରା ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶାର ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସ୍ବାସ୍ଥ୍ୟ ବିଶେଷଜ୍ଞ, କଳା ଏବଂ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ସମେତ ସୋସିଆଲ ମିଡିଆର ବହୁ ଇନ୍‌ଫ୍ଲୁଏନ୍‌ସର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସହିତ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ବିଭାଗର ଲୋକସମ୍ପର୍କ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୂଚାରୁରୂପେ ପରିଚାଳନା କରିଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions