Connect with us

ଭୁବନେଶ୍ବର :  ସିଆଇଆଇ ପୂର୍ବାଞ୍ଚଳ ପରିଷଦ ଏହାର ଆଗାମୀ ସମ୍ମିଳନୀ  ଓଡିଶାରେ ଅନୁଷ୍ଠିତ କରିବାକୁ ନିଷ୍ପତି ନେଇଛି।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସିଆଇଆଇ, ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷ ଶ୍ରୀ ଅନୀଲ ସିଂ ଏବଂ ଉପାଧ୍ୟକ୍ଷ ଶ୍ରୀ ମଣିକାନ୍ତ ନାୟକ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଆଗାମୀ ସିଆଇଆଇ ପୂର୍ବାଞ୍ଚଳ ପରିଷଦର ସମ୍ମିଳନୀ ଆୟୋଜନ ସଂପର୍କରେ ଆଲୋଚନା କରିଛନ୍ତି ।

ସିଆଇଆଇ ପୂର୍ବାଞ୍ଚଳ ସମ୍ମିଳନୀରେ ଓଡିଶା ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଏହିସବୁ ରାଜ୍ୟଗୁଡିକର ସମନ୍ୱିତ ଭୂମିକା, ଓଡିଶାର ଅଭିବୃଦ୍ଧି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଦେଶର ରାଷ୍ଟ୍ରଦୂତ ମାନଙ୍କ ଉପରେ ଖୁସୀ ନାହାନ୍ତି ମୋଦୀ

Published

on

ନୂଆଦିଲ୍ଲୀ : ଭାରତ ଦ୍ୱାରା ନିଯୁକ୍ତ ରାଷ୍ଟ୍ରଦୂତମାନଙ୍କ କାର୍ଯ୍ୟକଳାପ ଉପରେ ଖୁସୀ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

ଦେଶର ଭଲ ଛବି ବିଦେଶୀ ଗଣମାଧ୍ୟମରେ ଉପସ୍ଥାପନ କରିବାରେ ରାଷ୍ଟ୍ରଦୂତମାନେ ସଠିକ ପଦକ୍ଷେପ ନେଉ ନାହାନ୍ତି l ପଡୋଶୀ ଦେଶରେ କଣ ସବୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ସେ ସମ୍ପର୍କରେ ଦିଲ୍ଲୀକୁ ଆଗୁଆ ସୂଚନା ଦେବାରେ ସକ୍ଷମ ହେଉ ନାହାନ୍ତି l ଏହି ବୈଠକରେ ଉପସ୍ଥିତ ଥିବା ବାଂଲାଦେଶରେ ରାଜନୈତିକ ନିଯୁକ୍ତି ପାଇଥିବା ରାଷ୍ଟ୍ରଦୂତ ଦୀନେଶ ତ୍ରିବେଦୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଅନୁଭବୀ ଲୋକଙ୍କୁ ହିଁ କୂଟନୀତିଜ୍ଞ ପଦରେ ନୁଯୁକ୍ତି ପାଇଁ ମନୋନୀତ ହେବା ଉଚିତ l

ଭାରତରେ ଆମେରିକାର ନବ ନିଯୁକ୍ତ ରାଷ୍ଟ୍ରଦୂତ ସେର୍ଗେଇ ଗୋର ବେଶ ଚଳ ଚଞ୍ଚଳ ଅଛନ୍ତି l ଯୁକ୍ତରାଷ୍ଟ୍ରର ରାଷ୍ଟ୍ର ସଚିବ ମାର୍କୋ ରୁବିଓ ଆମେରିକା ପ୍ରତିଷ୍ଠାର 250 ପୂର୍ତ୍ତି ଉପଲକ୍ଷେ ଭାରତ ଆଗମନ ପାଇଁ ଗୋର କରିଥିବା ଆୟୋଜନ ବୋଧହୁଏ ମୋଦିଙ୍କୁ ପ୍ରଭାବିତ କରିଛି l ରାଷ୍ଟ୍ର ସଚିବ ରୁବିଓଙ୍କ ପକ୍ଷରୁ 250 ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଭାରତ ମଣ୍ଡପମରେ ହେଉଥିବା ସମସ୍ତ ଆୟୋଜନର ନେତୃତ୍ୱ ନେଉଛନ୍ତି ଗୋର l ରୁବିଓଙ୍କ ସ୍ୱାଗତ ପାଇଁ  ଓ ଉତ୍ସବ ପାଳନ ପାଇଁ ଦିଲ୍ଲୀର 250 ଅଟୋରେ ଆମେରିକାର ପତାକା ଓ ଷ୍ଟିକର ଲଗା ଯିବାର ଯୋଜନା ରହିଛି l

Continue Reading

Nation

ବାବୁଙ୍କ ନିଜସ୍ୱ ଇଲେକ୍ଟ୍ରିକ ଗାଡି ସରକାରୀ କାମରେ ଲାଗିବ, ମାର୍ଗ ଦର୍ଶିକା ଜାରି ପାଇଁ କହିଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର : ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ କାର୍‌କେଡ୍‌’ର ଗାଡ଼ିସଂଖ୍ୟା ଅଧା କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ଏକ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ତି ।

୧- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍‌ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେ ସ୍ଥଳରେ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ଥିବ, ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେବେ ।

୨- ସେହିଭଳି, ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ । ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ । ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ ।

୩- ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ । ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ ।

୪- କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ ।

୫- ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ ।

୬- ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

୭- ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ ।

୮- ସରକାରୀ ଯାନ’ର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍‌ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।

ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Continue Reading

Nation

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬: ପ୍ରସ୍ତୁତ ହେବ ପୂର୍ବ ଭାରତର କୃଷି ରୋଡମ୍ୟାପ

Published

on

ଭୁବନେଶ୍ୱର: ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ବ୍ୟାପକ ରୋଡମ୍ୟାପ୍‌ ସଂପର୍କରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ କ୍ରାନ୍ତିକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି।

କୃଷି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ଚାଷୀ ଓ କୃଷି ବିକାଶର ଭୂୟସୀ ପ୍ରଶଂସା କରିଛନ୍ତି।

 ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ନିଶ୍ଚିତ ରୂପେ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ ବୋଲି ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବର୍ତ୍ତମାନର ବିଶ୍ୱସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରାକୃତିକ ଚାଷ ବା ‘ନେଚୁରାଲ୍ ଫାର୍ମିଂ’ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ସେ ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରତିନିଧି ଓ ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ପ୍ରତ୍ୟେକ କୃଷକ ନିଜ ଚାଷ ଜମିର ଅତିକମରେ ପାଞ୍ଚ ଭାଗରୁ ଭାଗେ (୨୦ ପ୍ରତିଶତ) ଜମିରେ ନିଶ୍ଚିତ ଭାବେ ପ୍ରାକୃତିକ ଚାଷ କରିବା ଆବଶ୍ୟକ। ସେ କହିଥିଲେ ଯେ ରାଜ୍ୟରେ ନକଲି ସାର ଓ କୀଟନାଶକ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ଏବଂ ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ଏକ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ (New Pesticide Act) ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବର୍ତ୍ତମାନ ଓଡ଼ିଶାର ଜୈବିକ ଚାଉଳ (Organic Rice) ବ୍ୟବହାର କରାଯାଉଛି। ଏହା ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗୌରବର ବିଷୟ ଏବଂ ଆଗାମୀ ଦିନରେ କେମିତି ପୂର୍ବ ପ୍ରାନ୍ତରେ ଅଧିକରୁ ଅଧିକ ଜୈବିକ ଚାଷ ହୋଇପାରିବ, ସେଥିପାଇଁ ବ୍ୟାପକ ଗବେଷଣା କରିବାକୁ ସେ କୃଷି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି।

 ଏହାସହ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ପାରମ୍ପରିକ ଖାଦ୍ୟ ଶସ୍ୟ (Forgotten Foods) ଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସମୃଦ୍ଧ କୃଷକ ଯୋଜନା’ରେ ଚାଷୀଙ୍କୁ ବଡ଼ ଆଶ୍ୱାସନା ଦେଇ ପ୍ରତି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯାଉଛି, ଯାହାଦ୍ୱାରା ଗତ ଖରିଫ୍ ଋତୁରେ ପ୍ରାୟ ୧୯ ଲକ୍ଷ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି। ଏହା ବ୍ୟତୀତ ‘ସିଏମ କିଷାନ’ ଯୋଜନା ମାଧ୍ୟମରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ବାର୍ଷିକ ୪,୦୦୦ ଟଙ୍କା ଦିଆଯାଉଛି, ଯାହା କେନ୍ଦ୍ର ସରକାରଙ୍କ ପିଏମ କିଷାନ ସହିତ ମିଶି ଚାଷୀଙ୍କ ହାତରେ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ରାଶି ପହଞ୍ଚାଉଛି।

ରାଜ୍ୟରେ କୃଷି ଭିତ୍ତିଭୂମି ଓ ବଜାର ସଂଯୋଗୀକରଣକୁ ମଜବୁତ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୫୮ଟି ସବ୍-ଡିଭିଜନରେ ଶୀତଳ ଭଣ୍ଡାର (Cold Storage) ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରାଯାଇଛି ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ କୃଷି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଓଡ଼ିଶାରେ ୧୮୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (FPO) ସଫଳତାର ସହ କାର୍ଯ୍ୟ କରି ଗତ ଦୁଇ ବର୍ଷରେ ୧୨୬ କୋଟି ଟଙ୍କାର କାରବାର କରିଛନ୍ତି।

 ଏହାସହ କୋରାପୁଟ, କଳାହାଣ୍ଡି ଭଳି ୬ଟି ଜିଲ୍ଲାରେ ଏକ ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି । ବିଶ୍ୱ ବଜାରରେ ଓଡ଼ିଶାର କୋରାପୁଟ କଫିର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ମତ ଦେଇ ଏହାର branding ଆହୁରି ଭଲ ଭାବରେ କରାଯାଇ ଏହାର ଚାହିଦା ଅଧିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ସମ୍ମିଳନୀ ପୂର୍ବ ଭାରତର ୫ଟି ରାଜ୍ୟକୁ ପରସ୍ପରର ଶ୍ରେଷ୍ଠ ପ୍ରଣାଳୀ (Best Practices) ଓ ଅନୁଭୂତିରୁ ଶିଖିବାରେ ଏକ ବଡ଼ ସୁଯୋଗ ଦେବ।

ଏହି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ବିହାରର କୃଷିମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଏବଂ ଛତିଶଗଡ଼ର କୃଷିମନ୍ତ୍ରୀ ଶ୍ରୀ ରାମ ବିଚାର ନେତାମ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହିତ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମ ନାଥ ଠାକୁର, କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ, ପଶ୍ଚିମବଙ୍ଗ ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଶୋକ କୀର୍ତ୍ତନିଆ, କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତିଶ ଚନ୍ଦ୍ର ଏବଂ କେନ୍ଦ୍ରୀୟ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ମଙ୍ଗିଲାଲ୍ ଜାଟ୍ ମଧ୍ୟ ମଞ୍ଚାସୀନ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions