Connect with us

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍‌ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ (Trimetro Garments India Pvt Ltd) ଏବଂ ପରବର୍ତ୍ତୀ ସମୟରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ (Anadrone Systems) ପରିସର ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ଟିମ୍ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।

ଏହି ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ Trimetro Garments କାରଖାନାର କର୍ମଚାରୀମାନଙ୍କ ସହ ଅତି ନିବିଡ଼ ଭାବେ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ କର୍ମଚାରୀମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶିଳ୍ପାନୁକୂଳ ଓ ନିଯୁକ୍ତିଭିତ୍ତିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆଉ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ। ନିଜ ମାଟିରେ ରହି ସ୍ୱାବଲମ୍ବୀ ହେବାରେ ସେମାନେ ଗର୍ବ ଓ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ଏଭଳି ବସ୍ତ୍ର ଶିଳ୍ପଗୁଡ଼ିକ ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀ ମାନେ କହିଛନ୍ତି ।

କର୍ମଚାରୀ ମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀ ମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗର ବିକାଶ ଉପରେ ସବିଶେଷ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ ।

ବିଶେଷ କରି କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କର୍ମଚାରୀଙ୍କ ରହିବା ନିମନ୍ତେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ସେମାନଙ୍କ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି (EV) ବସ୍ ସେବା ପ୍ରଦାନ କରାଯିବ।

ଆଗାମୀ ଦିନରେ ଏହି ଅଞ୍ଚଳରେ ଏଭଳି ଆହୁରି ଅନେକ ନୂତନ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବ। ଏହି ବୃହତ ଶିଳ୍ପଗୁଡ଼ିକୁ ଆଧାର କରି ଏଠାରେ ଏକାଧିକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଓଡ଼ିଶାର ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସମ୍ପର୍କରେ ଏକ ଦୃଢ଼ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକ ସଂକଳ୍ପ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ। ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ଅତି ସତର୍କତା ଓ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛନ୍ତି।

ସୂଚନା ଯୋଗ୍ୟ ଯେ ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ହେଉଛି ବିଶ୍ୱ ସ୍ତରୀୟ ବସ୍ତ୍ର ଉତ୍ପାଦନ ସଂସ୍ଥା EPIC Groupର ଏକ କମ୍ପାନୀ ।ଟ୍ରାଇମେଟ୍ରୋ ପ୍ରଥମ ଥର ପାଇଁ ଭାରତରେ ତାର ଉତ୍ପାଦନ ଆରମ୍ଭ କରିଛି।

ଏହି କମ୍ପାନୀ ପାଇଁ ୨୦୨୫ ଏପ୍ରିଲ୍ ୩ ତାରିଖରେ ଶିଳାନ୍ୟାସ କରାଯାଇଥିଲା। ମାତ୍ର ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ଉଦଘାଟନ କରାଯାଇ ଉତ୍ପାଦନ ଆରମ୍ଭ ହୋଇଛି।ଶିଳ୍ପାୟନ ପ୍ରକ୍ରିୟାକୁ ରାଜ୍ୟ ସରକାର କେତେ କ୍ଷୀପ୍ର ଗତିରେ କାର୍ଯ୍ୟକାରୀ କରୁଛନ୍ତି, ଏହି ଶିଳ୍ପ ତାର ପ୍ରମାଣ।

ଖୋର୍ଦ୍ଧାରେ ସ୍ଥାପିତ ଏହି ପ୍ଲାଣ୍ଟ ୩୭୬ କୋଟି ଟଙ୍କାରେ ସ୍ଥାପିତ ହୋଇଛି। ଏହାଦ୍ୱାରା ପ୍ରାୟ ୭୦୦୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିରୁ ଅଧିକାଂଶ ହେଉଛନ୍ତି ମହିଳା। ଏହି କମ୍ପାନୀ ବିଶ୍ୱ ସ୍ତରୀୟ ଫେସନ ବ୍ରାଣ୍ଡ ୟୁନିକଲୋ (Uniqlo) ପାଇଁ ଉତ୍ପାଦନ କରୁଛି। ଏହାଦ୍ୱାରା ବିଶ୍ୱ ଫେସନ ମ୍ୟାପରେ ଓଡ଼ିଶା ସ୍ଥାନ ପାଇ ପାରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  Anadrone Systems Private Limitedର ସିଇଓ ଶ୍ରୀ ଅନନ୍ତ ଭାଲୋଟିଆଙ୍କ ସହ ଆଲୋଚନା କରି ଅପରେସନ୍ “ସିନ୍ଦୂର”ରେ ଡ୍ରୋନ୍ Technology ର ସଫଳ ବ୍ୟବହାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଡ୍ରୋନ୍ Technology ୧୦୦ ପ୍ରତିଶତ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କମ୍ପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ଉନ୍ନତ ବୈଷୟିକ ଦକ୍ଷତା ଦେଶର ସୁରକ୍ଷାକୁ ଆହୁରି ସୁଦୃଢ କରୁଛି ଏବଂ ସେମାନେ ଦେଶକୁ ସୁରକ୍ଷିତ ରଖିବାରେ ବିଶେଷ ଭୂମିକା ରଖୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସଫଳତା ଓଡ଼ିଶା ପାଇଁ ମଧ୍ୟ ଗୌରବାନ୍ୱିତ ।

ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଦେଖିଥିଲେ। ଏଥିରେ ରହିଛି Aerial Targets, Target Launchers & Trailers, Ground Support Equipment ଏବଂ Ground Stations.

ଭବିଷ୍ୟତରେ ଏହି ସବୁ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଁଥିଲେ।

 

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶାରେ ଅନୁଷ୍ଠିତ ହେବ  ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ 

Published

on

ଭୁବନେଶ୍ବର :  ସିଆଇଆଇ ପୂର୍ବାଞ୍ଚଳ ପରିଷଦ ଏହାର ଆଗାମୀ ସମ୍ମିଳନୀ  ଓଡିଶାରେ ଅନୁଷ୍ଠିତ କରିବାକୁ ନିଷ୍ପତି ନେଇଛି।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସିଆଇଆଇ, ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷ ଶ୍ରୀ ଅନୀଲ ସିଂ ଏବଂ ଉପାଧ୍ୟକ୍ଷ ଶ୍ରୀ ମଣିକାନ୍ତ ନାୟକ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଆଗାମୀ ସିଆଇଆଇ ପୂର୍ବାଞ୍ଚଳ ପରିଷଦର ସମ୍ମିଳନୀ ଆୟୋଜନ ସଂପର୍କରେ ଆଲୋଚନା କରିଛନ୍ତି ।

ସିଆଇଆଇ ପୂର୍ବାଞ୍ଚଳ ସମ୍ମିଳନୀରେ ଓଡିଶା ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଏହିସବୁ ରାଜ୍ୟଗୁଡିକର ସମନ୍ୱିତ ଭୂମିକା, ଓଡିଶାର ଅଭିବୃଦ୍ଧି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

Continue Reading

Nation

ଦେଶର ରାଷ୍ଟ୍ରଦୂତ ମାନଙ୍କ ଉପରେ ଖୁସୀ ନାହାନ୍ତି ମୋଦୀ

Published

on

ନୂଆଦିଲ୍ଲୀ : ଭାରତ ଦ୍ୱାରା ନିଯୁକ୍ତ ରାଷ୍ଟ୍ରଦୂତମାନଙ୍କ କାର୍ଯ୍ୟକଳାପ ଉପରେ ଖୁସୀ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

ଦେଶର ଭଲ ଛବି ବିଦେଶୀ ଗଣମାଧ୍ୟମରେ ଉପସ୍ଥାପନ କରିବାରେ ରାଷ୍ଟ୍ରଦୂତମାନେ ସଠିକ ପଦକ୍ଷେପ ନେଉ ନାହାନ୍ତି l ପଡୋଶୀ ଦେଶରେ କଣ ସବୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ସେ ସମ୍ପର୍କରେ ଦିଲ୍ଲୀକୁ ଆଗୁଆ ସୂଚନା ଦେବାରେ ସକ୍ଷମ ହେଉ ନାହାନ୍ତି l ଏହି ବୈଠକରେ ଉପସ୍ଥିତ ଥିବା ବାଂଲାଦେଶରେ ରାଜନୈତିକ ନିଯୁକ୍ତି ପାଇଥିବା ରାଷ୍ଟ୍ରଦୂତ ଦୀନେଶ ତ୍ରିବେଦୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଅନୁଭବୀ ଲୋକଙ୍କୁ ହିଁ କୂଟନୀତିଜ୍ଞ ପଦରେ ନୁଯୁକ୍ତି ପାଇଁ ମନୋନୀତ ହେବା ଉଚିତ l

ଭାରତରେ ଆମେରିକାର ନବ ନିଯୁକ୍ତ ରାଷ୍ଟ୍ରଦୂତ ସେର୍ଗେଇ ଗୋର ବେଶ ଚଳ ଚଞ୍ଚଳ ଅଛନ୍ତି l ଯୁକ୍ତରାଷ୍ଟ୍ରର ରାଷ୍ଟ୍ର ସଚିବ ମାର୍କୋ ରୁବିଓ ଆମେରିକା ପ୍ରତିଷ୍ଠାର 250 ପୂର୍ତ୍ତି ଉପଲକ୍ଷେ ଭାରତ ଆଗମନ ପାଇଁ ଗୋର କରିଥିବା ଆୟୋଜନ ବୋଧହୁଏ ମୋଦିଙ୍କୁ ପ୍ରଭାବିତ କରିଛି l ରାଷ୍ଟ୍ର ସଚିବ ରୁବିଓଙ୍କ ପକ୍ଷରୁ 250 ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଭାରତ ମଣ୍ଡପମରେ ହେଉଥିବା ସମସ୍ତ ଆୟୋଜନର ନେତୃତ୍ୱ ନେଉଛନ୍ତି ଗୋର l ରୁବିଓଙ୍କ ସ୍ୱାଗତ ପାଇଁ  ଓ ଉତ୍ସବ ପାଳନ ପାଇଁ ଦିଲ୍ଲୀର 250 ଅଟୋରେ ଆମେରିକାର ପତାକା ଓ ଷ୍ଟିକର ଲଗା ଯିବାର ଯୋଜନା ରହିଛି l

Continue Reading

Nation

ବାବୁଙ୍କ ନିଜସ୍ୱ ଇଲେକ୍ଟ୍ରିକ ଗାଡି ସରକାରୀ କାମରେ ଲାଗିବ, ମାର୍ଗ ଦର୍ଶିକା ଜାରି ପାଇଁ କହିଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର : ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ କାର୍‌କେଡ୍‌’ର ଗାଡ଼ିସଂଖ୍ୟା ଅଧା କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ଏକ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ତି ।

୧- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍‌ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେ ସ୍ଥଳରେ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ଥିବ, ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେବେ ।

୨- ସେହିଭଳି, ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ । ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ । ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ ।

୩- ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ । ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ ।

୪- କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ ।

୫- ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ ।

୬- ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

୭- ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ ।

୮- ସରକାରୀ ଯାନ’ର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍‌ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।

ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions