ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ (Trimetro Garments India Pvt Ltd) ଏବଂ ପରବର୍ତ୍ତୀ ସମୟରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ (Anadrone Systems) ପରିସର ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ଟିମ୍ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।
ଓଡ଼ିଶାର ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସମ୍ପର୍କରେ ଏକ ଦୃଢ଼ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକ ସଂକଳ୍ପ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ। ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ଅତି ସତର୍କତା ଓ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛନ୍ତି।
ସୂଚନା ଯୋଗ୍ୟ ଯେ ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ହେଉଛି ବିଶ୍ୱ ସ୍ତରୀୟ ବସ୍ତ୍ର ଉତ୍ପାଦନ ସଂସ୍ଥା EPIC Groupର ଏକ କମ୍ପାନୀ ।ଟ୍ରାଇମେଟ୍ରୋ ପ୍ରଥମ ଥର ପାଇଁ ଭାରତରେ ତାର ଉତ୍ପାଦନ ଆରମ୍ଭ କରିଛି।
ଏହି କମ୍ପାନୀ ପାଇଁ ୨୦୨୫ ଏପ୍ରିଲ୍ ୩ ତାରିଖରେ ଶିଳାନ୍ୟାସ କରାଯାଇଥିଲା। ମାତ୍ର ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ଉଦଘାଟନ କରାଯାଇ ଉତ୍ପାଦନ ଆରମ୍ଭ ହୋଇଛି।ଶିଳ୍ପାୟନ ପ୍ରକ୍ରିୟାକୁ ରାଜ୍ୟ ସରକାର କେତେ କ୍ଷୀପ୍ର ଗତିରେ କାର୍ଯ୍ୟକାରୀ କରୁଛନ୍ତି, ଏହି ଶିଳ୍ପ ତାର ପ୍ରମାଣ।
ଖୋର୍ଦ୍ଧାରେ ସ୍ଥାପିତ ଏହି ପ୍ଲାଣ୍ଟ ୩୭୬ କୋଟି ଟଙ୍କାରେ ସ୍ଥାପିତ ହୋଇଛି। ଏହାଦ୍ୱାରା ପ୍ରାୟ ୭୦୦୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିରୁ ଅଧିକାଂଶ ହେଉଛନ୍ତି ମହିଳା। ଏହି କମ୍ପାନୀ ବିଶ୍ୱ ସ୍ତରୀୟ ଫେସନ ବ୍ରାଣ୍ଡ ୟୁନିକଲୋ (Uniqlo) ପାଇଁ ଉତ୍ପାଦନ କରୁଛି। ଏହାଦ୍ୱାରା ବିଶ୍ୱ ଫେସନ ମ୍ୟାପରେ ଓଡ଼ିଶା ସ୍ଥାନ ପାଇ ପାରିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ Anadrone Systems Private Limitedର ସିଇଓ ଶ୍ରୀ ଅନନ୍ତ ଭାଲୋଟିଆଙ୍କ ସହ ଆଲୋଚନା କରି ଅପରେସନ୍ “ସିନ୍ଦୂର”ରେ ଡ୍ରୋନ୍ Technology ର ସଫଳ ବ୍ୟବହାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଡ୍ରୋନ୍ Technology ୧୦୦ ପ୍ରତିଶତ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କମ୍ପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ଉନ୍ନତ ବୈଷୟିକ ଦକ୍ଷତା ଦେଶର ସୁରକ୍ଷାକୁ ଆହୁରି ସୁଦୃଢ କରୁଛି ଏବଂ ସେମାନେ ଦେଶକୁ ସୁରକ୍ଷିତ ରଖିବାରେ ବିଶେଷ ଭୂମିକା ରଖୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସଫଳତା ଓଡ଼ିଶା ପାଇଁ ମଧ୍ୟ ଗୌରବାନ୍ୱିତ ।
ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଦେଖିଥିଲେ। ଏଥିରେ ରହିଛି Aerial Targets, Target Launchers & Trailers, Ground Support Equipment ଏବଂ Ground Stations.
ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଉପସ୍ଥିତ ଥିଲେ।