Connect with us

ବୁଗୁଡ଼ା (ଗଞ୍ଜାମ) :  ଓଡିଶାର ଅନ୍ୟତମ ପ୍ରମୁଖ ଶୈବ ପୀଠ ବୁଦ୍ଧଖୋଲରେ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିବାକୁ ରାଜ୍ୟ ମସ୍ୟ ଓ ପଶୁ ସମ୍ପଦ ତଥା ଏମ ଏସ ଏମ ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି l

ଆଜି ଏଠାରେ ବୁଦ୍ଧଖୋଲ ପାଦଦେଶରେ ଥିବା ରାଜ୍ୟ ପର୍ଯ୍ୟଟନ ନିଗମର ସମ୍ମିଳନୀ କକ୍ଷରେ ଆସନ୍ତା କାର୍ତିକ ମାସ ପ୍ରତେକ ସୋମବାର ଓ ପୂର୍ଣ୍ଣମୀ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମିତି ସଭାପତି ଏବଂ ମଛ୳,ପଶୁ ସମ୍ପଦ ଓ ଏମ ଏସ ଏମ ଇ ବିଭାଗ  ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ସାଧାରଣ ସମ୍ପାଦକ ଗଙ୍ଗାଧର ବିଶୋଇ ବୈଠକ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସଙ୍ଗେସଙ୍ଗେ ସମସ୍ତଙ୍କୁ ସ୍ଵାଗତ , ଅତିଥି ପରିଚୟ ପ୍ରଦାନ, ଆସନ ଅଳଙ୍କୃତ ନିମନ୍ତ୍ରଣ କରିଥିଲେ l

କାର୍ତିକ ମାସରେ ପାନୀୟଜଳ ଯୋଗାଣ, ରାସ୍ତା ସଫା, ମନ୍ଦିର ଚତୁର୍ଦ୍ଦିଗ ସଫା, ଯାନବାହାନ ଚଳାଚଳ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଧାଡ଼ି ଦର୍ଶନ, ପାର୍କିଂ ବ୍ୟବସ୍ଥା ,ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥା, ଅଧିକା 4 CC କ୍ୟାମେରା ସଂଯୋଗ,ଶୃଙ୍ଖଳା ଏବଂ ଆନୁସାଙ୍ଗୀକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l

ମନ୍ତ୍ରୀ ମଲ୍ଲିକ ଉପରୋକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ l ମୋଟା ମୋଟି ଭାବେ ପଞ୍ଚ ମହାଦେବ ପୀଠରେ ସୋମବାର ଓ ପୂର୍ଣ୍ଣମୀ ଭବ୍ୟ ଦିବ୍ୟ ଭାବେ ପାଳନ ଉପରେ ଗୁରୁତ୍ବ ଦେଇଥିଲେ l ଏଥି ସହିତ ବୁଦ୍ଧଖୋଲ ଉନ୍ନୟନ ସମିତି ଟ୍ରଷ୍ଟ ନଵୀକରଣ ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟରେ କରିବା ପାଇଁ ମିଳିତ ଭାବେ ଟ୍ରଷ୍ଟ କର୍ମକର୍ତ୍ତା ଓ ବୁଗୁଡ଼ା ବିଡ଼ିଓ, ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ବୈଠକରେ ସମିତିର କାର୍ଯ୍ୟକାରୀ ସଭାପତି ଟି. ସଂଜୀବ କୁମାର ପାତ୍ର, ଉପ ସଭାପତି ଗଙ୍ଗାଧର ନାୟକ, ସାଧାରଣ ସମ୍ପାଦକ ଗଙ୍ଗାଧର ବିଶୋଇ, ସମ୍ପାଦକ ହରିକୃଷ୍ନ ସାହୁ, ସହ ସମ୍ପାଦକ କେଦାରନାଥ ମହାରଣା, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଗୌର ଚରଣ ପ୍ରଧାନ, ଇଂ. ବସନ୍ତ କୁମାର ଦଲେଇ, ବିଡ଼ିଓ ଦ୍ଵିତୀକୃଷ୍ଣ ପାତ୍ର, ତହସିଲଦାର  ତାପସ ରାଉତ, ଆରଡବ୍ଲୁଏସଏସ ଆସିଷ୍ଟାଣ୍ଟ ଇଞ୍ଜିନିଅର ତ୍ରିପାଠୀ,  ଟିପିଏସଓଡିଏଲ  ଆସିଷ୍ଟାଣ୍ଟ ଇଞ୍ଜିନିଅର  ପୃଥିବୀରାଜ ଦାସ ,ପୁଲିସ ପ୍ରତିନିଧି, ଅଗ୍ନିସମ ବିଭାଗ ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ପ୍ରମୁଖ ମଞ୍ଚାସୀନ ଥିଲେ l

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଇଣ୍ଡିଆ କେମ୍ ୨୦୨୬: ମୁଖ୍ୟମନ୍ତ୍ରୀ କହିଲେ କେମିକାଲ୍ ଅର୍ଥନୀତି ମୁହାଁ ଓଡ଼ିଶା ଶିଳ୍ପାୟାନ

Published

on

ମୁମ୍ବାଇ/ଭୁବନେଶ୍ୱର : ମୁମ୍ବାଇର ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ ‘ଇଣ୍ଡିଆ କେମ୍ ୨୦୨୬’ (India Chem 2026)ର ୧୪ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଫିକି (FICCI)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ମହାକୁମ୍ଭରେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍-ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର କରାଇବାର ସଂକଳ୍ପ ପ୍ରକାଶ କରିଛନ୍ତି।

୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ୍ ଡଲାରର କେମିକାଲ୍ ଅର୍ଥନୀତି ଲକ୍ଷ୍ୟକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଏବଂ ସମୃଦ୍ଧ ଓଡ଼ିଶାର ଅଂଶୀଦାର ହେବାକୁ ଆହ୍ୱାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ଖଣିଭିତ୍ତିକ ଅର୍ଥନୀତିରୁ ଏକ କେମିକାଲ୍-ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର ହେବାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ରାଜ୍ୟର ଖଣିଜ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି ଏବଂ ନୂତନ ନିବେଶ ସୁଯୋଗଗୁଡ଼ିକୁ କାମରେ ଲଗାଇ ଏହି ରୂପାନ୍ତରଣ କରାଯିବ ବୋଲି ସେ ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପାରାଦୀପ, ଗୋପାଳପୁର ଏବଂ ଧାମରା ବନ୍ଦର ମାଧ୍ୟମରେ ଓଡ଼ିଶାର ରଣନୈତିକ ସୁବିଧାଗୁଡ଼ିକୁ ଆଲୋକପାତ କରିଥିଲେ, ଯାହାକି ଆଭ୍ୟନ୍ତରୀଣ ଏବଂ ଆନ୍ତର୍ଜାତିକ ବଜାର ସହିତ ସଂଯୋଗ ସ୍ଥାପନ କରିବାରେ ସହାୟକ ହେଉଛି। ସେ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ (PCPIR), ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ଼ର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କର ଗୁରୁତ୍ୱକୁ କହି ପଲିମର, ପ୍ୟାକେଜିଂ ଏବଂ ଟେକ୍ନିକାଲ୍ ଟେକ୍ସଟାଇଲ୍ସ କ୍ଷେତ୍ରରେ ଡାଉନ୍‌ଷ୍ଟ୍ରିମ୍ ସୁଯୋଗ ସୃଷ୍ଟି କରୁଛି ବୋଲି କହିଥିଲେ ।

ଗୋପାଳପୁରରେ ରେଫ୍ରିଜରେଣ୍ଟ୍ସ, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ତଥା ତାଳଚେର ଏବଂ ଲଖନପୁରରେ କୋଇଲା ଗ୍ୟାସୀକରଣ ଭିତ୍ତିକ ପ୍ରକଳ୍ପଗୁଡ଼ିକରେ ଉତ୍ପନ୍ନ ହେଉଥିବା ନୂତନ ସୁଯୋଗଗୁଡ଼ିକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ବିକାଶଗୁଡ଼ିକ ଆଭ୍ୟନ୍ତରୀଣ ଉତ୍ପାଦନକୁ ଦୃଢ଼ କରିବା ଏବଂ ଭାରତର କେମିକାଲ୍ ଓ ପେଟ୍ରୋକେମିକାଲ୍ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଭୂମିକାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ବୋଲି ସେ ମତପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଓଡ଼ିଶାରେ ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି, ଯାହାକି ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶକୁ ପ୍ରତିନିଧିତ୍ୱ କରୁଛି। ରାଜ୍ୟରେ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ପ୍ରାପ୍ତ ହୋଇଛି, ଯେଉଁଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକକୁ ହାଇ-ଲେଭେଲ୍ କ୍ଲିୟରାନ୍ସ ଅଥରିଟି (HLCA) ଅନୁମୋଦନ ପ୍ରଦାନ କରିଛନ୍ତି।

ସେ ସେପ୍ଟେମ୍ବର ୨୦୨୬ରେ ୟୁଏଇ (UAE) ଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀକୁ ମଧ୍ୟ ସ୍ମରଣ କରିଥିଲେ, ଯେଉଁଠାରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା; ଯେଉଁଥିରେ ଆନ୍ତର୍ଜାତିକ ହୋଲ୍ଡିଂ କମ୍ପାନୀ (IHC) ରୁ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅନେକ କେମିକାଲ୍ସ, ପେଟ୍ରୋକେମିକାଲ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହିତ ଜଡ଼ିତ।

ରାଜ୍ୟର ଶିଳ୍ପ-ଅନୁକୂଳ ମନୋଭାବକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଉପସ୍ଥାପନ କରି ଶ୍ରୀ ମାଝୀ ଓଡ଼ିଶାର ଶିଳ୍ପ ନୀତି ସହାୟତା, ଭିତ୍ତିଭୂମି, ଦକ୍ଷ ଶ୍ରମଶକ୍ତି ଏବଂ ପ୍ରତିଷ୍ଠାନିକ ଇକୋସିଷ୍ଟମକୁ ପ୍ରଶଂସା କରିଥିଲେ। ଏଥିରେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ICT) ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CIPET) ମାଧ୍ୟମରେ ମିଳୁଥିବା ସହଯୋଗ ମଧ୍ୟ ସାମିଲ ରହିଛି।

ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଉପସ୍ଥିତ ଥିଲେ।

Continue Reading

Nation

ଓଡିଶା ମୁଖ୍ୟମନ୍ତ୍ରୀ ବଢ଼ାଇଲେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକାଳ, ନିର୍ମାଣ ହେବ  ଅଧିକ ୨,୯୧,୬୬୬ ନୂଆ ଘର

Published

on

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳ

 

ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ।

ସୂଚନାଯୋଗ୍ୟ ଯେ, ଏହି ଯୋଜନାର ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୭,୫୫୦ କୋଟି ଟଙ୍କା ପୂର୍ବ ପରି ଅପରିବର୍ତ୍ତିତ ରହିବ। ତେବେ ଏହି ପ୍ରକଳ୍ପର ୩,୫୦୦ କୋଟି ଟଙ୍କା ରିପେୟାରିଙ୍ଗ୍ କମ୍ପୋନେଣ୍ଟକୁ ନୂଆ ଘର ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଛି।

ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ୪୮, ୫୦୦ ଟଙ୍କା କିମ୍ବା ତା ଠାରୁ କମ ପାଇଥିବେ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହେବେ। ଏଥିପାଇଁ ନୂଆ ହିତାଧିକାରୀ ଚିହ୍ନଟ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଯୋଜନାରେ ପୂର୍ବ ନିର୍ଦ୍ଧାରିତ ପ୍ରୋତ୍ସାହନ ରାଶି ପରିମାଣରେ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ୪ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ୬ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ୭ ମାସରେ ଘର ଶେଷ କଲେ ୨୦ ହଜାର ଟଙ୍କା ମିଳିବ। U

ଏହାଦ୍ୱାରା ଆହୁରି ଅଧିକ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ୫ ଲକ୍ଷ ପରିବାରଙ୍କ ପାଇଁ ଘର ନିର୍ମାଣ କରିବାର ଲକ୍ଷ୍ୟ ରହିଥିଲା। ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିବେ ତଥା ଗରିବ ଓ ଅସହାୟ ଥିବେ, ସେହିମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

Continue Reading

Nation

ବଡ଼ମ୍ବା ଓ ଆସିକା ଆଖୁ ଚାଷୀଙ୍କ ପାଇଁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି 

Published

on

ଭୁବନେଶ୍ୱର : ରାଜ୍ୟର ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ଆଜି “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 PACS ଓ LAMPCS ର ମେଗା ମେମ୍ବରସିପ୍ ଡ୍ରାଇଭ୍ ‘ସମ୍ବନ୍ଧ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଖୁ ଚାଷୀମାନଙ୍କୁ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ଉନ୍ନତମାନର ଆଖୁ ବିହନ ଯୋଗାଇବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଓଡ଼ିଶା ଆଜି ଭାରତର ପ୍ରଥମ ରାଜ୍ୟ ଭାବେ ନିଜର ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ଏହି ନୂତନ ନୀତି ଅଧୀନରେ PACS ଓ LAMPCS ଗୁଡ଼ିକୁ କେବଳ ଋଣ ପ୍ରଦାନ ମଧ୍ୟରେ ସୀମିତ ନରଖି ଗ୍ରାମାଞ୍ଚଳର ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି। ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା MSP ପ୍ରଦାନ କରାଯାଉଥିବା ବେଳେ ଗୋଟିଏ ଛାତ ତଳେ ସାର, ବିହନ, ଆଧୁନିକ କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଯୋଗାଇ ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି ନୂତନ Consumer Store, ୭୦ଟି ପ୍ୟାକ୍ସର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର, ୨୧ଟି ପ୍ୟାକ୍ସରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ୪ଟି ଆଦର୍ଶ ମଣ୍ଡି ଏବଂ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ୩ଟି ଶସ୍ୟ ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମବାୟ ସମିତିଗୁଡ଼ିକର କାର୍ଯ୍ୟଶୈଳୀକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ National PACS Software ମାଧ୍ୟମରେ କୋର୍ ବ୍ୟାଙ୍କିଙ୍ଗ୍ ଓ ରିଅଲ-ଟାଇମ ସେଟେଲମେଣ୍ଟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୩୦୦ଟି ପ୍ୟାକ୍ସରେ NLPS ମାଧ୍ୟମରେ ଅନ୍‌ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ୩୨୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀମାନଙ୍କୁ ଲାଭାଂଶ ପ୍ରଦାନ କରିଛନ୍ତି । ଏହି ପ୍ରକ୍ରିୟାରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ ।

।

ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ।

ଏହି ସମାରୋହରେ ସମବାୟ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ ସମବାୟ ମାଧ୍ୟମରେ ହିଁ ଗ୍ରାମୀଣ ଅର୍ଥନୀତିର ଦ୍ରୁତ ବିକାଶ ସମ୍ଭବ ବୋଲି ପ୍ରକାଶ କରି ପ୍ରତ୍ୟେକ ପରିବାରରୁ ଅନ୍ୟୁନପକ୍ଷେ ଜଣେ ସଦସ୍ୟକୁ ସମବାୟ ସହିତ ଯୋଡିବାର ମୂଳ ଲକ୍ଷ୍ୟ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି କହିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ସମବାୟ ବିଭାଗ ପକ୍ଷରୁ ହାସଲ ହୋଇଥିବା ବିଭିନ୍ନ ଉପଲବ୍‌ଧି ଉପରେ ଆଲୋକପାତ କରି ସେ କହିଥିଲେ ଆମ ସରକାରରେ ଏବେ ସମବାୟ ସମିତି ଗୁଡ଼ିକ ଆଉ କ୍ଷତିଗ୍ରସ୍ତ ଅନୁଷ୍ଠାନ ନୁହେଁ, ବରଂ ଏକ ସ୍ୱାବଲମ୍ୱୀ ଓ ଲାଭଜନକ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମବାୟ କ୍ଷେତ୍ରର ସୁଦୃଢ଼ୀକରଣ ଓ ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ଏହି କାର୍ଯ୍ୟକ୍ରମରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ମନିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ୟାକ୍ସର ଓ ଲ୍ୟାମ୍ପସ୍‌ର ସଦସ୍ୟ, ସମବାୟବିତ, ବିଭାଗୀୟ ଅଧିକାରୀ ଓ ଚାଷୀ ଭାଇଭଉଣୀ ଉପସ୍ଥିତ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions