ଭୁବନେଶ୍ୱର : ରାଜ୍ୟର ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
PACS ଓ LAMPCS ର ମେଗା ମେମ୍ବରସିପ୍ ଡ୍ରାଇଭ୍ ‘ସମ୍ବନ୍ଧ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଖୁ ଚାଷୀମାନଙ୍କୁ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ଉନ୍ନତମାନର ଆଖୁ ବିହନ ଯୋଗାଇବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଆଜି ଭାରତର ପ୍ରଥମ ରାଜ୍ୟ ଭାବେ ନିଜର ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ଏହି ନୂତନ ନୀତି ଅଧୀନରେ PACS ଓ LAMPCS ଗୁଡ଼ିକୁ କେବଳ ଋଣ ପ୍ରଦାନ ମଧ୍ୟରେ ସୀମିତ ନରଖି ଗ୍ରାମାଞ୍ଚଳର ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି। ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା MSP ପ୍ରଦାନ କରାଯାଉଥିବା ବେଳେ ଗୋଟିଏ ଛାତ ତଳେ ସାର, ବିହନ, ଆଧୁନିକ କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଯୋଗାଇ ଦିଆଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି ନୂତନ Consumer Store, ୭୦ଟି ପ୍ୟାକ୍ସର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର, ୨୧ଟି ପ୍ୟାକ୍ସରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରିବା ସହିତ ୪ଟି ଆଦର୍ଶ ମଣ୍ଡି ଏବଂ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ୩ଟି ଶସ୍ୟ ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ସମବାୟ ସମିତିଗୁଡ଼ିକର କାର୍ଯ୍ୟଶୈଳୀକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ National PACS Software ମାଧ୍ୟମରେ କୋର୍ ବ୍ୟାଙ୍କିଙ୍ଗ୍ ଓ ରିଅଲ-ଟାଇମ ସେଟେଲମେଣ୍ଟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୩୦୦ଟି ପ୍ୟାକ୍ସରେ NLPS ମାଧ୍ୟମରେ ଅନ୍ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ୩୨୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ଚାଷୀମାନଙ୍କୁ ଲାଭାଂଶ ପ୍ରଦାନ କରିଛନ୍ତି । ଏହି ପ୍ରକ୍ରିୟାରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ ।
।
ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ।
ଏହି ସମାରୋହରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସମବାୟ ମାଧ୍ୟମରେ ହିଁ ଗ୍ରାମୀଣ ଅର୍ଥନୀତିର ଦ୍ରୁତ ବିକାଶ ସମ୍ଭବ ବୋଲି ପ୍ରକାଶ କରି ପ୍ରତ୍ୟେକ ପରିବାରରୁ ଅନ୍ୟୁନପକ୍ଷେ ଜଣେ ସଦସ୍ୟକୁ ସମବାୟ ସହିତ ଯୋଡିବାର ମୂଳ ଲକ୍ଷ୍ୟ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି କହିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ସମବାୟ ବିଭାଗ ପକ୍ଷରୁ ହାସଲ ହୋଇଥିବା ବିଭିନ୍ନ ଉପଲବ୍ଧି ଉପରେ ଆଲୋକପାତ କରି ସେ କହିଥିଲେ ଆମ ସରକାରରେ ଏବେ ସମବାୟ ସମିତି ଗୁଡ଼ିକ ଆଉ କ୍ଷତିଗ୍ରସ୍ତ ଅନୁଷ୍ଠାନ ନୁହେଁ, ବରଂ ଏକ ସ୍ୱାବଲମ୍ୱୀ ଓ ଲାଭଜନକ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମବାୟ କ୍ଷେତ୍ରର ସୁଦୃଢ଼ୀକରଣ ଓ ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ମନିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ୟାକ୍ସର ଓ ଲ୍ୟାମ୍ପସ୍ର ସଦସ୍ୟ, ସମବାୟବିତ, ବିଭାଗୀୟ ଅଧିକାରୀ ଓ ଚାଷୀ ଭାଇଭଉଣୀ ଉପସ୍ଥିତ ଥିଲେ।