ସାହିତ୍ୟ

‘ଆଜକାଲ ଦେବୀ ଦାସ ଲେଖେନା କବିତା’ ଲୋକାର୍ପିତ, ଓଡ଼ିଆ ସାହିତ୍ୟର ପ୍ରଶଂସା କଲେ ବଙ୍ଗୀୟ ପାଠକ

Published

on

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ମୌଳିକତା, ବିବିଧତା, ଭାଷା ଓ ଭାବର ମାଧୁର୍ଯ୍ୟ ଯୋଗୁଁ ଭାରତୀୟ ସାରସ୍ୱତ ଜଗତରେ ସ୍ୱତନ୍ତ୍ର ଏବଂ ବଳିଷ୍ଠ ସ୍ଥାନ ଅଧିକାର କରିପାରିଛି । ଅନୁବାଦ ମାଧ୍ୟମରେ ଏହି ସାହିତ୍ୟର ବ୍ୟାପକ ପ୍ରସାର ହୋଇପାରିଲେ ବିଭିନ୍ନ ଭାଷାର ଲେଖକ, ପାଠକ, ଗବେଷକ, ସମୀକ୍ଷକମାନେ ବହୁମାତ୍ରାରେ ଉପକୃତ ହେବେ । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମୟରେ ଓଡ଼ିଆ ସାହିତ୍ୟର ଅନ୍ୟାନ୍ୟ ଭାଷାରେ ଅନୁବାଦର ପ୍ରୟୋଜନୀୟତା ଏବଂ ପାରସ୍ପରିକ ଭାବ ଆଦାନପ୍ରଦାନ ପାଇଁ ବହୁଭାଷୀ ସାହିତ୍ୟ ଅଧିବେଶନଗୁଡ଼ିକର ଉପାଦେୟତା ରହିଛି ବୋଲି ବିଶିଷ୍ଟ ଓଡ଼ିଆ କବି ସୂର୍ଯ୍ୟ ମିଶ୍ରଙ୍କ ରଚିତ, ଭାରତୀ ନନ୍ଦୀଙ୍କ ଅନୂଦିତ ଏବଂ ସୁଦର୍ଶନ (ପ୍ରଭାପ୍ରକାଶନୀ), କୋଲକାତା ପ୍ରକାଶିତ କବିତା ପୁସ୍ତକ ‘ଆଜକାଲ ଦେବୀ ଦାସ ଲେଖେନା କବିତା’ର ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବହୁ ବିଶିଷ୍ଟ ବଙ୍ଗୀୟ ସାହିତି୍ୟକ ମତପୋଷଣ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ କୋଲକାତାର ଭାରତୀୟ ଭାଷା ପରିଷଦ ସଭାଗୃହ ଠାରେ ନୀଳଚକ୍ର ପଶ୍ଚିମବଙ୍ଗ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ ଶାଖାର ପୂର୍ବତନ ସଚିବ ଓ ବିଶିଷ୍ଟ ବଙ୍ଗୀୟ ସାହିତି୍ୟକ ଡ଼ଃ ରାମକୁମାର ମୁଖୋପାଧ୍ୟାୟ ପୁସ୍ତକ ଉନ୍ମୋଚନ କରି ଓଡ଼ିଆ ସାହିତ୍ୟର ଅବଦାନ କିଭଳି ଭାରତୀୟ ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିପାରିଛି, ତାହାର ଅବତାରଣା କରିଥିଲେ । କବି ତଥା ‘ଯାପନଚିତ୍ର’ର ସମ୍ପାଦକ ଶ୍ରୀ ପ୍ରବାଳ କୁମାର ବସୁ ଓଡ଼ିଆ ଓ ବଙ୍ଗୀୟ ସାହିତ୍ୟ କିଭଳି ପରସ୍ପର ଦ୍ୱାରା ପ୍ରଭାବିତ ହୋଇ ନିଜ ନିଜ ସୃଷ୍ଟିକୁ ଆହୁରି ସରସ ସୁନ୍ଦର କରିପାରିଛନ୍ତି, ସେ ଦିଗରେ ଆଲୋକପାତ କରିଥିଲେ । କବି ଶ୍ରୀମତୀ ଚୈତାଳି ଚଟ୍ଟୋପାଧ୍ୟାୟ ବଙ୍ଗୀୟ ଜୀବନରେ ପ୍ରଭୁ ଜଗନ୍ନାଥ ଧର୍ମ ଦର୍ଶନ, ସାହିତ୍ୟ ସଂସ୍କୃତି ଏକ ଅବିଚ୍ଛିନ୍ନ ଅଙ୍ଗ ବୋଲି ଉଲ୍ଲେଖ କରିଥିଲେ । କଲିକତା ଅନୁବାଦ ଫୋରମର ସଭାପତି ଓ ସାହିତି୍ୟକ ଶ୍ରୀ ଶ୍ୟାମଲ ଭଟ୍ଟାଚାର୍ଯ୍ୟ ଅନୁବାଦ ସାହିତ୍ୟର ଉପଯୋଗିତା ଉପରେ ସୁଚିନ୍ତିତ ମତାମତ ରଖିବା ସହ ଓଡ଼ିଆ ସାହିତ୍ୟକୁ ବଙ୍ଗୀୟ ପାଠକ ନିକଟରେ ପହଞ୍ଚାଇବାରେ ଶ୍ରୀମତୀ ଭାରତୀ ନନ୍ଦୀଙ୍କର ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ । ପୁସ୍ତକର ଲେଖକ କବି ସୂର୍ଯ୍ୟ ମିଶ୍ର ଜଣେ ଲେଖକର ସଚେତନତା, ଦୃଷ୍ଟିଭଙ୍ଗୀ, ମନସ୍ତତ୍ତ୍ୱ ସମ୍ଭନ୍ଧରେ ଏକ ଭାବଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ନୀଳଚକ୍ର ଅନୁଷ୍ଠାନର ଶ୍ରୀ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ସଭାପତିତ୍ୱ କରି ଭବିଷ୍ୟତରେ କୋଲକାତାରେ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ସାହିତ୍ୟ ସଙ୍ଗମ ଆୟୋଜନ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ନୀଳଚକ୍ରର କର୍ମକର୍ତ୍ତା, ସଦସ୍ୟସଦସ୍ୟା, କୋଲକାତାର ବିଭିନ୍ନ ଓଡ଼ିଆ ଅନୁଷ୍ଠାନର ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ବଙ୍ଗୀୟ ସାହିତ୍ୟପ୍ରେମୀ ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥିତ ଥିଲେ । ବରିଷ୍ଠ ସାହିତି୍ୟକ ଶ୍ରୀ ସାଫଲ୍ୟ ନନ୍ଦୀ ମଞ୍ଚ ସଞ୍ଚାଳନ କରିଥିଲେ ।
ଏହି ଅବସରରେ ବଙ୍ଗଳା ଓ ଓଡ଼ିଆ କବିମାନଙ୍କର କବିତା ପାଠର ଆୟୋଜନ ମଧ୍ୟ ହୋଇଥିଲା ।
ଡ. ଜ୍ଞାନେଶ୍ୱର ମିଶ୍ର, ବୀଣାପାଣି ଦେବତା, ଶ୍ରୀନିବାସ ସେଠୀ, ଅନିତା ଆଚାର୍ଯ୍ୟ, ସନାତନ ମହାକୁଡ, ସୁଧାଂଶୁ ଦ୍ୱିିବେଦୀ, ରବୀନ୍ଦ୍ରନାଥ ପାତ୍ର, ଚନ୍ଦ୍ରଶେଖର ଭଟ୍ଟାଚାର୍ଯ୍ୟ, ଅଭିଜିତ ମଣ୍ଡଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ କାବ୍ୟକାନ୍ତ ମହାନ୍ତି l

Leave a Reply

Your email address will not be published. Required fields are marked *

Trending

Exit mobile version