Nation

ଭୁବନେଶ୍ୱର ଏମ୍‌ସ ର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ

Published

on

ଭୁବନେଶ୍ୱର: ଗୁଣାତ୍ମକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶବିଦେଶରେ ଏମ୍‌ସ ଭୁବନେଶ୍ୱର ଭରସାର ପ୍ରତୀକ ପାଲଟିଛି। ଏହି ଜାତୀୟ ପ୍ରତିଷ୍ଠାନ ପ୍ରତିଷ୍ଠା ନେଇ ଦେଶର ଦୂରଦର୍ଶୀ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ବପ୍ନକୁ ଏମ୍‌ସ ଏହାର ଏକ ଦଶନ୍ଧିର ଯାତ୍ରା କାଳରେ ପୂରଣ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ। ଆଜି ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ମତବ୍ୟକ୍ତ କରିଥିଲେ ମାଣ୍ଡଭେୟ। ଏହି ଅବସରରେ ଏମ୍‌ସର ୧୦ ବର୍ଷର ସଫଳ ଯାତ୍ରା ପୂରଣ ଅବସରରେ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏଥିସହିତ ଏହି ଅବସରରେ ମେଡିକାଲ୍‌ ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ ମାଣ୍ଡଭେୟ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥାର ପ୍ରବର୍ତ୍ତନ କରିବା ପାଇଁ ଏହି ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଅର୍ନ୍ତଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି । ଏହି କ୍ରମରେ ଏମ୍‌ସ ପଛରେ ନ ରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ ବୋଲି ପ୍ରଧାନ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଯୋଗଦେଇ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ଏମ୍‌ସର ଦଶ ବର୍ଷର ଯାତ୍ରା ଅବସରରେ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହିତ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଏମ୍‌ସର ସମ୍ମାନକୁ ଆହୁରି ଆଗକୁ ନେବାକୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ଏନ୍‌ଟିପିସି ସହଯୋଗରେ ନିର୍ମିତ ୩୬ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍‌କୁ ଉଦ୍‌ଘାଟନ କରିଥିଲେ ତିନି କେନ୍ଦ୍ରମନ୍ତ୍ରୀ। ସେହିପରି ଏମ୍‌ସ ଭୁବନେଶ୍ୱରରେ ଦେଢ଼ଶହ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲ୍‌ଡିଂର ଶିଳାନ୍ୟାସ କରିଥିଲେ ଅତିଥିବୃନ୍ଦ। ଏହି ଅବସରରେ ଏହି ଅବସରରେ ଅତିଥିମାନେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨୭ ଛାତ୍ରଛାତ୍ରୀଙ୍କୁ ୪୦ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ। ଶ୍ରେଷ୍ଠ ବିଦାୟୀ ଏମବିବିଏସ୍ ଗ୍ରାଜୁଏଟ୍ ଭାବରେ ଡ. ଅନିଲ ଦାସ ଏବଂ ଶ୍ରେଷ୍ଠ ବିଏସସି (ସମ୍ମାନ) ନର୍ସିଂ ଗ୍ରାଜୁଏଟ୍ ଭାବେ ଶୁଭ୍ରଜ୍ୟୋତି ବାରିକଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ, ଏମ୍‌ସ ଭୁବନେଶ୍ବର ପ୍ରେସିଡେଣ୍ଟ୍‌ ଡ. ସୁବ୍ରତ ଆଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଡିନ୍‌ ଡ. ପି ଆର୍‌ ମହାପାତ୍ର, କୁଳସଚିବ ବି ବି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ତିନି କେନ୍ଦ୍ରମନ୍ତ୍ରୀଙ୍କ ଆଗମନକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିବା ସାଂସ୍କୃତି କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ଅତିଥିଗଣ।

Leave a Reply

Your email address will not be published. Required fields are marked *

Trending

Exit mobile version