Connect with us
  • ଭୁବନେଶ୍ୱର : ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି । ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ବିରଳ ଗଳା କର୍କଟ ରୋଗରେ ପିଡ଼ୀତ ଥିଲେ। ଏମ୍‌ସକୁ ଆସିବା ପୂର୍ବରୁ ଉକ୍ତ ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍‌ପିଟାଲକୁ ଏହାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
    ବାକ୍‌ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଏହି ଟ୍ୟୁମର ଫଳରେ ଯୁବତୀଜଣଙ୍କ ଶ୍ବାସକ୍ରିୟା ଏବଂ କଥା କହିବାରେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଏବଂ କେମୋ ପ୍ରତିରୋଧୀ ଏହି ବିରଳ କର୍କଟରୁ ଉପଶମ ଦେବା ତଥା ତାଙ୍କର ଜୀବନ ରକ୍ଷା କରିବାକୁ ଏମ୍‌ସ ଭୁବନେଶ୍ୱରର ଇଏନ୍‌ଟି ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଯୁବଡାକ୍ତରମାନଙ୍କୁ ନେଇ ଗଠିତ ଏକ ଦଶଜଣିଆ ଡାକ୍ତରୀ ଦଳ ପ୍ରାୟ ୧୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ।
    ଇଏନ୍‌ଟି ବିଭାଗର ବିଶେଷଜ୍ଞ ଡାକ୍ତର ବାକ୍‌ଯନ୍ତ୍ର(ଭଏସ୍‌ ବକ୍ସ୍‌), ଶ୍ବାସନଳୀ ଓ ଖାଦ୍ୟନଳୀର ଉପର ଭାଗ ଏବଂ ଥାଇରଏଡ୍ ଗ୍ରନ୍ଥିର କିଛି ଅଂଶ ଅସ୍ତ୍ରୋପଚାର ଦ୍ବାରା ବାହାର କରିଥିଲେ। ସେହିପରି ଗ୍ୟାଷ୍ଟ୍ରୋସର୍ଜରୀ ବିଶେଷଜ୍ଞ ବୃହଦ୍‌ନ୍ତ୍ର(କୋଲୋନ୍‌)ର ଏକ ଅଂଶକୁ କାଟି ବାହାର କରିବା ସହିତ ଏହାକୁ ଛାତି ମଧ୍ୟରେ ସ୍ତନ ହାଡ଼(ଷ୍ଟର୍ନମ୍‌) ତଳେ ଏବଂ ହୃତ୍‌ପିଣ୍ଡ ନିକଟରେ ଏକ କୃତ୍ରିମ ଟନେଲ୍‌ ସୃଷ୍ଟି କରି ଜିଭର ମୂଳ ସହିତ ପାକସ୍ଥଳୀକୁ ସଂଯୋଗ କରିଥିଲେ। ଏହି ପ୍ରକ୍ରିୟା ଦ୍ବାରା ଯୁବତୀଙ୍କର ଏକ ନୂତନ ଖାଦ୍ୟନଳୀ ସୃଷ୍ଟି କରାଯାଇପାରିଛି। ଏହି ଜଟିଳ ଏବଂ ବିରଳ କର୍କଟ ରୋଗର ଅଭିନବ ଉପାୟରେ ହୋଇଥିବା ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାରର ଦୁଇ ମାସ ପରେ ଯୁବତୀଜଣଙ୍କ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ସହିତ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା ସମ୍ପାଦନ କରିବା ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି। ଯାହାକି ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳ ସହିତ ଯୁବତୀଙ୍କ ପରିବାରକୁ ଆନନ୍ଦିତ କରିଛି।
    ଏପରି ଯନ୍ତ୍ରଣାଦାୟକ ପ୍ରାଣଘାତୀ କର୍କଟ ରୋଗର ସଫଳ ଅସ୍ତ୍ରୋପଚାରକୁ ନେଇ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମ୍‌ସ ସର୍ବଦା ଏହିପରି ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହିତ କରିବା ନେଇ ପ୍ରତିଶ୍ରୁତିବଦ୍ଧ। ଏନେଇ ସମ୍ପୂର୍ଣ୍ଣ ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡ. ବିଶ୍ବାସ। ଆଗକୁ ମଧ୍ୟ ଏହିପରି ଜୀବନରକ୍ଷାକାରୀ କାର୍ଯ୍ୟ ଜାରି ରଖିବାକୁ ସେ ଉତ୍ସାହିତ କରିଛନ୍ତି।
    ଇଏନ୍‌ଟି ବିଭାଗର ସହଯୋଗୀ ପ୍ରଫେସର୍‌ ଡ. ଦିଲ୍ଲୀପ କୁମାର ସାମଲ, ଗ୍ୟାଷ୍ଟ୍ୟୋସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ. ତନ୍ମୟ ଦତ୍ତ, ଜରୁରୀକାଳୀନ ବିଭାଗର (ନିଶ୍ଚେତକ) ସହକାରୀ ପ୍ରଫେସର୍‌ ଡ. ଅଜିତେଶ ସାହୁ ପ୍ରମୁଖ ଏହି ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ। ବରିଷ୍ଠ ଆବାସିକ ଡାକ୍ତର ଏବଂ ନର୍ସିଂ କର୍ମଚାରୀମାନେ ମଧ୍ୟ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର୍‌ ପ୍ରଦୀପ୍ତ କୁମାର ପରିଡ଼ା ଏହି ଅସ୍ତ୍ରୋପଚାରର ନିରୀକ୍ଷଣ କରିଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏପରି ସଫଳ ଅସ୍ତ୍ରୋପଚାର ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Continue Reading
Click to comment

Leave a Reply

Your email address will not be published. Required fields are marked *

Health

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଆରମ୍ଭ

Published

on

ଭୁବନେଶ୍ବର: ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନାର ସୁଫଳ କିପରି ଯଥାଶୀଘ୍ର ପାଇପାରିବେ ସେ ନେଇ ବିଭାଗ ବିଭିନ୍ନ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଆରମ୍ଭ କରିଛି ।

ଏହି ସମନ୍ୱିତ ଯୋଜନା ଦ୍ବାରା ରାଜ୍ଯବାସୀ ଦେଶର ପ୍ରାୟ 30 ହଜାର ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ । ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସିବ ଯୁଗାନ୍ତକାରୀ ପରିବର୍ତ୍ତନ ।

ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ ସମନ୍ବିତ କରି ଜନସାଧାରଣଙ୍କୁ ଅତିଶୀଘ୍ର ସ୍ବାସ୍ଥ୍ୟସେବାର ସୁଫଳ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜିଠାରୁ ଯୋଜନା ସହ ସଂପୃକ୍ତ ବିଭିନ୍ନ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ଯମିତ୍ରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ପ୍ରଥମ ଦିନରେ 60ଟି ଚିକିତ୍ସାଳୟର 180 ଜଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ସମ୍ପର୍କିତ ଆବେଦନ ପ୍ରକ୍ରିୟା, ଆଇଟି ପ୍ଲାଟଫର୍ମର ବିବିଧ ବ୍ଯବହାର, ଟ୍ରାନ୍ ଜେକ୍ ସନ ମ୍ୟାନେଜମେଣ୍ଟ ସିଷ୍ଟମ୍, ଅଭିଯୋଗ ସମାଧାନ ପ୍ରକ୍ରିୟା ଆଦି ବିଷୟରେ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ଦେଇଥିଲେ । ପର୍ଯ୍ଯାୟକ୍ରମେ ଯୋଜନା ସହ ସଂପୃକ୍ତ ସମସ୍ତ ସରକାରୀ ଓ ବେସରକାରୀ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ଯ ମିତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି (ସାସ)ର ସିଇଓ ତଥା
ଜାତୀୟ ସ୍ବାସ୍ଥ୍ୟ ମିଶନ (ଓଡ଼ିଶା)ର ମିଶନ ନିର୍ଦ୍ଦେଶିକା ଡା. ବୃନ୍ଦା ଡି., ଡା. ବିଷ୍ଣୁପ୍ରସାଦ ମହାପାତ୍ର, ଡା. ରଶ୍ମିରଞ୍ଜନ ମହାପାତ୍ର, ଡା. ଅରୁଣ ମହାପାତ୍ର, ଶ୍ରୀ ଶରତ ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

 

Continue Reading

Health

ମୃତ ଯୁବକ ଫେରି ପାଇଲେ ଜୀବନ

Published

on

ଭୁବନେଶ୍ୱର: ବନ୍ଦ ହୋଇଗଲା ହୃଦଯନ୍ତ୍ର l ଚବିଶ ବର୍ଷୀୟ ଶୁଭକାନ୍ତ ସାହୁ, ଭାରତୀୟ ସୈନ୍ୟ ବାହିନୀର ଯବାନଙ୍କୁ ବୋଲି ଘୋଷଣା କରିଦେଇଥିଲେ ଡାକ୍ତର l ହେଲେ ଶୁଭକାନ୍ତ ବଞ୍ଚି ଉଠିଲେ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇ ଆଣିଲେ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳ l ଦୁଇ ଘଣ୍ଟା ପରେ ପୁନଃକାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଶୁଭକାନ୍ତଙ୍କ ହୃଦୟ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଏହି ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।

ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Continue Reading

Health

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି: ଓଡିଶାରେ ଅତ୍ୟାଧୁନିକ କ୍ୟାନ୍‌ସର ନିରୁପଣ ଓ ଚିକିତ୍ସା ପାଇଁ ଆଲୋଚନା

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍‌ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍‌ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତ ଦେଇ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।

ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍‌ସେସ୍ ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର (Mr. Charles Miller from Elephes Bio-Sciences), ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍‌ସର (inDNA Life Sciences) ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions