ଭୁବନେଶ୍ୱର : ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ କାର୍କେଡ୍’ର ଗାଡ଼ିସଂଖ୍ୟା ଅଧା କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ଏକ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ତି ।
୧- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେ ସ୍ଥଳରେ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ଥିବ, ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡ୍ରେ ଯୋଗ ଦେବେ ।
୨- ସେହିଭଳି, ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ । ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ । ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ ।
୩- ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ । ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ ।
୪- କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ ।
୫- ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ ।
୬- ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।
୭- ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ ।
୮- ସରକାରୀ ଯାନ’ର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।
ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।