ଭୁବନେଶ୍ୱର: ବାବୁସାନଙ୍କ ନିଆରା ଚଳଚିତ୍ର ପୋଷ୍ଟର.. ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ..୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ ।
ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ରର ପୋଷ୍ଟର ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଡିସେମ୍ବର ୨୫ରେ ସେୟାର କରିଥିଲେ । ଚଳଚିତ୍ରଟିର ନାଁ ହେଉଛି ‘ଦମନ’।
ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ । ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ତେବେ ଚଳଚିତ୍ରଟିର ପ୍ରଥମ ଲୁକ୍ ବା ପୋଷ୍ଟର ଦର୍ଶକଙ୍କ ସାମ୍ନାରେ ପ୍ରକାଶ କରାଯାଇଛି ।
ଏହି ଚଳଚିତ୍ରଟି ୨୦୨୨ ରଜରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ଚଳଚିତ୍ରର ପ୍ରଯୋଜକ ହେଉଛନ୍ତି ଦିପେନ୍ଦ୍ର ସାମଲ ଓ ଯୁବ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧ ବିଶାଲ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଜେପି ମୋଶନ ପିକଚର୍ସ ବ୍ୟାନରରେ ଏବଂ ମେନ୍ଟିସ ଫିଲ୍ମସ୍ ନିବେଦିତ ଦମନ ଚଳଚିତ୍ରଟି ଏକ ସତ୍ୟକାହାଣୀ ଉପରେ ଆଧାରିତ ।
ତେବେ ଏହି ପୋଷ୍ଟରରେ ପ୍ରଥମଥର ପାଇଁ ଚକ୍ଲେଟ୍ ହିରୋ ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ପୋଷ୍ଟରରେ କେବଳ ଏକ ଘୋଡା ଉପରେ ବସି ଯାଉଥିବାର ବାବୁସାନ୍ଙ୍କ ଫିଲ୍ମର ଲୁକ୍ ଦେଖିବାକୁ ମିଳିଛି । ତେବେ ପୋଷ୍ଟରକୁ ଦେଖି କାହାଣୀ ଅନୁମାନ କରିବାରେ ବ୍ୟସ୍ତ ହେଲେଣି ସିନେପ୍ରେମୀ । କାହିଁକି ନା ବାବୁସାନ୍ଙ୍କ ପୂର୍ବ ଚଳଚିତ୍ରରୁ ଏହା ସଂମ୍ପୂର୍ଣ୍ଣ ଅଲଗା ପରିଲକ୍ଷିତ ହେଉଛି । ପ୍ରଥମଥର ପାଇଁ ପୋଷ୍ଟରଟି ରିଲିଜ ହେବା ପରେ ଦର୍ଶକଙ୍କ ମନରେ ଢେର୍ ଉତ୍ସାହ ଦେଖିବାକୁ ମିଳିଛି ।
ନିଜ କ୍ୟାରିଅରରେ ଆରମ୍ଭରୁ ଆଜିଯାଏଁ ବାବୁସାନ୍ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି । ତେବେ ଦମନର ଦୁଇ ନିର୍ଦ୍ଦେଶକଙ୍କ ଅନୁସାରେ ଏଥର ଦମନରେ ବାବୁଙ୍କ ଅନ୍ଦାଜ ସବୁ ଚଳଚିତ୍ରଠାରୁ ପୁରା ହଟ୍କେ ରହିବ । ତାସହ ଓଡିଆ ଚଳଚିତ୍ର ଜଗତରେ ଏହି ଫିଲ୍ମ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ।
ତେବେ ରଜରେ ଏକ ଜବରଦସ୍ତ କାହାଣୀ ସହ ଓଡିଶାବାସୀଙ୍କ ହୃଦୟ ଜିତିବାର ଆଶା ନେଇ ଏହି ଦୁଇ ଯୁବ ନିର୍ଦ୍ଦେଶକ ମଧ୍ୟ ଉତ୍ସାହିତ ଅଛନ୍ତି ।