ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ନିର୍ବାଚନ ବିଜୟ ବର୍ତମାନ ଶାସକ ବିଜେପି ଦଳର ନିଦ ହଜେଇ ଦେଇଛି। ଦିଲ୍ଲୀ, ପଞ୍ଜାବ ବିଜୟ ପରେ ଆପ ଦଳ ଯେଭଳି ଭାବେ ଗୁଜରାଟରେ ତାର ନିର୍ବାଚନ ପ୍ରଚାର ଚଳେଇଛି ସେଥିରେ କେବଳ ରାଜ୍ୟର ଶାସକ ବିଜେପି ଦଳ ନୁହେଁ କେନ୍ଦ୍ରର ବିଜେପି ଦଳବି ବିଚଳିତ ହୋଇ ପଡିଛି।
ଦେଶର ରାଜନୀତିରେ ଆପ ଦଳର ପ୍ରଭାବ କେବଳ ଗୁଜରାଟ ବିଜେପି ସରକାର ପାଇଁ ନୁହେଁ କେନ୍ଦ୍ରର ମୋଦି ସରକାର ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ବିଜେପି ଦଳରେ ଭୟ ସଂଚାର କରିଛି।
ନିକଟରେ ଗୁଜରାଟରେ ନିର୍ବାଚନ ପ୍ରଚାର ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅହମଦାବାଦ ଠାରେ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ବେଳେ ଦଳର ଏହି ଭୟର ସୂଚନା ଦେଇଛନ୍ତି। ନିର୍ବାଚନରେ ଆପ ଦଳକୁ ଗୁରତ୍ୱ ସହ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ଆପ ଯେଭଳି ୨୪%ରୁ ଅଧିକ ଭୋଟ ନ ପାଏ ତାହା ନିଶ୍ଚିତ କରିବାକୁ କହିଛନ୍ତି।
ବମ୍ବେ ସହର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟଥିବା ଶିବସେନା ଦଳ ଅଶୀ ଦଶକରେ ସମଗ୍ର ମହାରାଷ୍ଟ୍ରରେ ଅଶୀ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହେବା ଘଟଣାର ଉଦାହରଣ ଦେଇ ଶାହା କହିଥିଲେ ଆପର ଗତିକୁ ଲଗାମ ଦେବାକୁ ହେବ। ଆପ ଦଳର କୌଣସି ଇତିହାସ ନଥିବାରୁ ଏହି ଦଳର ଅଭୁଥାନ ଦିଗରେ କୌଣସି ପ୍ରତିବନ୍ଧ ନାହିଁ। ଆପର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନରେ କଣ ରହିବ ଏବଂ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ କଣ ହେବ ତାହା ସେ ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳୀୟ କର୍ମକର୍ତ୍ତାମାନଙ୍କୁ କହିଥିଲେ।