ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଓ ସାହିତ୍ୟିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିକଥା ‘ଜାନକୀ ବଲ୍ଲଭ ପଟ୍ଟନାୟକ: An Unfinished Memoir’ର ଇଂରାଜୀ ଅନୁବାଦ ସେପ୍ଟେମ୍ବର ୨୮ ତାରିଖ ସନ୍ଧ୍ୟା ୬ଟା ୨୧ ମିନିଟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଏକ ବିଶେଷ ସମାରୋହରେ ଉନ୍ମୋଚିତ ହୋଇଛି।
ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଭାସ୍କର ପରିଚ୍ଛା ଏହି ସ୍ମୃତିକଥାକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଛନ୍ତି। ବି.କେ. କ୍ଲାସିକ୍ସ, (ବି.କେ. ପବ୍ଲିକେସନ୍ସ ପ୍ରାଇଭେଟ୍ ଲିମିଟେଡ୍) ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୀର୍ଘ ରାଜନୈତିକ ଜୀବନ, ସାର୍ବଜନୀନ ଜୀବନର ଅନୁଭବ, ସମକାଳୀନ ରାଜନୀତି ଓ ସମାଜର ବିଭିନ୍ନ ଘଟଣା ସହିତ ତାଙ୍କର ବ୍ୟକ୍ତିଗତ ଅନୁଭବ ଓ ସ୍ମୃତିର ଅନ୍ତରଙ୍ଗ ବର୍ଣ୍ଣନା ସ୍ଥାନ ପାଇଛି।
ଏହି ସ୍ମୃତିକଥାର ଇଂରାଜୀ ଅନୁବାଦ ମାଧ୍ୟମରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନ ଓ ଚିନ୍ତାଧାରା ଓଡ଼ିଆ ପାଠକଙ୍କ ପରିସର ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତୀୟ ଇଂରାଜୀ ପାଠକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ପାଇଛି। ଓଡ଼ିଶାର ଆଧୁନିକ ରାଜନୈତିକ ଓ ସାମାଜିକ ଇତିହାସକୁ ନିକଟରୁ ବୁଝିବା ପାଇଁ ଏହି ପୁସ୍ତକ ଏକ ଉପାଦେୟ ସ୍ମୃତିକଥା ଭାବେ ବିବେଚିତ ହେବ।
ପୁସ୍ତକ ଉନ୍ମୋଚନ ସମାରୋହରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ସମ୍ମାନିତ ଅତିଥି ଏବଂ ପୂର୍ବତନ ମୁଖ୍ୟ ରାଜ୍ୟ ନିର୍ବାଚନ କମିଶନର ସଞ୍ଜୀବ ଚନ୍ଦ୍ର ହୋତା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।
ବିଶିଷ୍ଟ ପ୍ରବନ୍ଧକାର ଓ ଶିକ୍ଷାବିତ୍ ଅଭିରାମ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସାର୍ବଜନୀନ ଜୀବନ, ସାହିତ୍ୟିକ ଅବଦାନ ଏବଂ ତାଙ୍କ ସ୍ମୃତିକଥାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ପୁସ୍ତକର ଅନୁବାଦକ ଭାସ୍କର ପରିଚ୍ଛା ଅନୁବାଦ ପ୍ରକ୍ରିୟା ଓ ପୁସ୍ତକ ସହିତ ଜଡ଼ିତ ତାଙ୍କର ଅନୁଭବ ସମ୍ପର୍କରେ ନିଜ ମତ ରଖିଥିଲେ। ବି.କେ. କ୍ଲାସିକ୍ସର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ପୁସ୍ତକ ପ୍ରକାଶନର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।