Nation

ବଜେଟ ଖର୍ଚ୍ଚ ବୃଦ୍ଧି କରିବାକୁ ସଚିବମାନଙ୍କୁ କହିଲେ ମୁଖ୍ୟ ଶାସନ ସଚିବ

Published

on

ଭୁବନେଶ୍ୱର: ବଜେଟ ଖର୍ଚ୍ଚ ବୃଦ୍ଧି କରିବାକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସଚିବମାନଙ୍କୁ କହିଛନ୍ତି ।

ମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରି ଅନୁମୋଦିତ ବଜେଟ୍‌ ବ୍ୟବସ୍ଥା ଅନୁଯାୟୀ ବିକାଶମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ବ୍ୟୟ ହାର ବୃଦ୍ଧି କରିବାକୁ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ବ୍ୟୟ କରିବା ସହ କାର୍ଯ୍ୟକ୍ରମର ଗୁଣାତ୍ମକ ଓ ଫଳାଫଳଭିତ୍ତିକ କାର୍ଯ୍ୟାନ୍ୱୟନ  ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।

ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆୟ ଓ ବ୍ୟୟ ସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଗତ ବର୍ଷର  ଏହି ସମୟ ତୁଳନାରେ ରାଜ୍ୟର ମୋଟ ବ୍ୟୟ ଓ କାର୍ଯ୍ୟକ୍ରମ ବ୍ୟୟରେ ଉନ୍ନତି ଘଟିଥିବା ବେଳେ ପୁଞ୍ଜି ବ୍ୟୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା  ଜଣାଯାଇଛି । ସେହିପରି ରାଜ୍ୟର ମୋଟ ରାଜସ୍ୱ ଆଦାୟରେ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ଅଭିବୃଦ୍ଧି ରେକର୍ଡ ହୋଇଛି

 ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହଙ୍କ   ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଏବଂ ଅନ୍ୟ ବିଭିନ୍ନ ବିଭାଗର  ସଚିବମାନେ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ, ଆର୍ଥିକ ପ୍ରଦର୍ଶନ, ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

        

     ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଜିଲ୍ଲାର ୨୫ଟି ରଣନୀତିକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସମନ୍ୱିତ ଓ ଦ୍ରୁତ ବିକାଶ ପାଇଁ ଶିଳ୍ପ, ଭିତ୍ତିଭୂମି, କୃଷି, କ୍ରୀଡ଼ା, ପର୍ଯ୍ୟଟନ, ଐତିହ୍ୟ ଓ ଜ୍ଞାନଭିତ୍ତିକ ବିକାଶକୁ ସମାନ ଗୁରୁତ୍ୱ ଦେଇ ପ୍ରସ୍ତୁତ  ରୋଡମ୍ୟାପ୍‌ ସଂପର୍କରେ ଜିଲ୍ଲାପାଳ  ଆଲୋକପାତ କରିଥିଲେ ଜିଲ୍ଲାର  ଗ୍ରାମ ପଞ୍ଚାୟତସ୍ତରରେ କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ମଡେଲ୍‌ ପାର୍କ, ପୋଖରୀ ଭଳି ବହୁମୁଖୀ ସୁବିଧା ସହ ପ୍ରମୁଖ ଉପଯୋଗୀ ମଡେଲ୍ ପ୍ରକଳ୍ପ ବିକଶିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।   

    ବେଗୁନିଆ-ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳକୁ ଶିଳ୍ପ କ୍ଷେତ୍ର ଭାବେ ବିକଶିତ କରି ନୂଆ ପୁଞ୍ଜିନିବେଶ ଆକର୍ଷଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଏମ୍‌ଏସ୍‌ଏମ୍‌ଇ ଭିତ୍ତିକ ସହାୟକ ଶିଳ୍ପର ବିକାଶ ପାଇଁ ପ୍ରସ୍ତାବ ରଖାଯାଇଛି  । ତୃଣମୂଳସ୍ତରରେ ସିଭିକ୍‌ ଓ ଜ୍ଞାନଭିତ୍ତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଧୁନିକ ବ୍ଲକ୍‌ସ୍ତରୀୟ କନଭେନ୍ସନ୍‌ ସେଣ୍ଟରକୁ ଜନସମାଗମ, ଜ୍ଞାନ ବିନିମୟ, ସାଂସ୍କୃତିକ ପ୍ରଦର୍ଶନୀ ଓ ସରକାରୀ କାର୍ଯ୍ୟକ୍ରମର କେନ୍ଦ୍ର ଭାବେ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version