ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ରାଷ୍ଟ୍ରିୟ ଅଧକ୍ଷ ମଲ୍ଲିକାଅର୍ଜୁନ ଖାର୍ଗେଙ୍କୁ ତାଙ୍କ ସଭାପତି ଆସନରେ ବସିବା ପୂର୍ବରୁ ଚୌକିରୁ ବୁଢିଆଣି ଜାଲ ସଫା କରିବାକୁ ପଡିଲା।
ସଭାପତି ଦାଇତ୍ଵ ଗ୍ରହଣ କରିବା ପରେ ଖାର୍ଗେ ୨୪ ଆକବର ରୋଡ଼ରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦେଖିଲେ ତାଙ୍କ କକ୍ଷଟି ସିଲ ହୋଇ ପଡିଛି। ପଚାରି ବୁଝିଲେ ୨୦୧୯ରେ ରାହୁଲ ଗାନ୍ଧୀ ସଭାପତି ପଦତ୍ୟାଗ କରିବାପରେ କକ୍ଷଟିକୁ ସିଲ କରିଦିଆଯାଇଛି। ଖାର୍ଗେ ସିଲ ଖୋଲି ଦେଖିଲ ଘରସାରା ବୁଢିଆଣି ଜାଲ। ସୋଫା ଓ ଅନ୍ୟାନ୍ୟ ଅସବାପତ୍ର ସବୁ ଫିମ୍ପି ମାରି ଦୂର୍ଗନ୍ଧ ଛାଡିଲେଣି। ଖାର୍ଗେ କକ୍ଷଟିକୁ ସଫାସୁତରା କରିବାକୁ ଓ ସୋଫାସେଟଟିକୁ ଓ ଅନ୍ୟାନ୍ୟ ଅସବାପତ୍ରକୁ ଝାଡ଼ିଝୁଡ଼ି ସଫା କରିବାକୁ ନିର୍ଦେଶ ଦେଇ ଫେରିଲେ।
ଖାର୍ଗେ ପ୍ରତିଦିନ ଅଫିସ ଆସିବେ ବୋଲି କହି ଯାଇଛନ୍ତି। ଏହା ହେଲେ ଦଳର ସାଧାରଣ ସମ୍ପାଦକମାନଙ୍କୁ ଆସି ଅଫିସରେ ବସିବାକୁ ପଡ଼ିବ। ଆଗାମୀ ଦିନରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଅଧିକ ଚଳଚଞ୍ଚଳ ଓ କ୍ରିୟାଶୀଳ ହେବ ବୋଲି ଆଶା କରାଯାଏ।