Nation

ଓଡିଶାରେ କୋଭିଡ଼ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍‌ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ ବଡ ସହରରେ ସକ୍ରିୟ ରୋଗୀ ସଂଖ୍ୟା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍‌ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡୁଛି । ଏସବୁ ସୂଚନା ଉତ୍ସାହପ୍ରଦ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସଂପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡିବ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ତାଙ୍କର ପ୍ରେସ୍‌ ସୂଚନା ଜରିଆରେ କୋଭିଡ ରୋଗୀ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହାସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଂକା ଥିବା ନାଗରିକ ମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ ସେ କହିଥିଲେ । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମାନେ ମଧ୍ୟ ଆଗୁଆ କର୍ମଚାରୀ ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ସଂପର୍କରେ ଆମର ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ ମାଇକ୍ରୋ କନଟେଇନମେଣ୍ଟ ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ. ଶର୍ମା ସମଗ୍ର ବିଶ୍ବ, ଦେଶ ଓ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଏକ ତୁଳନାତ୍ମକ ଚିତ୍ର ରଖି କହିଥିଲେ ଯେ ବର୍ତ୍ତମାନ ତୃତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ସୂଚନା ମିଳୁଛି । ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍‌ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍‌ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍‌ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି ସେ କହିଥିଲେ ।

ଟିକାକରଣ ଉପରେ ସୂଚନା ଦେଇ ସେ କହିଥିଲେ ଯେ ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି। ୧୫ ରୁ ୧୮ ବୟସ୍କ କିଶୋକ ମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ ।

ବୈଠକରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ, କଟକ ଓ ମୟୁରଭଂଜର ଜିଲ୍ଲାପାଳ, ଭୁବନେଶ୍ବର ଓ କଟକର ମ୍ୟୁନିସ୍‌ପାଲ କମିଶନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version