ଭୁବନେଶ୍ୱର : ଓଡିଆ ମନୋରଞ୍ଜନ ଜଗତରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ଓଡ଼ିଶାର ଅଗ୍ରଣୀ ତଥା ପ୍ରିମିୟମ୍ ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’। ଆଜି ଏହି ପ୍ଲାଟଫର୍ମର ସବୁଠାରୁ ବଡ଼ ଏବଂ ବହୁ ପ୍ରତୀକ୍ଷିତ ଅରିଜିନାଲ ମେଗା ୱେବ୍ ସିରିଜ୍ “ଶ୍ରୀ ଜଗନ୍ନାଥ”ର ଫାଷ୍ଟ-ଲୁକ୍ ପୋଷ୍ଟର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏକକାଳୀନ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଷ୍ଟ୍ରିମିଂ ହେବାକୁ ଥିବା ଏହି ସିରିଜ୍ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ବିଶେଷ ଭେଟି ହେବାକୁ ଯାଉଛି।
ଶ୍ରୀକ୍ଷେତ୍ର ପୁରୀ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାକୁ ଏକ ବିଶାଳ କାନଭାସ୍ରେ ଦର୍ଶାଇବାକୁ କଞ୍ଚାଲଙ୍କା ଏହି ପ୍ରୟାସ କରିଛି।
ଏହି ମେଗା ୱେବ୍ ସିରିଜ୍ଟି ଏକ ମଲ୍ଟି-ସିଜନ୍ ଏପିକ୍ ଭାବେ ନିର୍ମାଣ କରାଯାଇଛି। ଏହାର ପ୍ରଥମ ସିଜନ୍ରେ ମୋଟ ୨୦ଟି ଏପିସୋଡ୍ ରହିବ । କାହାଣୀର ଆରମ୍ଭ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ନୀଳଗିରି ଗୁମ୍ଫାରେ ପ୍ରଭୁ ନୀଳମାଧବଙ୍କ ଗୁପ୍ତ ପୂଜାରୁ ହେବ। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ପର୍ଯ୍ୟନ୍ତ ରୋମାଞ୍ଚକର ତଥା ଭକ୍ତିପୂର୍ଣ୍ଣ ଘଟଣାବଳୀକୁ ଏହି ପ୍ରଥମ ସିଜନ୍ରେ ଦେଖାଯିବ। ଆସନ୍ତା ଅକ୍ଟୋବର ମାସରୁ ଏହି ପ୍ରଥମ ସିଜନ୍ର ଷ୍ଟ୍ରିମିଂ ଆରମ୍ଭ ହେବ। ଆଗାମୀ ସିଜନ୍ଗୁଡ଼ିକରେ ମନ୍ଦିର ନିର୍ମାଣ ପରବର୍ତ୍ତୀ ଐତିହ୍ୟକୁ ପ୍ରଦର୍ଶିତ କରାଯିବ।
ଏହି ପ୍ରୋଜେକ୍ଟର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବୈଷୟିକ ନିର୍ମାଣ ଶୈଳୀ। ଓଡିଆ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଏକ ଫୁଲ୍-ଲେଙ୍ଗ୍ଥ ୱେବ୍ ସିରିଜ୍ ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି ନିର୍ମାଣ କରାଯାଉଛି। ଏଥିସହ, କଞ୍ଚାଲଙ୍କା ଇତିହାସରେ ପ୍ରଥମ ଥର ପାଇଁ ଏହା ଏକାସାଙ୍ଗରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଅନ୍ୟାନ୍ୟ ଭାଷାରେ ମଧ୍ୟ ଉପଲବ୍ଧ କରାଯିବ।
ଏହି ଅବସରରେ କଞ୍ଚାଲଙ୍କାର ଅଧ୍ୟକ୍ଷ ଅକ୍ଷୟ ପରିଜା କହିଛନ୍ତି, “‘ଶ୍ରୀ ଜଗନ୍ନାଥ’ ଆମ ପାଇଁ କେବଳ ଏକ ସିରିଜ୍ ନୁହେଁ, ବରଂ ଏହା ଆମର ଏକ ସମର୍ପଣ। ମହାପ୍ରଭୁଙ୍କ ମହିମା ଏବଂ ଏଥିରେ ଥିବା ମାନବିକ ମୂଲ୍ୟବୋଧକୁ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ସଠିକ୍ ସମ୍ବେଦନଶୀଳତା ଓ ବ୍ୟାପକତା ସହ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଆମର ଲକ୍ଷ୍ୟ। ଓଡ଼ିଆ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରୁଥିବା ଏହି ପବିତ୍ର କାହାଣୀ ଓଡ଼ିଶା ବାହାରେ ମଧ୍ୟ ଆଦୃତ ହେବ ବୋଲି ଆମେ ଆଶାବାଦୀ।”
ସୂଚନାଯୋଗ୍ୟ ଯେ, ଗୁଣାତ୍ମକ ଅରିଜିନାଲ୍ କଣ୍ଟେଣ୍ଟ ପ୍ରଦାନ କରୁଥିବା ‘କଞ୍ଚାଲଙ୍କା’ର ବିଶ୍ୱର ୧୭ଟି ଦେଶରେ ୨୦ ଲକ୍ଷରୁ ଅଧିକ ଆପ୍ ଡାଉନଲୋଡ୍ ରହିଛି। ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଏବଂ ‘ବାରଙ୍ଗ ୧୯୯୯’ ଭଳି ସୁପରହିଟ୍ ୱେବ୍ ସିରିଜ୍ ଦେଇଥିବା ଏହି ପ୍ଲାଟଫର୍ମ ପ୍ଲେ ଷ୍ଟୋର୍, ଆପ୍ ଷ୍ଟୋର୍, ଆଣ୍ଡ୍ରଏଡ୍ ଟିଭି, ଆପଲ୍ ଟିଭି, ଜିଓ ଟିଭି ଓ ଜିଓ ଏସଟିବି ସମେତ ବିଭିନ୍ନ ଡିଷ୍ଟ୍ରିବ୍ୟୁସନ୍ ପ୍ଲାଟଫର୍ମରେ ଉପଲବ୍ଧ। “ଶ୍ରୀ ଜଗନ୍ନାଥ”ର ଘୋଷଣା ଏବେ ସାରା ଦେଶର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି।