ନୂଆଦିଲ୍ଲୀ:ତୃଣମୂଳ କଂଗ୍ରେସର କୁହାଳିଆ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଜୋଶ ଚଳିତ ଅଧିବେଶନର ଶେଷ ବେଳକୁ ହଠାତ ଥଣ୍ଡା ପଡିଗଲା। କଥା କଥକେ ଗୃହର ମଧ୍ୟ ଭାଗକୁ ଡେଇଁପଡି ଚତ୍କାର କରୁଥିବା ସାଂସଦଙ୍କର ଏ ନରମ ରୁପ ଦେଖି ସାଥି ସାଂସଦମାନେ ବିସ୍ମିତ ହେଲେ।
ଖୋଜୁ ଖୋଜୁ କାରଣଟା ଜଣାପଡିଲା।
ଗତ ସୋମବାର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବୀକରି ଗୃହର ମଧ୍ୟ ଭାଗକୁ ଚାଲିଆସି ସ୍ଲୋଗାନବାଜି ଆରମ୍ଭ କରିଦେଇଥିଲେ। ତାଙ୍କ ସାଙ୍ଗେ ତାଙ୍କ ଦଳର ସାଂସଦ ଏବଂ ବିପକ୍ଷ ଦଳର ସାଂସଦମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଚାଲିଆସି ମନ୍ତ୍ରୀଙ୍କ ଇସ୍ତଫା ଦାବୀକରି ହୋ-ହଲ୍ଲା କରିଥିଲେ। ଏହି ହୋ-ହଲ୍ଲା ପାଟିତୁଣ୍ଡ ମଧ୍ୟରେ ସାଂସଦଙ୍କ ହାତର ମୁଦିଟା କେଉଁଠି ପଡିଗଲା। ମୁଦି ପିନ୍ଧିବାରେ ସଉକ ରଖୁଥିବା ସାଂସଦଙ୍କ ମୁଡ଼ ଅଫ ହୋଇଗଲା। ଦଳର ସାଥୀ ସାଂସଦ ମହୁଆ ମୋଇତ୍ର ପ୍ରସୁନ ବାନାର୍ଜୀଙ୍କୁ କଥାଟା ଜଣାଇଲେ। ତିନିହେଁ ମିଶି ମୁଦି ଖୋଜିଲେ। କଥାଟା ଜଣା ପଡିବା ପରେ ଅନ୍ୟ ସାଂସଦମାନେ ମଧ୍ୟ ଖୋଜିବାରେ ଲାଗିପଡିଲେ। ମୁଦି ଖୋଜା କାମରେ ମାର୍ଶାଲଙ୍କୁ ଲଗାଇବାକୁ ଗଲାବେଳେ ପ୍ରସୂନ ବାନାର୍ଜୀ ମୁଦିଟିକୁ ପାଇଲେ। ସଂସଦର ସବୁଜ କାର୍ପେଟର ଗୋଟିଏ କୋଣରେ ପଡିଥିଲା ମୁଦିଟା।
ଏହି ଘଟଣା ପରଠୁ ସାଂସଦ କଲ୍ୟାଣ ବାନାର୍ଜୀ ଟିକେ ସତର୍କତାର ସହ ପ୍ରତିବାଦ କରୁଥିବାର ଦେଖାଗଲା। କଥା କଥାକେ ହାତ ଦୁଇଟିକୁ ଉପରକୁ ଛାଟି ସ୍ଲୋଗାନ ଗର୍ଜୁଥିବା କଲ୍ୟାଣ ବାନାର୍ଜୀ ମୁଦି ହଜିଲା ଦିନଠୁ ସଂଯମ ହୋଇପଡିଛନ୍ତି।