ଭୁବନେଶ୍ୱର: ଇଷ୍ଟର୍ନ ଜୋନାଲ କାଉନସିଲର ର ଗୁରତ୍ୱପୂର୍ଣ ବୈଠକ ବିହାରର ରାଜଧାନୀ ପାଟନା ରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏଥିରେ ପୌରହିତ କରିବେ। ପୂର୍ବାଞ୍ଚଳ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି କାଉନସିଲର ସଭ୍ୟ ଅଛନ୍ତି।
ତେବେ ଏଥରର ଏହି ବୈଠକରେ କେହିବି ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ଦେଖା ଯାଉନି।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ଯୋଗ ଦେବାର ନାହିଁ। ଏମିତି ସେ ଗତ ବର୍ଷ ଡିସେମ୍ବର ୧୭ ରେ ଅନୁଷ୍ଠିତ ବୈଠକରେ ବି ଯୋଗ ଦେଇନଥିଲେ। ଉପ-ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପଠାଇ ଦେଇଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ଯୋଗ ଦେବାର ନାହିଁ। ମମତା- ବିଜେପି ସରକାର ବିଶେଷ କରି ଶାହାଙ୍କ ମଧ୍ୟରେ ତିକ୍ତତା ବର୍ତମାନ ଚରମ ସୀମାରେ ଅଛି। ସେହି ଭଳି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗ ଦେବାର ସମ୍ବାବନା ନାହିଁ। ସୋରେନ ବର୍ତ୍ତମାନ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ‘ଆପକୀ ଯୋଜନା, ଆପକୀ ସରକାର, ଆପକୀ ଦ୍ଵାର ‘ ଅଭିଯାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଛନ୍ତି।
ପ୍ରକୃତ ପକ୍ଷେ ଏହି ତିନି ଜଣ ମୁଖ୍ୟମନ୍ତ୍ରୀ ବିପକ୍ଷ ଇଣ୍ଡିଆ ଗଠବନ୍ଧନର ସଦସ୍ୟ ଅଛନ୍ତି। ଏଣୁ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକରେ ଯୋଗ ନଦେବାର ଯଥାର୍ଥତା ରହିଛି।
ଏହି ଭଳି ଏକ ପରିସ୍ଥିତିରେ ବର୍ତ୍ତମାନ ସମସ୍ତଙ୍କର ଆଖି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ। ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେବା ନା ନାହିଁ? ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ନବୀନ ଏବଂ ତାଙ୍କ ସରକାର ଓ ଦଳ ବିଜେପିର ଏନଡିଏ ଓ କଂଗ୍ରେସର ଇଣ୍ଡିଆ ଗଠବନ୍ଧନ ଠାରୁ ସମଦୁରତା ରକ୍ଷା କରି ଆସୁଛି।
ତେବେ ସଂପ୍ରତି ଅନୁଷ୍ଠିତ ହୋଇଥିବା ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ଅନୁଧ୍ୟାନ କଲାପରେ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।
ତେବେ ସେ ଯାହା ହେଉନା କାହିଁକି ନବୀନ ଯଦି ଏହି ବୈଠକରେ ଯୋଗ ନ ଦିଅନ୍ତି ତାହେଲେ ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ରେ ଶାହାଙ୍କ ଆସନ୍ତା ପୂର୍ବାଞ୍ଚଳ ଜୋନାଲ କାଉନସିଲର ବୈଠକ ଗୁରୁତ୍ୱ ହ୍ରାସ ପାଇବ।