Nation

ଓଡିଶା ରାଜ୍ୟପାଳଙ୍କୁ ଭେଟିଲେ ନବାଗତ ଭାରତୀୟ ସୂଚନା ସେବା ଅଧିକାରୀ

Published

on

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନେ ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।

ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡ଼ିଶାରେ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ସବୁକ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସମ୍ପନ୍ନ ରାଜ୍ୟ। ଏହି ରାଜ୍ୟ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡ଼ିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ବାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଏବଂ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ରାଜ୍ୟପାଳ କହିଥିଲେ।

ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *

Trending

Exit mobile version