ମନୋରଂଜନ

ଅବିଭକ୍ତ କଟକ ପ୍ରେମକୁ ମିଳିଲା ସ୍ୱିକୃତି : ଥାନାରେ ପଡ଼ିଲା ହାତଗଣ୍ଠି

Neque porro quisquam est, qui dolorem ipsum quia dolor sit amet, consectetur, adipisci velit, sed quia non numquam eius.

Published

on

ମୁଣ୍ଡରେ ନଥିଲା ବାହା ମୁକୁଟ। ବାଜିଲାନି ତେଲିଙ୍ଗି ବାଜା। ବନ୍ଧା ହୋଇ ନଥିଲା ବେଦି। କିନ୍ତୁ ପ୍ରେମିକ ତାର ପ୍ରେମିକାକୁ ଜୀବନସାଥୀ ଭାବେ ପାଇଛି। ପରିବାର ଲୋକ ସହଯୋଗ ନକଲେ ବି ଥାନାରେ ପୋଲିସ ଉପସ୍ଥିତିରେ ଫୁଲ ମାଳ ଆଦାନ ପ୍ରଦାନ ଆଉ ବ୍ରାହ୍ମଣଙ୍କର ମନ୍ତ୍ର ପାଠରେ ହାତଗଣ୍ଠି ପଡ଼ିଛି। କେଉଁଠି ପ୍ରେମିକ ତାର ପ୍ରେମିକାକୁ ଧୋକା ଦେଉଛି ତ ଆଉ କେଉଁଠି ପ୍ରେମିକ ପ୍ରେମିକାକୁ ପାଇବା ପାଇଁ ସବୁ ପ୍ରକାର ବାଧା ବିଘ୍ନକୁ ଏଡ଼ାଇ ନିଆଁକୁ ଡେଇଁବାକୁ ପଛାଉ ନାହିଁ। ଏମିତି ଏକ ନିଚ୍ଛକ ପ୍ରେମ କାହାଣୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଜରୀପଡ଼ା ଗାଁର ରଶ୍ମିତା (ଛଦ୍ମନାମ) ତାଙ୍କ ଘରୁ ନିଖୋଜ ହୋଇଗଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଲେ। ହେଲେ ରଶ୍ମିତାଙ୍କର ଟେର୍ ପାଇଲେନି। ରଶ୍ମିତାଙ୍କର ମା’ ଗାଁ ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିଲେ। ଭୋଗ ବି ଯାଚିଲେ। ବାପା ରମେଶ ବହୁ ଗୁଣି ଗାରେଡିର ଆଶ୍ରୟ ବି ନେଲେ। ହେଲେ ରଶ୍ମିତାଙ୍କର କିଛି ସନ୍ଧାନ ନମିଳିବାରୁ ଶେଷରେ କେନ୍ଦ୍ରାପଡ଼ା ସଦରଥାନାରେ ଅଭିଯୋଗ କଲେ। ଝିଅ ରଶ୍ମିତା ପ୍ରାପ୍ତ ବୟସ୍କା ହୋଇଥିବାରୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ମାମଲା ରୁଜୁ ନକରି କେବଳ ଏକ ନିଖୋଜ ଷ୍ଟେସନ ଡାଏରୀ କରିଥିଲେ।
ରଶ୍ମିତା କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ବେଗୁନିଆପଦା ଗାଁର ପରମେଶ୍ୱର ଗୁରୁଙ୍କ ପୁଅ ବବୁଲ ଗୁରୁଙ୍କୁ ଭଲ ପାଉଥିଲେ। ତାଙ୍କ ପିଉସିଘର ବେଗୁନିଆପଦା ଗାଁକୁ ଯିବା ଆସିବା କରିବା ସମୟରେ ବବବୁଲଙ୍କ ପ୍ରେମ ଫାସରେ ଫସି ଯାଇଥିଲା। ପରସ୍ପର ପରସ୍ପରକୁ ଦୀର୍ଘଦିନ ଧରି ଭଲ ପାଇ ଆସୁଥିଲେ ମଧ୍ୟ ରଶ୍ମିତାଙ୍କ ପରିବାର ଜାଣି ନଥିଲେ। ସବୁ ସମୟରେ ରଶ୍ମିତା ବବୁଲଙ୍କ ସହିତ ଟେଲିଫୋନରେ କଥା ହେଉଥିଲା।
ଗତ ଅଗଷ୍ଟ ୨୩ ତାରିଖରେ ରଶ୍ମିତାଙ୍କୁ ବବୁଲ ଟେଲିଫୋନରେ ଖବରଦେଇ ଜରିପଡା ଗାଁରୁ ନେଇଯାଇଥିଲା। ବବୁଲ ସିନା ତାଙ୍କୁ ସାଥିରେ ନେଇଗଲା ହେଲେ ବବୁଲଙ୍କ ଘର ଲୋକେ ବବୁଲକୁ ଘରେ ପୂରାଇ ଦେଲେନି।
ମାସେ ହେଲା ଦୁହେଁ ଘରଛାଡି ବାହାରେ ରହୁଥିଲେ । କିଛି ଦିନ ପରେ ରଶ୍ମିତାଙ୍କ ପରିବାର ଖବର ପାଇଲେ କି ତାଙ୍କ ଝିଅକୁ ବେଗୁନିଆପଦା ଗାଁର ବବୁଲ ଗୁରୁ ଅପହରଣ କରି ନେଇଯାଇଛି। ପୋଲିସ ଉପରେ ଚାପ ପକାଇବାରେ ଲାଗିଲେ ବାପା ରମେଶ। ପୋଲିସ ଖୋଜୁଥିବା ଖବର ପାଇଲେ ପ୍ରେମିକ ପ୍ରେମିକା। ଶେଷରେ କେନ୍ଦ୍ରାପଡ଼ା ଯାଇ ଜଣେ ମହିଳା ଓକିଲଙ୍କ ପରାମର୍ଶ ନେଲେ ଦୁହେଁ। କେନ୍ଦ୍ରାପଡ଼ା ବାରର ମହିଳା ଓକିଲ ମମତାମୟୀ ସାମଲ ଉଭୟଙ୍କର ବୟସ ଜାଣିବା ପରେ ଜଣା ପଡ଼ିଲାକି ଉଭୟ ସାବାଳକ। ତେଣୁ ଉଭୟ ବିବାହ କରିବା ପାଇଁ କୌଣସି ଆଇନର ପ୍ରତି ବନ୍ଧକ ନାହିଁ। କେନ୍ଦ୍ରାପଡ଼ା ଥାନାରେ ଏମାନଙ୍କ ନାମରେ ଅଭିଯୋଗ ଥିବାରୁ ଓକିଲ ମମତାମୟୀ କେନ୍ଦ୍ରାପଡ଼ା ସଦର ଥାନା ଇନ୍ସପେକ୍ଟର କାବୁଲି ବାରିକଙ୍କ ସହିତ ପରାମର୍ଶ କଲେ। ଉଭୟ ପ୍ରେମିକ ପ୍ରେମିକାଙ୍କୁ ଥାନାରେ ହାଜର କରାଇଲେ। ଥାନା ବାବୁଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗାଁର ସ୍ୱେଚ୍ଛାସେବୀମାନଙ୍କ ଗହଣରେ ଥାନା ପରିସରରେ ହୋଇଛି ବିବାହ ଉତ୍ସବ।
ବିବାହ ଉତ୍ସବରେ ବ୍ରାହ୍ମଣ ଭାବରେ ଯୋଗ ଦେଇଥିଲେ ଶ୍ୟାମସୁନ୍ଦରପୁର ଗାଁର ନାରାୟଣ ପତି। ବାଜା, ବାଣ ନଥିଲେ ବି ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଉଛୁଳି ପଡ଼ିଲା କେନ୍ଦ୍ରାପଡ଼ା ସଦରଥାନା ପରିସର। ଦୁଇଟି ଫୁଲ ମାଳ ପରସ୍ପରକୁ ବିବାହ ବନ୍ଧନରେ ଆବଦ୍ଧ କରିଦେଲା। ଫୁଲର ଡୋରିରେ ଦୁହିଁଙ୍କର ହାତକୁ ଛନ୍ଦି ଦେଲେ ବ୍ରାହ୍ମଣ ଗୋଷେଇଁ। ପୋଲିସ, ଓକିଲ ଆଉ ସ୍ୱେଚ୍ଛାସେବୀମାନେ ଚାହିଁ ରହିଥିଲେ ଦୁହିଁଙ୍କୁ। ଉଭୟଙ୍କର ଆଖିରୁ ବହି ଆସିଥିଲା ଆନନ୍ଦର ଅଶ୍ରୁ। ପ୍ରେମିକ ପ୍ରେମିକାଙ୍କ ପରିବାର ଏମାନଙ୍କ ବିବାହକୁ ସ୍ୱୀକୃତି ଦେଉ ନଥିଲା ବେଳେ ଦୁହେଁ ବିବାହ ବନ୍ଧନରେ ଛନ୍ଦି ହୋଇଗଲେ।

Leave a Reply

Your email address will not be published. Required fields are marked *

Trending

Exit mobile version