Connect with us

ଜ୍ୟୋତି ନନ୍ଦ:

ପ୍ରଥମରୁ ଏଇ କଥାକୁ ସ୍ପଷ୍ଟ କରିଦେବାକୁ ହେବ ଯେ ଉପସ୍ଥିତ ଲେଖକ ଉଚ୍ଚାରଣ ବିଦ୍ୟାରେ ଦକ୍ଷ ନୁହଁ। ଯେଉଁ ମହାନୁଭବ ଚିନ୍ତକ ମାନେ ବିଶ୍ୱ ପର୍ଯ୍ୟଟକ ସେମାନେ ଏହାର ସଠିକ ଉଚ୍ଚାରଣ କରିପାରିବା ନିଶ୍ଚୟ ସମ୍ଭବପର ହେବ। ଯେତେବେଳ ଯାଏଁ ସେହି ମହାନୁଭବଙ୍କର ସଂଶୋଧନ ମୂଳକ ପ୍ରସ୍ତାବନା ଆମ ଭଳି ଅଜ୍ଞ ମାନଙ୍କ ନିକଟକୁ ଆସିନାହିଁ ,ସେ ପର୍ଯ୍ୟନ୍ତ ଆମକୁ ଏଇ ଭଳି ଏକ ଉଚ୍ଚାରଣ ( ଭ୍ରାମକ ହୋଇପାରେ !) ସହିତ ବସବାସ କରିବାକୁ ହେବ।

ସେ ଯାହାହେଉ ,କେହି କେହି ତାଙ୍କର ନାଆଁକୁ ଉଚ୍ଚାରଣ କରୁଛନ୍ତି,ଇୟୋନ ଫସସେ ତ କେହି କେହି କହୁଛନ୍ତି ଜୋନ ଫସସେ।

ଇୟୋନ ଫସସେ ହେଉଛନ୍ତି ଚଳିତ ବର୍ଷ ଅର୍ଥାତ୍୨୦୨୩ ର ସାହିତ୍ୟରେ ନୋବେଲ ପୁରସ୍କାର ର ପ୍ରାପକ ।

ସାହିତ୍ୟରେ ଯେଉଁମାନେ ନୋବେଲ ପୁରସ୍କାର ପାଇଥାନ୍ତି ବିଶେଷ ଭାବରେ ସେମାନଙ୍କୁ ନେଇ ସବୁବେଳେ ଆମର କୌତୁହଳ ଅଧିକ। ଆମ ଭଳି ଯେଉଁ ସ୍ୱଳ୍ପପାଠୀ କୂପମଣ୍ଡୁକ ମାନେ ରହିଛନ୍ତି ସେମାନଙ୍କ ପାଇଁ ପ୍ରତି ବର୍ଷ ଜଣକ ପରେ ଜଣେ ସାହିତ୍ୟରେ ଯେଉଁ ନୋବେଲ ପୁରସ୍କାର ର ପ୍ରାପକ ମାନେ ଆସିଥାନ୍ତି ତାଙ୍କର ଲେଖାର ପ୍ରଚାର ଏବଂ ଉପଲବ୍ଧତା ମାଧ୍ୟମରେ ବିଶ୍ୱସାହିତ୍ୟର ସମକାଳକୁ ଜାଣିବା ପାଇଁ ସହଜ ଝରକା ଟିଏ ଖୋଲିଯାଏ । ଆମେ ପ୍ରତିବର୍ଷ ସେହି ଭଳି ଚର୍ଚ୍ଚିତ ଲେଖକ ମାନଙ୍କ ମାର୍ଫତରେ ଜାଣିପାରୁ ଯେ ଅସଲରେ ଆମର ଚାରିପାଖେ କେଉଁ ଭଳି ସୃଜନ ପରିପୁଷ୍ଟ ହେଉଅଛି ।

ଅବଶ୍ୟ ସମସ୍ତଙ୍କ ପାଖରେ ଅର୍ଥାତ୍ ସମସ୍ତ ପାଠକଙ୍କ ପାଖରେ ସାହିତ୍ୟର ଶ୍ରେଷ୍ଠତାକୁ ଆକଳନ କରିବା ପାଇଁ ଏକ ପ୍ରକାର ବ୍ୟକ୍ତି ପରକ ମାପକାଠି ରହିଥାଏ । ପାଠକ ପାଖରେ ଥିବା ସେହି ଶ୍ରେଷ୍ଠତ୍ୱର ମାପକାଠି ର ସ୍ୱରୂପ ସଂପର୍କରେ ଆମେ ଅନେକ ସମୟ ଅସ୍ପଷ୍ଠ। ମୋତେ ଅମୁକ ଲେଖାଟି ଭଲ ଲାଗିଲା ବାସ୍।ତାହାପରେ ଆଉ କ’ଣ ? ତେଣୁ ଆମର ସାହିତ୍ୟରେ ଶ୍ରେଷ୍ଠତ୍ୱ ବିଚାର ର ମାପକାଠିଟି ଜାଦୁଦଣ୍ଡର “ଆବ୍ରାକାଡାବ୍ରା” ଭଳି ଉଚ୍ଚାରଣ ରେ ସଂଗୋପିତ ହୋଇ ରହିଯାଏ।

ସାହିତ୍ୟରେ ଶ୍ରେଷ୍ଠତ୍ୱ ବିଚାରକୁ ନେଇ ପରେ କେବେ ।

ସାହିତ୍ୟରେ ୨୦୨୩ ର ନୋବେଲ ପୁରସ୍କାର ଘୋଷଣା ହେବା ପରେ “ଦି ଗାର୍ଡିଆନ୍”ସଂବାଦପତ୍ରରେ ଏଲା କ୍ରେମର୍ ଙ୍କ ଇୟୋନ ଫସସେ ଙ୍କୁ ନେଇ ଯେଉଁ ସଂକ୍ଷିପ୍ତ ପ୍ରତିବେଦନଟି ପ୍ରକାଶିତ ହୋଇଛି ସେଥିରୁ ଆମେ ଏହି ସମ୍ମାନୀତ ଲେଖକଙ୍କ ସଂପର୍କରେ ସମ୍ୟକ ଧାରଣା ହାସଲ କରିପାରିବା।

ସୌଭାଗ୍ୟକୁ ଉପସ୍ଥିତ ଲେଖକର ନିକଟକୁ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଅନୁଜ ରମାକାନ୍ତ ସାମନ୍ତରାୟ ଇୟୋନ୍ ଫସସେ ଙ୍କ ଦୁଇଟି ବହିର “ମଧୁର-ପ୍ରତିଲିପି” ପ୍ରେରଣ କରିଛନ୍ତି। ତାଙ୍କୁ ଅନେକ ଅନେକ ଧନ୍ୟବାଦ।

“ଦି ଗାର୍ଡିଆନ୍” ରେ ଏଲା କ୍ରେମର ଙ୍କ ଆଲେଖଟି ଏହିପରି :

ସାହିତ୍ୟରେ ନୋବେଲ ପୁରସ୍କାର ୬୪ ବର୍ଷୀୟ ନରୱେଜିଆନ ଲେଖକ ଇୟୋନ ଫସସେ ଙ୍କୁ ପ୍ରଦାନ କରାଯାଇଛି ତାଙ୍କର ” ଅଭିନବ ନାଟକ ଏବଂ ଗଦ୍ୟ ରଚନାର ନିମନ୍ତେ ଯାହା ବସ୍ତୁତଃ ଭାଷାହୀନ ମାନଙ୍କୁ ଭାଷା ଦେଇଥାଏ।” ତାଙ୍କର ରଚନାର ମଧ୍ୟରେ ରହିଛି ଉପନ୍ୟାସ ଶୃଙ୍ଖଳା Septology,Aliss at the Fire,Melancholy,ଏବଂ A Shining ।

“ବିଭିନ୍ନ ଧରଣର ଶୈଳୀ କୁ ଧାରଣକରି ତାଙ୍କର ବିଶାଳ ସାହିତ୍ୟ ସମ୍ଭାର ରହିଛି,ପ୍ରାୟ ୪୦ ଖଣ୍ଡ ନାଟକ ଏବଂ ଅନେକ ଉପନ୍ୟାସ ,କବିତା ସଂକଳନ,ପ୍ରବନ୍ଧ,ଶିଶୁ ସାହିତ୍ୟ ଓ ଅନୁବାଦ ରହିଅଛି ” ଏ କଥା କହିଛନ୍ତି ନୋବେଲ କମିଟୀ ର ସାହିତ୍ୟ ବିଭାଗର ଚେୟାରମ୍ୟାନ ଆଣ୍ଡାର୍ସ ଅଲସନ୍। “ଫସସେ ତାଙ୍କର ନରଓୟେଜୀୟ ପୃଷ୍ଠଭୂମୀ ଓ ଭାଷାର ଉତ୍ପତ୍ତିସ୍ଥଳରେ ଉଦ୍ଭାସିତ ହୋଇ ବି ଆଧୁନିକତାବାଦର ଶିଳ୍ପ ଏବଂ ପଦ୍ଧତିଗୁଡିକୁ ବ୍ୟବହାର କରିଛନ୍ତି।”

“ମୁଁ ଭାବ ବିହ୍ୱଳ ଏବଂ ଅନେକ ପରିମାଣରେ ଆତଙ୍କିତ । ମୁଁ ଏହାକୁ ଦେଖୁଛି, ସାହିତ୍ୟ ପାଇଁ ଏପରି ଏକ ପୁରସ୍କାର ଯାହା ,ପ୍ରଥମରେ ଏବଂ ମୁଖ୍ୟତଃ, ସାହିତ୍ୟ ଲକ୍ଷ୍ୟରେ ହିଁ ଏକ ପୁରସ୍କାର,ଯାହାର ଅନ୍ୟ କୌଣସି ଭିନ୍ନ ବିଚାରଶୀଳ ଅର୍ଥ ରହିନାହିଁ।” ଫସସେ ଗୋଟିଏ ବକ୍ତବ୍ୟ ରେ ଏହିପରି କହିଛନ୍ତି।

ଏହା ସହିତ ସେ ନରଓୟେଜୀୟ ଗଣସଂଯୋଗକାରୀ ଏନଆରକେ କୁ କହିଛନ୍ତି ଯେ ସେ ପୁରସ୍କାର ପାଇବା ଘଟଣାରେରେ ଉଭୟ “ଆଶ୍ଚର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ନୁହଁନ୍ତି।” “ମୁଁ ଏଇଭଳି ଗୋଟିଏ ବିଚାରର ପରିସରରେ ବିଗତ ଦଶବର୍ଷ ହେଲା ରହି ଆସିଛି ଏବଂ ଏଇ ଭଳି କିଛି କେବେ ଘଟିଯିବ ବୋଲି ମୁଁ ଊଣାଅଧିକେ ନିଜକୁ ଅନେକ ଦିନ ହେଲା ପ୍ରସ୍ତୁତ କରିଆସୁଥିଲି “,ସେ କହିଛନ୍ତି।

ଫସସେ ଙ୍କ କଥାସାହିତ୍ୟର ପ୍ରକାଶକ ଜ୍ୟାକ୍ ଟେଷ୍ଟାର୍ଡ ଏଇ ଖବର ଶୁଣିବା ପରେ ନିଜର ଅଭିମତରେ କହିଛନ୍ତି,” ସେ ହେଉଛନ୍ତି ଜଣେ ଅସାଧାରଣ ଲେଖକ ଯିଏ ଉପନ୍ୟାସ ଲେଖାରେ ଗୋଟିଏ ସଂପୂର୍ଣ୍ଣ ଅନନ୍ୟ ପଦ୍ଧତିକୁ ଖୋଜି ପାଇଛନ୍ତି। ତାଙ୍କର ନରଓୟେଜୀୟ ସଂପାଦକ ସେସିଲି ସାଇନେସ୍ ସଂପ୍ରତି ଗୋଟିଏ ସାକ୍ଷାତକାରରେ କହିଛନ୍ତି ,ଯଦି ଇୟୋନ ର କୌଣସି ବହିକୁ ଖୋଲି ଜଣେ କେତୋଟି ଧାଡି ପଢିବସେ,ତାହାହେଲେ ସେ ଠିକ୍ ବୁଝିପାରିବ ଯେ ଏଇଟି ତାଙ୍କ ଛଡା ଆଉ କାହାର ଲେଖା ନୁହଁ ।

“ତାଙ୍କର ଉପନ୍ୟାସଗୁଡିକ ମନ୍ତ୍ରମୁଗ୍ଧକାରୀ,
ରହସ୍ୟମୟ ଏବଂ ସେ ଯେଉଁ ପଶ୍ଚିମୀ ଫିଅର୍ଡ ଭୂଖଣ୍ଡରେ ( ଫିଅର୍ଡ ହେଉଛି ନରଓୟେ ରେ ସମୁଦ୍ର ଆଡକୁ ଯାଉଥିବା ସଂକୀର୍ଣ୍ଣ ପଥ ଯାହାର ଦୁଇପଟେ ପର୍ବତମାନ ଓହଳି ରହିଥାନ୍ତି )ବସବାସ କରୁଛନ୍ତି ତାହାର ସବିଶେଷ ଚିତ୍ର ଦେଖିବାକୁ ମିଳେ।” ଟେଷ୍ଟାର୍ଡ କହନ୍ତି।” ଏହା ସହିତ ଏଇ କଥା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ସେ “ନିଉ ନରଓୟେଜିଆନ” ବା “ନିଉନରସ୍କ” ଭାଷାରେ ଲେଖିଥାନ୍ତି ଯାହା ନରଓୟେ ର ଗୋଟିଏ ସଂଖ୍ୟାଲଘୁ ଭାଷା,ଏପରି କାମ ଆପଣାଆପେ ଏକ ରାଜନୈତିକ କାର୍ଯ୍ୟ। ସେ ଜଣେ ଅସାଧାରଣ ନାଟ୍ୟକାର ଏବଂ କବି ବି। ଏହା ସହିତ ସେ ଅସାଧାରଣ ମନଃଶକ୍ତି ର ଅଧିକାରୀ ,ତାଙ୍କଠାରୁ ଉପଯୁକ୍ତ ଭଦ୍ରବ୍ୟକ୍ତିତ୍ୱ ଆଉ କେହି ହୁଏତ ହୋଇପାରିବେ ନାହିଁ।”

୧୯୫୯ ସାଲ ରେ ନରଓୟେର ପଶ୍ଚିମ ଉପକୂଳରେ ହାଉଗେସୁଣ୍ଡ ରେ ଜନ୍ମଗ୍ରହଣ କରିଥିବା ଫସସେ ଷ୍ଟ୍ରାଣ୍ଡେବାର୍ମରେ ବଡ ହୋଇଛନ୍ତି। ମାତ୍ର ସାତ ବର୍ଷ ବୟସରେ ଗୋଟିଏ ଦୁର୍ଘଟଣାରେ ତାଙ୍କର ପ୍ରାୟ ମୃତପ୍ରାୟ ଅବସ୍ଥା ,ଯାହାକୁ ସେ ନିଜର ଶିଶୁପ୍ରାପ୍ତିର
” ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା” ହିସାବରେ ଉଲ୍ଲେଖ କରିଛନ୍ତି ଏବଂ ଏହା ହିଁ ତାଙ୍କୁ ଭବିଷ୍ୟତରେ ଜଣେ ଶିଳ୍ପୀ ହିସାବରେ “ଗଢି ତୋଳିଛି।” ତାଙ୍କର କିଶୋର ବୟସରେ ସେ ଜଣେ ଗୀଟାରବାଦକ ହେବାର ସ୍ୱପ୍ନ ଦେଖିଛନ୍ତି ,ତାହାପରେ ତାଙ୍କର ଆଗ୍ରହ ଲେଖାଲେଖି ଆଡକୁ ଢଳିଥାଏ ।

ତାଙ୍କର ପ୍ରଥମ ଉପନ୍ୟାସ “Raudt,svet”
(ଲାଲ୍,କଳା ) ୧୯୮୩ ରେ ପ୍ରକାଶିତ ହୁଏ । ତାଙ୍କର ପ୍ରଥମ ଅଭିନୀତ ନାଟକ Og aldri skal vi skiljast (” ଆଉ ଆମେମାନେ କେବେ ଅଲଗା ହେବାନି”) ୧୯୯୪ ମସିହାରେ ବାର୍ଗେନ ର ଜାତୀୟ ନାଟ୍ୟଶାଳାରେ ମଞ୍ଚସ୍ଥ କରାହୁଏ।ତେବେ ,ସେ ଯେଉଁ ପ୍ରଥମ ନାଟକ ଲେଖିଥିଲେ Nokon kjem til a komme
(” କିଏ ଆସିବାକୁ ଅଛି “) ତାହାକୁ ୧୯୯୯ରେ ଫରାସୀ ପରିଚାଳକ କ୍ଲଦ ରେଜି ନାଣ୍ଟେ ଠାରେ ମଞ୍ଚସ୍ଥ କରାଇ ତାଙ୍କ ପାଇଁ ପ୍ରଚୁର ଖ୍ୟାତି ଆଣି ପାରିଥିଲେ।

ଫସସେ ୩୦ ରୁ ବେଶି ନାଟକ ଲେଖିଛନ୍ତି,ସେଗୁଡିକ ଭିତରେ ରହିଛି Nammet (“ନାମ”),Vinter (“ଶୀତ”)
Ein sommars dag (” ଗୋଟିଏ ଗ୍ରୀଷ୍ମର ଦିନ “)। ତାଙ୍କର ବୃହତ୍ତର କାମ ଭିତରେ ରହିଛି Septology ଟ୍ରିଲଜି ,ଯାହାର ତୃତୀୟ ଖଣ୍ଡ ୨୦୨୨ ରେ ଆନ୍ତର୍ଜାତିକ ବୁକର ପୁରସ୍କାର ର ଦାବୀଦାର ଥିଲା।

ନାଟ୍ୟଲେଖନ ରୁ ଟିକିଏ ବିରତି ର ପରେ ୨୦୧୩ ମସିହାରେ କ୍ୟାଥଲିକ ଧର୍ମ ଗ୍ରହଣ ର ପରେ ଫସସେ Septology ଲେଖିବାକୁ ଆରମ୍ଭ କରନ୍ତି । ଏଇଟି ନରଓୟେ ର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକା ବସବାସରତ ଜଣେ ବୃଦ୍ଧ ଶିଳ୍ପୀ ଆସଲ୍ ର କଥା । ଆସଲ୍ ନିଜର ଜୀବନକୁ ଯେମିତି ଫେରି ଦେଖୁଛି,ସେଇ କଥାକୁ ଲେଖିବସନ୍ତି ସେ। ସେଠାରେ ସେଇ ବିୟୋର୍ଗଭିନ୍ ଇଲାକାରେ ରହୁଛି ଆଉ ଜଣେ ଆସଲ୍,ଯିଏ ଜଣେ ଶିଳ୍ପୀ,ସେ କିନ୍ତୁ ମଦ୍ୟପାନଜନୀତ ସମସ୍ୟା କୁ ଭୋଗୁଅଛି । ଏହି ଦ୍ୱିରୂପ ବ୍ୟକ୍ତି ମୃତ୍ୟୁ,ବିଶ୍ୱାସ ଏବଂ ପ୍ରେମ ସଂପର୍କରେ ଗୋଟିଏ ଚିରାଚରିତ ପ୍ରଶ୍ନରେ ଆଚ୍ଛନ୍ନ ରହିଛନ୍ତି।

୧୯୮୯ରେ ଫସସେଙ୍କ Nauster (“ବୋଟ ହାଉସ୍”) ପ୍ରକାଶିତ ହେବାର ବର୍ଷ ସେ ହରଡାଲାଣ୍ଡ ରାଇଟିଂ ଏକାଡେମୀ ରେ ଅନ୍ୟ ଜଣେ ନରଓୟେଜୀୟ ଲେଖକ କାର୍ଲ ଓଭେ କ୍ଲାଉସଗାର୍ଡ ଙ୍କୁ ଶିକ୍ଷା ଦେଇଥାନ୍ତି,ସେତେବେଳକୁ ସେ ସେଠାରେ ଜଣେ ଛାତ୍ର ଥିଲେ। ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ସେଇ ନରଓୟେଜୀୟ ଲେଖକ କାର୍ଲ ଓଭେ କ୍ଲାଉସଗାର୍ଡ ଫସସେ ଙ୍କ ସଂପର୍କରେ ୨୦୧୯ ରେ ଏକ ଆଲୋଚନାରେ ଲେଖିଛନ୍ତି ,” ଫସସେ ଯାହା ଲେଖନ୍ତୁ ନା କାହିଁକି,ସେଇଠି ତାଙ୍କର ସ୍ୱର ଥିବ,କଦାପି ଅନୁପସ୍ଥିତ ରହିବ ନାହିଁ।”

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

ସାହିତ୍ୟ ମାସିକୀ: ବାଜପେୟୀଙ୍କ କବିତାର ଅନୁଦିତ ପୁସ୍ତକ “କବିତା ଅଟଳ ” ପାଠକାର୍ପିତ

Published

on

ଭୁବନେଶ୍ୱର: ସହୃଦୟତା, ଅପୂର୍ଣ୍ଣତା ଓ ନିର୍ଭୀକତା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଜୀଙ୍କ କବିତ୍ୱ୍ୱର ମୂଳମନ୍ତ୍ର |ସେ ରାଜନୀତି ଓ ସାହିତ୍ୟସାଧନାକୁ ପୃଥକ ଭାବେ ଲକ୍ଷ୍ୟ କରୁଥିଲେ |ତାଙ୍କ କବିତା ଲୋକଙ୍କ ହୃଦୟରେ ଗୁଞ୍ଜରିତ ହେଉଛି ବୋଲି ଅତିଥିମାନେ ମତ ଦେଇଛନ୍ତି |

ଆଜି ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାକକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ “ସାହିତ୍ୟ ମାସିକୀ ” ରେ ବିଦ୍ୟୁତପ୍ରଭା ଗନ୍ତାୟତଙ୍କ  ଦ୍ୱାରା ବାଜାପାୟୀଙ୍କ କବିତାର ଅନୁବାଦ ପୁସ୍ତକ”କବିତା ଅଟଳ”ପାଠକାର୍ପଣ କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ନାଟ୍ୟକାର ପୂର୍ଣ୍ଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ

ଯୋଗ ଦେଇଥିଲେ | କବି ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ପ୍ରାବନ୍ଧିକା ଡ଼. ସଂଘମିତ୍ରା ଭଞ୍ଜ କବିତାଗୁଡିକ ଉପରେ ଆଲୋକପାତ କରିଥିଲେ | ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଅନୁଵାଦକା ମଧ୍ୟ ବକ୍ତବ୍ୟ ରଖିଥିଲେ | ପ୍ରିୟଦର୍ଶିନୀ ମହାନ୍ତି ଅଶୋକ ସିଂ,ସୁଶାନ୍ତ ଷଡ଼ଙ୍ଗୀ,ସଞ୍ଜୟ ମହାନ୍ତି ଓ ସନ୍ତାପ ଜେନା ପୁସ୍ତକରୁ କବିତା ପଢିଥିଲେ |

କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ |

ଶେଷରେ ବୀଣାପାଣି ମିଶ୍ର ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ଚରଣ ସେଠୀ, ଚନ୍ଦନ ସିଂ, ଚିତ୍ତରଞ୍ଜନ ବର୍ମା, ଶ୍ରୀମନ୍ତ ନନ୍ଦ, ମିହିର କୁମାର ରଥ ଶର୍ମା, ବିଜୟ ମଲ୍ଲିକ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଆର୍ତବନ୍ଧୁ ଦାସ, ପ୍ରହରାଜ ଜୟନାରାୟଣ ନନ୍ଦ, ନିରଞ୍ଜନ ମିଶ୍ର, ଘନ ବିହାରୀ ମହାରଣା, ଶ୍ୟାମାକିଙ୍କର ମହାନ୍ତି, ଅରୁଣ ଡାକୁଆ, ସୁବ୍ରତ ରଥ, ମନମୋହନ ମିଶ୍ର, ପ୍ରଦୀପ୍ତ ବାରିକ, ସନ୍ତାପ ଜେନା, ପ୍ରମୋଦ ପ୍ରଧାନ ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ | ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

 

Continue Reading

ସାହିତ୍ୟ

ସାହିତ୍ୟ ମାସିକୀରେ ଦାଶରଥି ଭୂୟାଁଙ୍କ ଗଳ୍ପ ବହି ‘ନିଜ ଭାଗର ଆକାଶ’ ପାଠାକାଅର୍ପଣ

Published

on

 ଭୁବନେଶ୍ବର :

କ୍ଷୁଦ୍ରଗଳ୍ପରେ ଲେଖକର ଏକ ନୂତନ ଦୃଷ୍ଟି ଥାଏ | ଗଳ୍ପରେ ପାଠକ ପାଇଁ କିଛି ଅନାବଶ୍ୟକ ନ ଥାଏ | ଲେଖକ ତା ସୃଷ୍ଟିରେ ଏକାଧିକ ଜୀବନ ବଞ୍ଚେ | ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ” ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମତ ଦେଇଛନ୍ତି |

ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ସଭା ଗୃହରେ ନାଗାଲାଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼. ଦାଶରଥି ଭୂୟାଁଙ୍କ 8ମ ଗଳ୍ପ ବହି “ନିଜ ଭାଗର ଆକାଶ” ର ପାଠକାର୍ପଣ ସମାବେଶରେ

ଯୋଗ ଦେଇ ପ୍ର. ଅଭିରାମ ବିଶ୍ୱାଳ ପୁସ୍ତକର ସାମଗ୍ରିକ ଆଲୋଚନାପୂର୍ବକ ପଠନୀୟତା ଗଳ୍ପର ଆତ୍ମା ବୋଲି ଅଭିହିତ କରିଥିଲେ |

ପ୍ରସିଦ୍ଧ କବି ଓ ଅନୁବାଦକ ଡ଼. ସଂଗ୍ରାମ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲେଖକର ଦାୟିତ୍ୱ ଓ ସୃଜନର ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ |

ଭୁବନେଶ୍ୱର ସାହିତ୍ୟ ପର୍ବ ନିର୍ଦେଶକ ଡ଼. ଅଶୋକ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ପରେ ଅନୁଷ୍ଠାନର ଉପସଭାପତି ମିନତି ଦାଶ, ଜୟଶ୍ରୀ ପଟ୍ଟନାୟକ ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ସେଠୀ ଅକ୍ଷୟ ସାହୁ, ପ୍ରିୟ ସାହୁ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀମନ୍ତ ସାହୁ, ଉଷା ଆଚାର୍ଯ୍ୟ, ନମିତା ପାଇକରାୟ, ଭିକାରୀ ଧଳ, ରଶ୍ମି ଦାସ, ସୁନନ୍ଦା ମିଶ୍ର, ଅମ୍ବିକା ସ୍ୱାଇଁ, ରମେଶ ପାତ୍ର,କୁମୁଦିନୀ ଜୀ, ବିଜନ ପଟଯୋଶୀ. ପ୍ରଶାନ୍ତ ବିଶ୍ୱାଳ, ଜଗନ୍ନାଥ ନାୟକ, ଡ଼. ରଜନୀ ରଣସିଂହ, ମିହିର କାନ୍ତି ଦାସ, ପବିତ୍ର ବାରିକ, ସବିତା ଶତପଥୀ, ନିରୁପମା ରଥ, ବିରଞ୍ଚି ଶତପଥୀ, ପିତାମ୍ବର ଭୋଇ, ହରିହର ବଳବନ୍ତରାୟ,, ଜନ୍ମେଜୟ ପ୍ରଜାପତି, ପ୍ରଦୀପ୍ତ ବାରିକ, ନନ୍ଦ କିଶୋର ବିଶ୍ୱାଳ, ମଳୟ ବେହେରା ଓ ଶୈଳେନ୍ଦ୍ର ଜେନା ପ୍ରମୁଖ ପ୍ରାୟ 40 ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ ଲେଖା ପାଠ କରିଥିଲେ |

ଶେଷରେ ଅନୁଷ୍ଠାନର

କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ

କରଥିଲେ l

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର  “ସାହିତ୍ୟ ମାସିକୀ” ରେ ନାଟ୍ୟକାର ବିଜୟ ଦାସ

Published

on

ଭୁବନେଶ୍ୱର: ସର୍ଜନର ଶେଷ ନାହିଁ | ପୂର୍ଣ୍ଣତାର ଉପଲବ୍ଧି ଆସିଲେ ଆଉ ଲେଖି ହୁଏନାହିଁ | ପ୍ରତି ଲେଖକ କୌଣସି ଲେଖାକୁ ଶେଷ ବୋଲି ମନେ କରିବା ଉଚିତ ନୁହେଁ ବୋଲି ବିଶିଷ୍ଟ ନାଟ୍ୟକାର ଓ ସ୍ତମ୍ଭକାର ବିଜୟ ଦାସ ଉଲ୍ଲେଖ କରିଛନ୍ତି |

ଗତ ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ”ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ “ମୋ ସୃଜନ :ମୋ ଜୀବନ ” ଶୀର୍ଷକ ବକ୍ତବ୍ୟ ରଖିଥିଲେ |

କଥାକାର ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ଦାସ ଜଣେ ଉଦଘୋଷକ, ଗୀତିକାର, ନାଟ୍ୟକାର ଓ ସ୍ତମ୍ଭକାର ଭାବରେ ତାଙ୍କ ଅନୁଭୂତି ବର୍ଣନା କରିଥିଲେ |

“ଏ ମାସର କଥାକାର” ଭାବରେ ରଶ୍ମି ରଞ୍ଜନ ରାଉତ ଯୋଗ ଦେଇ ସ୍ୱରଚିତ ଗଳ୍ପ ପାଠ କରିଥଲେ l

ପ୍ରଥମେ ଅନୁଷ୍ଠାନର କାର୍ଯ୍ୟକର୍ତା ଅଶୋକ ସିଂହ ସୂଚନା ଦେଇଥିଲେ |

ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା | ମିନତି ମିଶ୍ର ଓ କୁମୁଦିନୀ ଜୀଙ୍କ ମିଳିତ ସଂଯୋଜନାରେ ପ୍ରଦୀପ୍ତ ବାରିକ, ରଜନୀ ରଞ୍ଜନ, ପ୍ରହରାଜ ଜୟନାରାୟଣ ନନ୍ଦ, ମିହିରକାନ୍ତି ଦାସ, ନୃସିଂହ ତରାଇ, ପ୍ରିୟରଞ୍ଜନ ସାହୁ, ଇତିଶ୍ରୀ ପତି, ନୃସିଂହ ତରାଇ, ଧ୍ରୁବ ଚରଣ ସେଠୀ, ନିଶାକର ପଣ୍ଡା, ବିଜୟ ମହାପାତ୍ର, ବିଦ୍ୟୁତପ୍ରଭା ଗନ୍ତାୟତ, ସୁଶାନ୍ତ ଷଡ଼ଙ୍ଗୀ, ଗୋଲକ ବିହାରୀ ସାହୁ, ମାୟାଧର ସାହୁ, ଭୁବନେଶ୍ୱରୀ ପଣ୍ଡା, ଦିଲ୍ଲୀପ ଷଡ଼ଙ୍ଗୀ,ଶ୍ୟାମା କିଙ୍କର ମହାନ୍ତି, ବାସନ୍ତୀ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ |

ଶେଷରେ ଅନୁଷ୍ଠାନର ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions