Nation

ଓଡିଶା ବଜେଟ ହେବ ‘ଲୋକଙ୍କ ବଜେଟ୍’, ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ- ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: “ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରୁଛୁ। ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ଆମର ପରମ୍ପରା ଜାରି ରହିବ। “

ଏହି କଥା ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍ ଠାରେ ଶୁକ୍ରବାର ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ବୈଠକରେ ବିଭିନ୍ନ ନାଗରିକ ସମାଜ (Civil Society), ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବ ଗଣ, RBI ର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ଜେନେରାଲ ମ୍ୟାନେଜର ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୬ ଜଣ ବିଶିଷ୍ଠ ବ୍ୟକ୍ତି ସେମାନଙ୍କ ମତାମତ ଦେଇଥିଲେ।

ବୈଠକ ପରେ ଗଣମାଧ୍ୟମକୁ ନିଜର ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଜାଣନ୍ତି ଆମ ସରକାର ପ୍ରଥମରୁ ହିଁ ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ଦେଇ ଆସୁଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନ ସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ। ଖୁସିର କଥା ଏଥିରେ ଆମେ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ପାଇଛୁ। ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ। ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହ ଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମସ୍ତଙ୍କ ମୂଲ୍ୟବାନ ମତାମତ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଆଗାମୀ ବଜେଟ୍ ରେ ଏହି ସବୁ ମତାମତକୁ ପ୍ରତିଫଳିତ କରିବାକୁ ସରକାର ଯଥା ସମ୍ଭବ ଉଦ୍ୟମ କରି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version