Connect with us

ଭୁବନେଶ୍ୱର:ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ତାଙ୍କର ରାଗ ଦେଖାଇଛନ୍ତି । ଏପରି ଘଟଣା ଯେଭଳି ଭବିଷ୍ୟତରେ ନଘଟେ ସେଥିପାଇଁ ପୁଲିସ ଡିଜିପିଙ୍କୁ ତାଗିଦ କଲେ l

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍‌ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ ।

ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ଶ୍ରୀ ସଞ୍ଜୟ କୁମାର, ଏ.ଡି.ଜି କ୍ରାଇମବ୍ରାଞ୍ଚ୍ ଶ୍ରୀ ବିନୟତୋଷ ମିଶ୍ର, ପୋଲିସ କମିଶନର ଶ୍ରୀ ଏସ. ଦେବଦତ୍ତ ସିଂହ ଏବଂ ଡ଼ି.ସି.ପି ଶ୍ରୀ ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓ୍ବାଟକୋର ଐତିହାସିକ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ

Published

on

ଭୁବନେଶ୍ୱର: ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।

ନିକଟରେ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଓ୍ବାଟକୋର ଏହି ସଫଳତା ସହିତ ଆଗାମୀ ଜଳ ଓ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ସ୍ୱାୟତ୍ତ ଶାସନ ନିର୍ଦେଶକ ଅରିନ୍ଦମ ଡାକୁଆ, ୱାଟକୋ ପରିଚାଳନା ନିର୍ଦେଶକ ଦେବବ୍ରତ ମହାନ୍ତି ବୈଠକରେ ଉପସ୍ଥିତ ଥିଲେ l

୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ ୧୧ଟି ସହରାଞ୍ଚଳରେ ୨୪x୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।

ଓ୍ବାଟକୋର ବର୍ତ୍ତମାନ ମୋଟ ଜଳ ଯୋଗାଣ କ୍ଷମତା ୯୮୮.୮୯ ଏମ୍ ଏଲ୍ ଡିରେ ପହଞ୍ଚିଥିବାବେଳେ ସହରାଞ୍ଚଳର ବର୍ତ୍ତମାନ ଚାହିଦା ୭୦୦.୬୭ ଏମ୍ ଏଲ୍ ଡି ରହିଛି। ଏହି ଅତିରିକ୍ତ କ୍ଷମତା ଆଗାମୀ ଦିନରେ ରାଜ୍ୟର ଦୀର୍ଘମିଆଦି ଜଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।

୨୦୨୫-୨୬ ଆର୍ଥିକ ବର୍ଷରେ ଓ୍ବାଟକୋ ନିଜର ୯୧୨ କୋଟି ଟଙ୍କାର ବଜେଟକୁ ଶତପ୍ରତିଶତ ବ୍ୟୟ କରିଥିବା ସହିତ ଅମୃତ ଏବଂ ଓଏମବିଏଡିସି (OMBADC) ପରି ଯୋଜନା ମାଧ୍ୟମରେ ଅତିରିକ୍ତ ୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଏହି ଧାରାକୁ ଜାରି ରଖି ୨୦୨୬-୨୭ ପାଇଁ ୯୨୦ କୋଟି ଟଙ୍କାର ଏକ ମହତ୍ବଙ୍କାକ୍ଷୀ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଗତ ଏକ ବର୍ଷ ମଧ୍ୟରେ ଓ୍ବାଟକୋ ୩ଟି ନୂତନ ଜଳ ବିଶୋଧନ ପ୍ଲାଣ୍ଟ ଓ ୫୮ଟି ଉଚ୍ଚକ୍ଷମତାସମ୍ପନ୍ନ ଜଳାଶୟ ନିର୍ମାଣ କରିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨,୬୫୮.୪୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଅବସ୍ଥାରେ ରହିଛି। ଏଥିରେ ଭୁବନେଶ୍ୱର ପାଇଁ ୧୩୦ ଏମ୍ ଏଲ୍ ଡି କ୍ଷମତା ବିଶିଷ୍ଟ ବୃହତ୍ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ସହରର ବସ୍ତି ଓ ଅଣ-ବସ୍ତି ଅଞ୍ଚଳରେ ସ୍ୱେରେଜ୍ ନେଟୱାର୍କ ସମ୍ପ୍ରସାରଣ ପରି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।

ଆଗାମୀ ପର୍ଯ୍ୟାୟରେ ଓ୍ବାଟକୋ ୬,୧୨୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହତ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ସେଥିରେ ସମ୍ବଲପୁର ପାଇଁ ୧,୬୮୨ କୋଟି ଟଙ୍କା ଓ ବାରିପଦା ପାଇଁ ୮୩୦.୯୭ କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି।

ଡିଜିଟାଲ୍ ଓ ସ୍ମାର୍ଟ ଜଳ ପରିଚାଳନାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା ଓ ବ୍ରହ୍ମପୁରରେ ୫୦ ହଜାର ସ୍ମାର୍ଟ ୱାଟର ମିଟର ସ୍ଥାପନ କାର୍ଯ୍ୟ ଚାଲିଛି। ଏହାଦ୍ୱାରା ବିଲିଂ ବ୍ୟବସ୍ଥା, ଜଳ ବ୍ୟବହାର ନିରୀକ୍ଷଣ ଓ ସମ୍ବଳ ପରିଚାଳନାରେ ଆଧୁନିକତା ଆସିବ।

ଜଳର ଗୁଣବତ୍ତା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଓ୍ବାଟକୋ ରାଜ୍ୟରେ ୧୪ଟି ଆଧୁନିକ ପରୀକ୍ଷାଗାର ପରିଚାଳନା କରୁଛି। ଏହା ସହ ଆଇଆଇଟି ଭୁବନେଶ୍ୱର ସହ ବୈଷୟିକ ସହଯୋଗ ମାଧ୍ୟମରେ ଜଳ ପରିଚାଳନାରେ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ସୁସ୍ଥିର ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳରେ ବିଶ୍ୱସ୍ତରୀୟ ନାଗରିକ ସେବା ପ୍ରଦାନ ପାଇଁ ଓ୍ବାଟକୋ ନିରନ୍ତର କାର୍ଯ୍ୟ କରୁଛି।

 

Continue Reading

Nation

ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ଼ ସୋ

Published

on

ଅହମ୍ମଦାବାଦ: “ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକ ମାନଙ୍କୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତି ମଧ୍ୟ ପ୍ରଦାନ କରୁଛି ।”

ଆଜି ଏଠାରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୃଢ଼, ଦୂରଦୃଷ୍ଟିସମ୍ପନ୍ନ ବାର୍ତ୍ତା ଦେଇଛନ୍ତି । ‘ପୂର୍ବୋଦୟ’ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ବ୍ୟାପକ ଭାବରେ ଯୋଗଦାନ କରିଛନ୍ତି । ଏହା ଓଡ଼ିଶାର ବିକଶିତ ଶିଳ୍ପ ବ୍ୟବସ୍ଥା ପ୍ରତି ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରିଛି। ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଗୁଜରାଟକୁ ଏକ ସ୍ପଷ୍ଟ ସନ୍ଦେଶ ନେଇ ଆସିଛୁ । ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆମେ ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରୁଛୁ, ଏବଂ ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ ।”

ଏହି ପ୍ରତିନିଧି ମଣ୍ଡଳୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

ଏହି ରୋଡ୍-ଶୋ ଅବସରରେ ବସ୍ତ୍ର ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ର ଭିତ୍ତିକ ଆଲୋଚନା ଏବଂ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ୨୬ଟି ‘ୱାନ୍-ଟୁ-ୱାନ୍’ ବୈଠକରେ ଅଧ୍ୟକ୍ଷତା କରି ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ଓ ନୀତିଗତ ସହାୟତା ବିଷୟରେ ଆଲୋଚନା କରିଥିଲେ।

ଶିଳ୍ପ ମନ୍ତ୍ରୀ  ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ସୁଦୃଢ଼ ଭିତ୍ତିଭୂମି, ବନ୍ଦରଭିତ୍ତିକ ଯୋଗାଯୋଗ ଏବଂ ସ୍ଥିର ନୀତି ଯୋଗୁଁ ଓଡ଼ିଶା ଏକ ଭବିଷ୍ୟତ-ଉପଯୋଗୀ ଶିଳ୍ପ ହବ୍ ଭାବରେ ନିଜକୁ ପ୍ରତିଷ୍ଠିତ କରୁଛି। ଅହମ୍ମଦାବାଦରେ ଆୟୋଜିତ ଏହି ସଫଳ ରୋଡ୍-ଶୋ ଭାରତର ଶିଳ୍ପ ମାନଚିତ୍ରରେ ଓଡ଼ିଶାର ପ୍ରଭାବକୁ ଆହୁରି ସୁଦୃଢ଼ କରିଛି।

Continue Reading

Nation

ଜିତୁ ମୁଣ୍ଡା ଭାଗ୍ୟବାନ ଥିଲା!

Published

on

ଭୁବନେଶ୍ୱର : କେଉଁଝରର ଜିତୁ ମୁଣ୍ଡା ଭଉଣୀର କଙ୍କାଳକୁ ମୃତ୍ୟୁ ପ୍ରଣାମପତ୍ର ଭାବେ ବ୍ୟାଙ୍କରେ ଉପସ୍ଥାପନ ଘଟନା ସମଗ୍ର ବିଶ୍ୱରେ ଚହଳ ପକାଇଛି l ଜିତୁ ମୁଣ୍ଡା ପାଇଁ ସମବେଦନାର ସୁଅ ଆଉ ଆର୍ଥିକ ସହାୟତାର ସ୍ରୋତ ଛୁଟିବାରେ ଲାଗିଛି l ଇତି ମଧ୍ୟରେ ବ୍ୟାଙ୍କ କର୍ତୃପକ୍ଷ ଜମା ଟଙ୍କା ଫେରେଇ ସାରିଲେଣି l

ରାଜନୀତିରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଲାଗିଛି l

ହେଲେ ଗୋଟେ କଥା ସ୍ୱୀକାର କରିବାକୁ ପଡିବ ଯେ ଜିତୁ ମୁଣ୍ଡା ଭାଗ୍ୟବାନ ଥିଲା l ଜିତୁ ମୁଣ୍ଡାକୁ ତା ଭଉଣୀର କଙ୍କାଳଟା ସହଜରେ ମିଳିଗଲା l

ଜିତୁ ମୁଣ୍ଡା ସମ୍ପ୍ରଦାୟରେ ମୃତ ଶରୀରକୁ ମାଟିରେ ପୋତି ଦେବାର ପ୍ରଥା ଥିବାରୁ ସେ ମଶାଣିକୁ ଯାଇ ମାଟି ଖୋଳି କଙ୍କାଳଟା ପାଇ ଯାଇଥିଲା l

ଅନ୍ୟ ସମ୍ପ୍ରଦାୟରେ ଯେଉଁଠି ଶବକୁ ନିଆଁରେ ଦାହ କରିବାର ପ୍ରଥା ଅଛି ସେଠି? କଣ ପାଉଁଶ ବା ପିଣ୍ଡକୁ ମୃତ୍ୟୁର ପ୍ରମାଣପତ୍ର ଭାବେ ଉପସ୍ଥାପନ କରା ଯାଇ ପାରିବ କି?

କଙ୍କାଳ ଖୋଳି ଆଣିବା ସହଜ କିନ୍ତୁ ସରକାରୀ ମୃତ୍ୟୁ ପ୍ରମାଣପତ୍ରଟିଏ ପାଇବା ଏକ ଅସମ୍ଭବ ବ୍ୟାପାର l

ମୃତ୍ୟୁ ଯଦି କୌଣସି ଡାକ୍ତଖନାରେ ହୋଇଛି ତାହେଲେ ରେକର୍ଡ ମିଳି ଯିବା ସ୍ୱାଭାବିକ l କିନ୍ତୁ ଯଦି ଘରେ ହୋଇଛି ତାହେଲେ ଜଣେ ଲାଇସେନ୍ସପ୍ରାପ୍ତ ଡାକ୍ତରଙ୍କ ପାଖରୁ ସାରର୍ଟିଫିକେଟ ଆଣିବାକୁ ହେବ l ଆଜିକାଲି ଡାକ୍ତରଖାନା ରେ ଡାକ୍ତର ନାହାନ୍ତି ବା ଡାକ୍ତର ରହୁ ନାହାନ୍ତି l ସରର୍ଟିଫିକେଟ ପାଇଁ ଶବକୁ ଡାକ୍ତରଖାନା ନେବାକୁ ପଡିବ l

ଯଦି ତାହା ହୋଇ ପାରିନି ତାହେଲେ ମୁସ୍କିଲ କଥା l

ମୃତ୍ୟୁ ପ୍ରମାଣପତ୍ର ପାଇବାକୁ ହେଲେ ମାଜିଷ୍ଟ୍ରେଟ କୋର୍ଟରେ ଗୋଟେ ମିସ କେଶ କରିବାକୁ ହେବ l ତାପରେ ତହସିଲଦାର, ଥାନା ଆଇଆଇସି ଓ ସିଡିପିଓଙ୍କ ରିପୋର୍ଟ ଆସିଲା ପରେ ଯାଇ ମୃତ୍ୟୁ ପ୍ରମାଣପତ୍ର ମିଳିବ l ଜିତୁ ମୁଣ୍ଡା ଭଳି ମଣିଷ ପାଇଁ ଏ ସବୁ ଅସମ୍ଭବ l

ସରକାର ମୃତ୍ୟୁ ପ୍ରମାଣପାତ୍ର ପ୍ରଦାନ ବ୍ୟବସ୍ଥାରେ ପରିବର୍ତନ ଆଣିବା ଦରକାର l ଏହି ପ୍ରମାଣପାତ୍ର ପ୍ରଦାନ ପାଇଁ ସରକାର ଓ ତାଙ୍କର କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ହେବା କଥା l ଲୋକଙ୍କୁ ଏହା ହାସଲ କରିବାର ଦାୟିତ୍ୱ ହେବା କଥା ନୁହେଁ l

ଏହି ଅବସରରେ ସରକାର ବ୍ୟାଙ୍କରେ ଥିବା ଜମା ଟଙ୍କା ଉପରେ କେହି ଦାବିଦାର ନଥିବା ଘଟଣା ଯାଞ୍ଚ କରି ମୃତ୍ୟୁ ପ୍ରମାଣପତ୍ର ଅଭାବରୁ ପଡି ରହିଥିବା ଟଙ୍କା ଉତ୍ତରାଧିକାରୀଙ୍କୁ ପ୍ରଦାନ କରା ଯିବାରେ ଏକ ଆଗୁଆ ପଦକ୍ଷେପ ନେବା ଉଚିତ l ତା ନହେଲେ ଏମିତି କୋଟି କୋଟି ଟଙ୍କାର ସୁଭଦ୍ରା ଟଙ୍କା ବ୍ୟାଙ୍କବାଲା ଖାଇଯିବେ l

 

 

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions