ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ
ଗୋପାଳପୁର industrial ପାର୍କରେ ଏସିଏମ୍ଇ ଓ ଆଭାଡ଼ା ଦ୍ୱାରା ଗ୍ରୀନ୍ ଫୁଏଲ୍ ପ୍ରକଳ୍ପ ଏବଂ ଗୋପାଳପୁରଠାରେ ଇଡ୍କୋର ୟୁଟିଲିଟି କରିଡ଼ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହା ଦ୍ୱାରା ଜିଲ୍ଲାରେ ଶିଳ୍ପ ବିକାଶ ସହିତ ନିଯୁକ୍ତି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ । ଆଜି ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି । ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୀତଳାପଲ୍ଲୀଠାରେ ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ ସମ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍କୁ ଲୋକାର୍ପିତ କରିବା ସହିତ ଘରପାଖରେ ଆପଣମାନେ ଏହା ମାଧ୍ୟମରେ ଭଲ ଚିକିତ୍ସା ସୁବିଧା ପାଇବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଗୋପାଳପୁରଠାରେ ୨୭ ହଜାର କୋଟି ଟଙ୍କା ନିବେଶରେ ଏ.ସି.ଏମ୍.ଇ ଦ୍ୱାରା ୧.୧୦ ଏମ୍.ଏମ୍.ଟି.ପି.ଏ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ଏବଂ ୮ ହଜାର କୋଟି ଟଙ୍କା ନିବେଶରେ ଆଭାଡ଼ା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ପ୍ରାୟ ୫୨୦୦ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ 181.78 କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ 136.78 କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଶୀତଳାପଲ୍ଲୀଠାରେ 639.81 କୋଟି ଟଙ୍କା ମୂଲ୍ୟର ୨୪ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ 2994 କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଶେରଗଡ଼ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିଣତ ହୋଇଛି । ୫-ଟି ଉପକ୍ରମରେ ରୂପାନ୍ତର ଅଭିଯାନର ଭିତ୍ତି ପ୍ରଥମେ ହିଞ୍ଜିଳି-ଶେରଗଡ଼ରୁ ହିଁ ଆରମ୍ଭ ହୋଇଥିଲା । ମା’ତାରାତାରିଣୀ ପୀଠର ଉନ୍ନତି ସହିତ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଏଠାରୁ ଆରମ୍ଭ ହୋଇଥିଲା । ଏହିସବୁ ରୂପାନ୍ତର କାର୍ଯ୍ୟ ଆଜି ଦେଶବିଦେଶକୁ ଆକର୍ଷିତ କରୁଛି । ଆଜି ହାଇସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷହୋଇ ସାରା ରାଜ୍ୟରେ ୮୦୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରିତ ହୋଇଛି । ପିଲାମାନଙ୍କ ଖୁସି ଓ ଲୋକଙ୍କ ଖୁସି ଦେଖି ସେ ବି ଆନନ୍ଦିତ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନ୍.ଏ.ସି ଭାବେ ଘୋଷଣା କରିଥିଲେ ଏବଂ ହିଞ୍ଜିଳି-ଶେରଗଡ଼ର ବିକାଶକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଶୀତଳାପଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସରସ୍ୱତୀ ପୂଜାର ଶୁଭ ଅବସରରେ ଗଞ୍ଜାମ ଜିଲ୍ଲା ପାଇଁ ୫ ହଜାର କୋଟିରୁ ଅଧିକ ଟଙ୍କାର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୀତଳାପଲ୍ଲୀଠାରେ ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ ସମ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍କୁ ଲୋକାର୍ପିତ କରିବା ସହିତ ଘରପାଖରେ ଆପଣମାନେ ଏହା ମାଧ୍ୟମରେ ଭଲ ଚିକିତ୍ସା ସୁବିଧା ପାଇବେ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।