Connect with us

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି।

ସୂଚନାଯୋଗ୍ୟଯେ, ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଶୁଭାରମ୍ଭ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ , ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ l

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଆମରାଜ୍ୟ ଏକ ପୂର୍ଣ୍ଣ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଉଭା ହେବ। ୫୯ ହଜାର ନୂଆ ନିଯୁକ୍ତି କୌଣସି ଦୃଷ୍ଟିକୋଣରୁ ଏକ ଛୋଟ ଉପଲବ୍‌ଧି ନୁହେଁ। ପୂର୍ବରୁ ଆମ ସରକାର ଏହି ୧୮-୨୦ ମାସ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ୧୦୯ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଯାହାଦ୍ୱାରା, ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ଆମକୁ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା, ସେଗୁଡ଼ିକ ଏବେ ଆମ ଖୋର୍ଦ୍ଧା ମାଟିରେ ତିଆରି ହେବ l ଓଡ଼ିଶାରେ ନିର୍ମିତ ସାମଗ୍ରୀ ବିଶ୍ଵ ବଜାରକୁ ଯିବ ଏବଂ ଆମ ଶିଳ୍ପ ବ୍ୟବସ୍ଥାକୁ ଆହୁରି ସ୍ଵାବଲମ୍ବୀ କରି ଗଢିତୋଳିବାରେ ସହାୟକ ହେବ। ଏହି ଶିଳ୍ପପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚଳିତ ବଜେଟରେ ଭିତ୍ତିଭୂମି ପାଇଁ ୭୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରାବଧାନ କରାଯାଇଛି ଯାହା ବର୍ତ୍ତମାନ ଆମ ରାଜ୍ୟ GDPର ପ୍ରାୟ ୬.୫ ପ୍ରତିଶତ। ଏହା ଦ୍ଵାରା ଭିତ୍ତିଭୂମି ନିର୍ମାଣ ତ୍ବରାନ୍ବିତ ହେବା ସହିତ ନୂତନ ରୋଜଗାର ସୃଷ୍ଟି ହେଉଛି ବୋଲି ସେ କହିଥିଲେ

କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ  ଦେଶର ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପପତି ମାନଙ୍କ ସହ ଏକ ସ୍ୱତନ୍ତ୍ର ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେଇ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟରେ ଶିଳ୍ପ ଉନ୍ନତି ପାଇଁ ଓଡିଶା ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜମି, ବିଦ୍ୟୁତ୍, ପାଣି ଓ ଯୋଗାଯୋଗ ପରି ସମସ୍ତ ଆବଶ୍ୟକୀୟ ସୁବିଧା ପୂର୍ବରୁ ଆମ ସରକାର ଯୋଗାଇ ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଯୋଗାଇବ। ଏହା ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମସ୍ତ ଅନୁମୋଦନ ସମୟତା ମଧ୍ଯ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କୌଣସି ସମସ୍ୟା ହେଲେ ଶିଳ୍ପପତିମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରି ସମାଧାନ ପାଇପାରିବେ ବୋଲି ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଥିଲେ।

ଏହି ଅବସରରେ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଆଜିର ଏହି ଭିତ୍ତିଭୂମି ଏବଂ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଏକ ବିବିଧ, ସ୍ଥିର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ନିଜ ଅଭିଭାଷଣରେ କହିଥିଲେ ଯେ ୧୯ ମାସରେ ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସମସ୍ତ କାର୍ଯ୍ୟ , ଆମ ସରକାରଙ୍କ ଦୃଢ଼ ଶାସନ ଏବଂ ଶିଳ୍ପ ପାଇଁ ଓଡ଼ିଶାର ପ୍ରତିଷ୍ଠାକୁ ପ୍ରମାଣିତ କରୁଛି ।

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଦାନୀ ପୋର୍ଟସ୍ ଏଣ୍ଡ୍ SEZ ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର  କରନ୍ ଆଦାନୀ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ଏହା ସହିତ ଆଜି ଶିଳାନ୍ୟାସ ଓ ଉଦ୍ଘାଟନ ହେଉଥିବା ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ମୁଖ୍ୟମନ୍ତ୍ରୀ ଖଣି ମାଲିକଙ୍କୁ ଦେଲେ ନିର୍ଦେଶ : ଲୁହା ପଥର ଉତ୍ପାଦନ ବୃଦ୍ଧି କର

Published

on

ଭୁବନେଶ୍ବର : ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି  କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖଣି ମାଲିକମାନଙ୍କୁ ନିର୍ଦେଶ ଦେଇଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।  ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ ଲୁହାପଥରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ପରିମାଣରେ ଲୁହାପଥର ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଓ ଶିଳ୍ପ ପ୍ରତିନିଧି ମାନଙ୍କୁ ଆଶ୍ୱାସନା ଦେଇଥିଲେ।

ଉତ୍ପାଦନ ଓ ଡେସ୍‌ପ୍ୟାଚ୍ ପ୍ରତି ଗୁରୁତ୍ୱ ଦେଇ MDPA ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଦୃଷ୍ଟି ରେ ରଖି ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଥିଲା।

ରାଜ୍ୟରେ ଖଣି ବହୁଳ ଜିଲ୍ଲା ଗୁଡିକରେ ଶିଳ୍ପ ସଂଖ୍ୟା ବହୁତ କମ ରହୁଛି। ତେଣୁ ସେସବୁ ଜିଲ୍ଲା ଗୁଡିକରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା କରାଯିବ ବୋଲି ସୂଚନା ଦେଇଥିଲେ ।

ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ଭାବ ପାଇଁ ଧନ୍ୟବାଦ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

 

ବୈଠକରେ ଟାଟା ଷ୍ଟିଲ୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ, ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନର ମହାସଚିବ ଶ୍ରୀ ଆଲୋକ ସହାୟ, JSWର ସଭାପତି ଶ୍ରୀ ଅନୀଲ କୁମାର ସିଂ AMNS India ର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ମେହେଟ୍ଟା, ଓଏମ୍‌ସିର ଅଧ୍ୟକ୍ଷ ଶ୍ରୀ ଗିରିଶ ଏସ୍‌ ଏନ୍, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ସାମଲ ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପ ପ୍ରତିନିଧି ମାନେ ଯୋଗଦେଇଥିଲେ।

Continue Reading

Nation

ନୂଆ କୁଳପତି : ରାଷ୍ଟ୍ରପତି, ଆସାମ ମୁଖ୍ୟମନ୍ତ୍ରୀଙ୍କ କଥା ରହିଲା ହେଲେ ଯୋଗୀଙ୍କ କାମ ହେଲାନି

Published

on

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେବି ଓଡିଶା ରାଜ୍ୟପାଳ 14ଟି ବିଶ୍ୱ ବିଦ୍ୟାଳୟର ସ୍ଥାୟୀ କୁଳପତିଙ୍କ ନାମ ଘୋଷଣା କରିଛନ୍ତି l

ନୂତନ କୁଳପତି ତାଲିକାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ନାମ ସ୍ଥାନ ପାଇବା ଏକ ଉଲ୍ଲେଖନୀୟ ଘଟଣା l ଜଣେ କୁଳପତିଙ୍କୁ ସେହି ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ଥର କୁଳପତି ନିଯୁକ୍ତି ଦେବା ଓଡିଶା ଇତିହାସରେ ଏକ  ନୂଆ ଘଟଣା l

ବିଶେଷ ସୂତ୍ରରୁ ପ୍ରକାଶଯେ ଦେଶର ରାଷ୍ଟ୍ରପତିଙ୍କ ସୁପାରିଶରେ ପ୍ରଫେସର ତ୍ରିପାଠୀଙ୍କୁ ଦ୍ଵିତୀୟଥର ପାଇଁ ଏଫ ଏମ ୟୁନିଭରସିଟିର କୁଳପତି ପଦବୀ ଦିଆ ଯାଇଛି l ରାଷ୍ଟ୍ରପତିଙ୍କ ଏହି ସୁପାରିଶକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏପରିକି ବିଜେପି ରାଜ୍ୟ ସଭାପତି ସମର୍ଥନ କରିଥିଲେ l

ଏଫ ଏମ ୟୁନିଭେର୍ସିଟିର ସମାବର୍ତନ ଉତ୍ସବ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଭାଷଣ ଦେବାର ଥାଏ l ଏହି ସମୟରେ କୁଳପତି ପ୍ରଫେସର ତ୍ରିପାଠୀଙ୍କ ମା ଙ୍କର ସ୍ବର୍ଗବାସ ହୋଇଗଲା l ଏଭଳି ଏକ ଶୋକ ସମୟରେ ବି ପ୍ରଫେସର ତ୍ରିପାଠୀ ସମୟ ଦେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଅତି ସଫଳତାର ସହ କାର୍ଯ୍ୟକାରୀ କରି ଥିଲେ l ଏହି କଥା ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିଭୂତ କରିଥିଲା l

ଶୁଣାଯାଏ ରାଷ୍ଟ୍ରପତିଙ୍କ ଅଫିସରୁ ତ୍ରିପାଠୀଙ୍କ ପୁର୍ନନିଯୁକ୍ତି ପାଇଁ ରାଜ୍ୟପାଳଙ୍କୁ କୁହା ଯାଇଥିଲା l

ଏହି ନୂତନ କାର୍ଯ୍ୟକାଳ ପୂରଣ କଲେ ପ୍ରଫେସର ତ୍ରିପାଠୀ ରାଜ୍ୟର ସର୍ବାଧିକ ସମୟ କୁଳପତି ପଦବୀରେ ରହିବାର ନୂଆ କୀର୍ତ୍ତିମାନ ସୃଷ୍ଟି କରିବେ l ସେ 2021 ଜୁଲାଇ ମାସରେ ରେ ଚାରି ବର୍ଷ ପାଇଁ ନିଯୁକ୍ତି ପାଇଥିଲେ l ତାଙ୍କର କାର୍ଯ୍ୟକାଳ ଦୁଇଥର ବୃଦ୍ଧିପାଇ ଏହି ପଦବୀରେ ପାଞ୍ଚ ବର୍ଷ ପୂର୍ତି ହେବାକୁ ଯାଉଛି l ଏହି ଚାରି ବର୍ଷର କାର୍ଯ୍ୟକାଳ ପରେ ସେ କୁଳପତି ପଦବୀରେ ନଅ ବର୍ଷର ରେକର୍ଡ କରିବେ l

ପ୍ରଫେସର ତ୍ରିପାଠୀଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ l ଏଫ ଏମ ଭଳି ଏକ ନୂତନ ବିଶ୍ଵବିଦ୍ୟାଳୟକୁ ସେ ନିଜର କର୍ତ୍ତବ୍ୟନିଷ୍ଠା ଓ ସାଧୁତା ବଳରେ ଶିକ୍ଷା, ଭିତ୍ତିଭୂମି ଓ ପ୍ରଶାସନ ଦୃଷ୍ଟିରୁ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଠିଆ କରାଇ ପାରିଛନ୍ତି l ଅଧ୍ୟାପନା, ଗବେଷଣା, ଭିତିଭୂମି ଓ ପ୍ରଶାସନ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛି l

ଏଫ ଏମ ବିଶ୍ୱବିଦ୍ୟାଳୟ ଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟ ଦେଶରେ ବେଶ ନାମ କରିଛି l ଏହାର କୁଳପତି ଗୀତାଞ୍ଜଳୀ ଦାଶ ଅକ୍ଲାନ୍ତ ପରିଶ୍ରମ କରି ବିଶ୍ୱବିଦ୍ୟାଳୟର ତଳକୁ ଖସି ଯାଇଥିବା ନାକ ଗ୍ରେଡ଼ କୁ ଉଦ୍ଧାରକାରି ବାରେ ସକ୍ଷମ ହୋଇଛନ୍ତି l ସେ ଦାୟିତ୍ୱ ନେଲା ବେଳକୁ ନାକ ଗ୍ରେଡ଼ ‘ବି’ ଥିଲା l ବର୍ତମାନ ତାହା ‘ଏ’ ଗ୍ରେଡ଼କୁ ଉନ୍ନତି କରିଛି l ଅଧ୍ୟାପନା, ଗବେଷଣା, ଭିତିଭୂମି ଓ ପ୍ରଶାସନ କ୍ଷେତ୍ରରେ  ବିଶ୍ୱବିଦ୍ୟାଳୟ ଦେଶରେ ନାଁ କରିବାରେ ଲାଗିଛି l

ଓଡିଶାରେ କୁଳପତି ମନୋନୟନରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କର ହାତ ଥିବା କୁହା ଯାଉଛି l  ହିମନ୍ତ ଆସାମ ରେ ଡିଜି ପୁଲିସଙ୍କ ପତ୍ନୀ ପ୍ରଫେସର ଜ୍ୟୋସ୍ନା କେ ବି ରାଉତଙ୍କ ନାମ ସୁପାରିଶ କରିଥିଲେ l ପ୍ରଫେସର ରାଉତଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପାଦପାଇଁ ମନୋନୀତ କରା ଯାଇଛି l

ଆସାମ ମୁଖ୍ୟମନ୍ତ୍ରୀଙ୍କ ଭଳି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପ୍ରଦେଶର ଜଣେ ପ୍ରଫେସରଙ୍କ ନାମ ସୁପାରିଶ କରିଥିଲେ l କିନ୍ତୁ ସେ ପ୍ରଫେସରଙ୍କ ଗୁଇନ୍ଦା ରିପୋର୍ଟ ଆସିବା ପରେ ତାଙ୍କୁ ତାଲିକାରୁ ବାଦ ଦିଆ ଯାଇଥିଲା l

ନୂତନ କୁଳପତି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମଝିଙ୍କର ଚାରିଜଣ ସ୍ଥାନ ପାଇଥିବା ବେଳେ  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଞ୍ଚଜଣ ଲେଖାଏଁ ସ୍ଥାନ ପାଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l

ସଂକ୍ଷିପ୍ତ ତାଲିକାରେ ଥିବା ପ୍ରାର୍ଥୀମାନଙ୍କ ଗୁଇନ୍ଦା ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ଏଥର କୁଳପତି ଚୟନ ରେ ଅତ୍ୟଧିକ ବିଳମ୍ବ ଘଟିଥିଲା l ଅନେକ ପ୍ରାର୍ଥୀ ବାହାର ରାଜ୍ୟରୁ ହୋଇଥିବାରୁ ସେମାନଙ୍କ  ଗୁଇନ୍ଦା ରିପୋର୍ଟ ଆସିବାରେ ବିଳମ୍ବ ଘଟିଥିବା ଜଣା ଯାଇଛି l

 

Continue Reading

Nation

ନବ ଗଠିତ ଦକ୍ଷିଣ ତଟ ଜୋନରେ ଷ୍ଟେସନର ସାମିଲକୁ ନେଇ ଚିନ୍ତା ପ୍ରକଟ କରିବାର କୌଣସି କାରଣ ନାହିଁ:ଭାରତୀୟ ରେଳବାଇର ସ୍ପଷ୍ଟିକରଣ

Published

on

ଭୁବନେଶ୍ବର : ନବ ଗଠିତ ଦକ୍ଷିଣ ତଟ ଜୋନରେ କେତେକ ଷ୍ଟେସନ ସାମିଲ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ଭାରତୀୟ ରେଳବାଇ ଆଜି ତାହା ଉପରେ ସ୍ପଷ୍ଟିକରଣ ରଖିଛି । ରେଳବାଇ ପକ୍ଷରୁ କୁହାଯାଇଛି ଯେ ପଲାସା-ଇଚ୍ଛାପୁରମ୍ ସେକ୍ସନ (୫୦ କିଲୋମିଟର) ରେ ୭ଟି ଷ୍ଟେସନ ଯଥା ପଲାସା, ସୁମାଦେବୀ, ମାଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ରହିଛି। ଏହି ସମସ୍ତ ଷ୍ଟେସନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ଏହି ଷ୍ଟେସନଗୁଡ଼ିକ ମଧ୍ୟରୁ କୌଣସିଟି ହେଲେ ଓଡ଼ିଶା ମଧ୍ୟରେ ଅବସ୍ଥିତ ନୁହେଁ। ଏହି ଷ୍ଟେସନଗୁଡ଼ିକ ଛୋଟରୁ ମଧ୍ୟମ ଆକାରର ଷ୍ଟେସନ ଯାହା ମୁଖ୍ୟତଃ ଯାତ୍ରୀ ପରିଚାଳନା କରିଥାଏ। ଏଥି ମଧ୍ୟରୁ କୌଣସିଟି ଏକ ପ୍ରମୁଖ ମାଲ ପରିବହନ ଷ୍ଟେସନ ନୁହେଁ। ତେଣୁ, ପୂର୍ବତଟ ରେଳବାଇର ରାଜସ୍ୱ ପ୍ରଭାବିତ ହେବାର ସମ୍ଭାବନା ନାହିଁ ।

ଷ୍ଟେସନଗୁଡ଼ିକ ଯେଉଁ ଜୋନ୍‍ ଅଧିନରେ ଆସିଲେ ବି ସେହିସବୁ ଷ୍ଟେସନରେ ମାଲ ପରିବହନ ନିରବଚ୍ଛିନ୍ନ ଭାବରେ ଜାରି ରହିବ। ସମସ୍ତ ସୀମାରେଖା ମଧ୍ୟରେ ରେଳ ଚଳାଚଳ ନିରବଚ୍ଛିନ୍ନ ଜାରି ରହିବ । ରେଳ ସେବାରେ କୌଣସି ବ୍ୟାଘାତ ଉପୁଜିବ ନାହିଁ। ପଲାସା-ଭୁବନେଶ୍ୱର, ପଲାସା-କଟକ ଏବଂ ଇଚ୍ଛାପୁରମ-କଟକ ମେମୁ/ଯାତ୍ରୀବାହୀ ସେବା ସମେତ ସମସ୍ତ ବର୍ତ୍ତମାନ ଚଳାଚଳ କରୁଥିବା ସମସ୍ତ ଟ୍ରେନର କାର୍ଯ୍ୟସୂଚୀ, ମାର୍ଗ କିମ୍ବା ଯାତାୟତ କୌଣସି ପରିବର୍ତ୍ତନ ବିନା ଜାରି ରହିବ ।

ବିଶାଖାପାଟନମ୍ ଡିଭିଜନରେ ଯାତ୍ରୀ ସେବାଗୁଡ଼ିକର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଏହା ଏକ ବୈଷୟିକ ସଂଶୋଧନ। ପୂର୍ବ ତଟ ରେଳବାଇ ଏବଂ ଦକ୍ଷିଣ ତଟ ରେଳବାଇ ମଧ୍ୟରେ କର୍ମଚାରୀ ନିୟୋଜନ ସମେତ ସ୍ଥାନାନ୍ତରଣର ପଦ୍ଧତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସମସ୍ତ ରେଳ କର୍ମଚାରୀଙ୍କ ସ୍ୱାର୍ଥ ଏବଂ ସେବା ସର୍ତ୍ତାବଳୀ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।

ଓଡ଼ିଶା ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତା ଅତୁଟ ରହିଛି। ଓଡ଼ିଶାରେ ରେଳ ନେଟୱାର୍କ ସମ୍ପ୍ରସାରଣ, ଷ୍ଟେସନ ଆଧୁନିକୀକରଣ, ବନ୍ଦେ ଭାରତ ସେବା ଏବଂ ପୂର୍ବତଟ ରେଳବାଇ ଅଧୀନରେ ନବଗଠିତ ରାୟଗଡା ଡିଭିଜନ ଆଦିରେ ରେକର୍ଡ ପୁଞ୍ଜି ବ୍ୟୟ ଏହି ପ୍ରତିବଦ୍ଧତାକୁ ଦର୍ଶାଉଛି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions