ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ଅପରାଧୀଙ୍କୁ ସାବଡ଼ କରିବାକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିର୍ମୂଳ କରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେପରି ନକ୍ସଲ ଅପରାଧକୁ ଦମନ କରାଯାଇଛି, ସେହିପରି ବାଲି ମାଫିଆ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦମନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେକୌଣସି ସ୍ଥାନରେ ଅପରାଧୀକ ତତ୍ତ୍ୱ ବିରୁଦ୍ଧରେ ପୋଲିସ ଆଇନ ଅନୁଯାୟୀ ଆଗୁଆ ପଦକ୍ଷେପ ନେଇ ଅପରାଧ ସମ୍ଭାବନାକୁ କମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ପୋଲିସ ଏଭଳି ପଦକ୍ଷେପ ନେଉ ଯାହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଆବଶ୍ୟକ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଟିମ୍ ସ୍ପିରିଟ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ସମ୍ପୂର୍ଣ୍ଣ ଭାବେ ଆଗୁଆ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ । ବିଭିନ୍ନ ଅଞ୍ଚଳର ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କ୍ରାଇମ୍ ମ୍ୟାପିଙ୍ଗ୍ କରିବା ଜରୁରୀ । ଏହା ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ।
ପୋଲିସ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପୋଲିସର ଉପସ୍ଥିତି ସର୍ବସାଧାରଣରେ ପରିଲକ୍ଷିତ ହେବା ଅତ୍ୟନ୍ତ ଜରୁରୀ । ବ୍ୟାପକ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥା ଦ୍ୱାରା ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଆସ୍ଥା ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜିଲ୍ଲାପାଳ ଓ ଏସ୍.ପି ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେମାନେ ଜିଲ୍ଲାସ୍ତରରେ ନିୟମିତ ଭାବେ ଜିଲ୍ଲାର ଆଇନ କାନୁନ ପରିସ୍ଥିତି ସମୀକ୍ଷା କରି ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପଠାନ୍ତୁ । ବିଭିନ୍ନ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିୟମିତ ଭାବେ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ପୋଲିସ ପ୍ରଶାସନ ଅନେକ କ୍ଷେତ୍ରରେ ସଫଳତା ଅର୍ଜନ କରିଛି । ପୋଲିସର ଉନ୍ନତ ତଦନ୍ତ ବ୍ୟବସ୍ଥା ଯୋଗୁ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଦୋଷୀ ସାବ୍ୟସ୍ତ ହାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ନକ୍ସଲ ଅପରାଧରେ ପୋଲିସର ସଫଳତା ପ୍ରଂଶସନୀୟ ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।