ଭୁବନେଶ୍ୱର: ଓଡିଶା ରାଜ୍ୟ ସରକାର ଲକ୍ଷ ଲକ୍ଷ ଠକ ଚାଷୀଙ୍କୁ ଧରିବା ପରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି l
ରାଜ୍ୟର ବିଜେପି ସରକାର ନିର୍ବାଚନ ପ୍ରତିଶୃତି ଅନୁଯାଇ ଚାଷୀଙ୍କୁ ଧାନ କିଣା ବାବଦରେ କ୍ଯୁଇଁଟାଲ ପିଛା ଆଠ ଶହ ଟଙ୍କା ବୋନସ ଦେବା ଗତ ବର୍ଷ ସଂଗ୍ରହ ଋତୁରେ ଆରମ୍ଭ କରିଥିଲେ l ଚଳିତ ବର୍ଷ ବୋନସ ପାଇଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ରେ ହୋଇଥିବା ଧାନ ପାଇଁ ଚାଷୀମାନେ ନାଁ ପଞ୍ଜିକରଣ କରିଥିଲେ l
ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ରାଜ୍ୟ ସରକାର ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ଦ୍ୱାରା କ୍ଷେତ୍ରୀୟ ସ୍ତରରେ ଯାଞ୍ଚ କରା ଯାଉଛି ।
ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ କିଭଳି ଲାଭାନ୍ୱିତ ହୋଇପାରିବେ ସେଥି ନିମନ୍ତେ ରାଜ୍ୟ ସରକାର ଏ ଭଳି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ଏଥି ମଧ୍ୟରୁ ପାଖପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି ।
ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ମାତ୍ର ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଛି ।
ଏହି ୧୯ ଲକ୍ଷ ପ୍ଲଟର ଚାଷୀମାନେ ଚଳିତ ଖରିଫ ବିପଣନ ଋତୁରେ ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇ ଧାନ ବିକିବାକୁ ନାଁ ପଞ୍ଜିକରଣ କରି ବୋନସ ଅର୍ଥ ହଡପ କରିବାକୁ ଉଦ୍ୟମ କରୁଥିଲେ l
ସମ୍ପ୍ରତି ରାଜ୍ୟ ସରକାର ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।