ଭୁବନେଶ୍ୱର : ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ସରକାରଙ୍କ ପ୍ରଶଂସା ହିଁ ପ୍ରଶଂସା କରା ଯାଇଥିଲା।
ବୈଠକରେ ନୂଆଦିଲ୍ଲୀରେ ସଦ୍ୟ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ରେ ଓଡ଼ିଶା ୫ଟି ଜାତୀୟ ପୁରସ୍କାର ହାସଲ କରିବା, ୨୦୨୫ ମସିହାରେ ଓଡ଼ିଶାକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ପରିଦର୍ଶନ, ଶକ୍ତି ସଂରକ୍ଷଣ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ ଅଧୀନରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅଗ୍ରଗତିକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ । ସେହିପରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପଦକ୍ଷେପରେ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍, ଥ୍ରୀଡିଜିଏସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଫଳରେ ରାଜ୍ୟର ଶିଳ୍ପ ଓ ପ୍ରଯୁକ୍ତିଗତ ବିକାଶ ସହ ବୃହତ୍ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାର ବିଦ୍ୟୁତ୍ ଶକ୍ତି ସୁରକ୍ଷାରେ ଓପିଜିସିର ଉଲ୍ଲେଖନୀୟ ସଫଳତା କୁ ମଧ୍ୟ ମୁଖ୍ୟ ସଚିବ ପ୍ରଶଂସା କରିଥିଲେ ।
ବୈଠକରେ ମଇ ୨୦୨୬ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ରାଜ୍ୟର ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରାଯାଇଥିଲା । ଜଳସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ , ହସ୍ତତନ୍ତ ବିକାଶ କ୍ଷେତ୍ର, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ବୃଦ୍ଧି ଘଟିଛି ।
ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ପର୍ଯ୍ୟବେକ୍ଷଣ ପତ୍ର(ୟୁଓଆଇ ନୋଟ)ର କାର୍ଯ୍ୟାନୁଷ୍ଠାନ ବିବରଣୀକୁ ଅଗ୍ରାଧିକାର ଦେବାକୁ ଗୁରୁତ୍ୱ ଦିଆଯାଇଥିଲା । ତତ୍ ସହିତ ଆଗାମୀ ଜୁନ୍ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ୧୧ ତମ ପରିଚାଳନା ପରିଷଦ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗରେ ରାଜ୍ୟ ସଂପର୍କିତ ବିଭିନ୍ନ ବିଭାଗର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏହି ବୈଠକରେ “ବିକଶିତ ଭାରତ ପାଇଁ ମାନବ ପୁଞ୍ଜି” ଥିମ୍ ସହିତ ପୂର୍ବରୁ ଅନୁଷ୍ଠିତ ୫ମ ମୁଖ୍ୟ ଶାସନ ସଚିବମାନଙ୍କ ବୈଠକର ପ୍ରସ୍ତାବ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା ହେବ ।
ବୈଠକରେ ଓଡ଼ିଶା ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ ସରକାର ଓ ନାଗରିକଙ୍କ ମଧ୍ୟରେ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ବିଭିନ୍ନ ଜନସମ୍ପର୍କ ଓ ଜନସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିସ୍ତୃତ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଆଲୋଚନା ଅନୁସାରେ ରାଜ୍ୟ, ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସରକାରଙ୍କ ଦୁଇ ବର୍ଷର ସଫଳତା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଆଗାମୀ ତିନି ବର୍ଷିଆ ବିକାଶ ରୋଡମ୍ୟାପ୍ ସଂପର୍କରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଉଲ୍ଲେଖନୀୟ ଯାତ୍ରାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୁନ୍ ୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେହିପରି ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୦ ତାରିଖରେ ରାଇରଙ୍ଗପୁର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏ ସଂପର୍କରେ ବୃହତ୍ ଜନସଂପୃକ୍ତି କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱରରେ ଜୁନ୍ ୧୨ରୁ ୧୬ ପର୍ଯ୍ୟନ୍ତ ପାଞ୍ଚଦିନିଆ ପ୍ରଦର୍ଶନୀ ଆୟୋଜନ ସହ ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବା ସଂପର୍କରେ ଆଲୋଚନା କରାଯାଇଛି।
ବୈଠକର ପ୍ରାରମ୍ଭରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ “ବିକଶିତ ଓଡ଼ିଶା, କ୍ରିୟାଶୀଳ କଟକ” ଉପରେ ଏକ ବିସ୍ତୃତ ଉପସ୍ଥାପନ କରିଥିଲେ ।
ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସ୍ଆରଟିସି) ର ଉଲ୍କେଖନୀୟ ପ୍ରଦର୍ଶନ ଓ ସଫଳତା ସମ୍ପର୍କରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଏସ୍ଆର୍ଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍ .ବି.ଏସ୍ ରାଜପୁତ ତଥ୍ୟ ଉପସ୍ଥାପନ କରିଥିଲେ । ( ଓଏସ୍ଆରଟିସି) ଇତି ମଧ୍ୟରେ ବ୍ୟାପକ ସଂସ୍କାର ଓ ଆଧୁନିକୀକରଣ ମାଧ୍ୟମରେ ଜନପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୧୦୦ ପ୍ରତିଶତ କ୍ୟାଶଲେସ୍ ଟିକେଟିଂ ବ୍ୟବସ୍ଥା, ଆଇଟି-ଆଧାରିତ ପରିଚାଳନା, ଅନ୍ତଃ ରାଜ୍ୟ ସଂଯୋଗର ସମ୍ପ୍ରସାରଣ, ଯାତ୍ରୀ ସେବାର ଗୁଣାତ୍ମକ ଉନ୍ନତି, ଇନ୍ଧନ ସଞ୍ଚୟ ପଦକ୍ଷେପ ଫଳରେ ନିଗମ ପୂର୍ବରୁ ସହୁଥିବା କ୍ଷତିରୁ ମୁକ୍ତ ହୋଇ ୨୦୨୫-୨୬ ଆର୍ଥିକ ବର୍ଷରେ ଲାଭ କରିଥିବା ଜଣାଯାଇଛି । ଏହା ଜନ ପରିବହନ କ୍ଷେତ୍ରରେ ଆର୍ଥିକ ସୁଦୃଢ଼ତା ଓ ସୁଶାସନର ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି । ସେହିପରି, ଅଟଳ ବସ୍ ଷ୍ଟାଣ୍ଡର ବିକାଶ, ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି, ସୌର ଶକ୍ତିର ବ୍ୟବହାର ଏବଂ ଇ-ବସ୍ ସେବାର ସମ୍ପ୍ରସାରଣ ମାଧ୍ୟମରେ ଓଏସ୍ଆର୍ଟିସି ଏକ ସ୍ମାର୍ଟ, ସବୁଜ ଓ ସ୍ଥାୟୀ ଜନପରିବହନ ବ୍ୟବସ୍ଥା ଗଠନ ଦିଗରେ ଦୃଢ଼ ପଦକ୍ଷେପ ନେଇଛି । ପରିଚାଳନାଗତ ଦକ୍ଷତା ବୃଦ୍ଧି, ଡିଜିଟାଲ ରୂପାନ୍ତରଣ, ଖର୍ଚ୍ଚ ହ୍ରାସ ଏବଂ ଯାତ୍ରୀ-କୈନ୍ଦ୍ରିକ ସେବା ପ୍ରଦାନ ମାଧ୍ୟମରେ ଓଏସ୍ଆର୍ଟିସି ଆଜି ରାଜ୍ୟର ଜନପରିବହନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଆଧୁନିକ ଓ ଲୋକାଭିମୁଖୀ କରିବାରେ ସଫଳ ହୋଇଛି । ବୈଠକରେ ଓଏସ୍ଆର୍ଟିସିର ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ତଥା ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।