Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ନିଷ୍ପତ୍ତି ଗୁଡିକ ହେଲା –
୧- ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି। ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଓ ଉଚ୍ଚ-କୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ- ୩୫୨ ଟଙ୍କା, ୩୯୨ ଟଙ୍କା, ୪୪୨ ଟଙ୍କା ଓ ୫୦୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଯଥାକ୍ରମେ- ୪୫୦ ଟଙ୍କା, ୫୦୦ ଟଙ୍କା, ୫୫୦ ଟଙ୍କା ଓ ୬୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨- ରାଜ୍ୟ ସରକାର ଓଡିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ୨୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି (Corpus Fund) ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଏହି ପାଣ୍ଠିରେ ଓଡିଆ ଅସ୍ମିତା ଭବନ ଗଠନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା, ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ, କଳାକାରମାନଙ୍କୁ ପ୍ରୋତ୍ସାହନ, ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜାତୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରରେ ଇ-ଗ୍ରନ୍ଥାଳୟ ସ୍ଥାପନ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହି ପାଣ୍ଠିର ପରିମାଣ ଆହୁରି ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ଓଡିଆ ଅସ୍ମିତା ଉଜ୍ଜୀବିତ ହେବା ସହିତ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରିବ।

୩- ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ୧୮,୭୮୮ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରକାଶ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି।

ଏହି ଆଧାରରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ୨୦,୦୦୦ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ନିଯୁକ୍ତି ନିମନ୍ତେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ଏହି ମାମଲାର ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟଳୟ Computer Based Test ଆଧାରରେ ଆବେଦନକାରୀଙ୍କ ଯୋଗ୍ୟତା ଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୪- ରାଜ୍ୟର ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରିବା ଏବଂ ପୁରୁଣା ସଚଳ ପ୍ରକଳ୍ପକୁ ସୁଦୃଢୀକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ୨୦୬୫ଟି ଅଚଳ ପ୍ରକଳ୍ପକୁ ସଚଳ କରାଯାଇ ୫୯,୨୯୨ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚିତ କରାଯିବ । ଏହା ସହିତ ୧୦,୧୫୨ଟି ପୁରୁଣା ସଚଳ ପ୍ରକଳ୍ପର ଦୃଢୀକରଣ କରାଯାଇ ୨,୨୬,୮୮୬ ହେକ୍ଟର ପରିମିତ ସେଚାଞ୍ଚଳ ଚାଷ ଜମିରେ ଜଳସେଚନର କ୍ଷମତା ବୃଦ୍ଧି କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ୧୦୮୪.୩୮ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୫- ସେହିପରି ରାଜ୍ୟର ସମସ୍ତ ଯୋଗ୍ୟ କୃଷକ ପରିବାରକୁ ପି.ଏମ୍. କିଷାନ ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ଅବଲମ୍ବନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହା ଦ୍ୱାରା ମଧ୍ୟମ, ବୃହତ, ସହରାଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରାଯାଇ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରାଯିବ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

୨୧୦ କୋଟି ଟଙ୍କାର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

 

 

ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ ବିଭିନ୍ନ ଯାନିଯାତ୍ରା (Festive Purpose) ପାଇଁ ମଧ୍ୟ ଉପଯୋଗୀ କରାଯିବ । ଏଥିରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ କୋର୍ଟ, ଲନ, ବଗିଚା, ମହାନଦୀ କୂଳ ସ୍ଥିତ ବିଭିନ୍ନ ୱାଟରବଡିର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି । ଏସବୁ ନିର୍ମାଣ କାର୍ଯ୍ୟରେ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ପାଳନ କରାଯିବ ।

ଏହି ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଗୁଜରାଟର ସାବରମତୀ ଡିଜାଇନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ପ୍ରଥମ ପର୍ଯ୍ୟାୟ କାମ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମହାନଦୀ କୂଳ ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଯେଉଁ ନିର୍ମାଣ କାର୍ଯ୍ୟ ହେଉଛି, ସେହି ପ୍ରକଳ୍ପ ଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଏହି ପ୍ରକଳ୍ପ ଗୁଡିକ ନଦୀତଟକୁ ସୁରକ୍ଷା ଦେବା ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାମ ବେଳେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ National Law University ନିକଟସ୍ଥ ପଠାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଆକର୍ଷଣୀୟ କରିବା ପାଇଁ ମହାନଦୀ ମଧ୍ୟରେ କ୍ରୁଜ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ଦେଇଥଲେ । ଏ ସବୁ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ମିଶ୍ର, ନିର୍ଦ୍ଦେଶକ ପୌର ପ୍ରଶାସନ ଅରିନ୍ଦମ ଡାକୁଆ, କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ୍ କୌର ସହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Nation

ଏଥର ତୃତୀୟ ଲିଙ୍ଗୀ ପଶିବେ…

Published

on

ଭୁବନେଶ୍ୱର : ସେ ପୁରୁଷ ନୁହଁନ୍ତି l ମହିଳା ବି ନୁହନ୍ତି l ସେ ଜଣେ ଜଣାଶୁଣା ତୃତୀୟ ଲିଙ୍ଗୀ ମଣିଷ l

ଆତ୍ମ ଘୋଷିତ ତୃତୀୟ ଲିଙ୍ଗୀ ମେନକା ଗୁରୁସ୍ୱାମୀ ଯିବେ ରାଜ୍ୟସଭା l ପାର୍ଲିଆମେଣ୍ଟରେ ସଭ୍ୟ ହିସାବରେ ପ୍ରବେଶ କରିବାରେ ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ଭାବେ ସେ ଇତିହାସ ରଚିବାକୁ ଯାଉଛନ୍ତି l

ସବୁ ରାଜନୈତିକ ଦଳଗୁଡିକ ବିସ୍ତାରିତ ପ୍ରତିନିଧିତ୍ୱ କଥାର ଡିଣ୍ଡିମ ପିଟୁଥିବା ବେଳେ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମେନକାଙ୍କୁ ରାଜ୍ୟସଭା ପାର୍ଥି କରି ଏକ ନୂତନ ପରମ୍ପରା ସୃଷ୍ଟି କରିଛି l

Continue Reading

Nation

ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଖୁବ୍ ଶୀଘ୍ର ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

Published

on

ଭୁବନେଶ୍ୱର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଏହା ଜଣା ଯାଇଛି।

ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ ଯେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ଯ ଇତି ମଧ୍ଯରେ ସରିଛି । ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ଏହା ଆରମ୍ଭ କରାଯିବ। କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ, ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions