Connect with us

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଓଏମ୍‌ସି ଏହାର ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ କରିଛି। ଏହାଦ୍ବାରା ଓଡିଶାରେ କ୍ଲିନ୍ ଏନର୍ଜି, ଇଲୋକ୍ଟ୍ରୋନିକ୍‌ସ ଓ ଆଧୁନିକ ମୋଟର ଗାଡି ନିର୍ମାଣ ପାଇଁ ମୌଳିକ ଧାତୁ ଯୋଗାଇ ଦେବାରେ ଓଏମ୍‌ସି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏଠାରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ,ବର୍ତ୍ତମାନ ବିଶ୍ବ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲ୍‌ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡିଶା ଖଣି ନିଗମ ଏହି ବର୍ଦ୍ଧିତ ଚାହିଦାକୁ ନିରନ୍ତର ଭାବେ ପୂରଣ କରିବା ସହିତ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧ କୋଟି ଟଙ୍କାର ଆର୍ଥିକ କାରବାରରୁ ଯାତ୍ରା ଆରମ୍ଭ କରିଥିବା ଓଏମ୍‌ସି ୨୦୨୫-୨୬ ଆର୍ଥିକ ବର୍ଷରେ ୨୫ ହଜାର କୋଟି ଟଙ୍କାର କାରବାର କରିଛି। ଏଥି ସହିତ ୪୫ ନିୟୁତ ଟନ ଖଣିଜ ଉତ୍ତୋଳନ ଜରିଆରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ଦେଶର ଏକ ଅଗ୍ରଣୀ ଖଣି ସଂସ୍ଥା ଭାବେ ପ୍ରତିଷ୍ଠା ହାସଲ କରିଛି। ଏବେ ସମୟ ଆସିଛି, ଓଡିଶା ଖଣି ନିଗମ ତାର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରି, ଦେଶର ଅନ୍ୟାନ୍ୟ ରାଜ୍ୟରେ ଖଣି ଭିତ୍ତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ। ଆହୁରି ମଧ୍ୟ ଓଡିଶା ଖଣି ନିଗମ ପାଖରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଅଛି। ଖଣି ଭିତ୍ତିକ କାର୍ଯ୍ୟକଳାପ ସହିତ ଶିଳ୍ପାୟନ ପ୍ରତି ଦୃଷ୍ଟିଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସେ ପୁଣି କହିଥିଲେ, ଦୀର୍ଘ ସାତ ଦଶନ୍ଧିରୁ ଅଧିକ ସମୟ ଧରି ଓଏମ୍‌ସି କେବଳ ଏକ ବ୍ୟବସାୟିକ ସଂସ୍ଥା ଭାବେ ନୁହେଁ, ବରଂ ଓଡିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରିଆସୁଛି। ରାଜ୍ୟରେ ମୂଲ୍ୟବାନ୍ ଖଣିଜ ସମ୍ପଦକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରି ଓଏମ୍‌ସି ଆଜି ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରଖୁଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆପାଣି ଠାରେ ନବନିର୍ମିତ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ, ଖଣି ଅଞ୍ଚଳ ବାସୀଙ୍କ ପାଇଁ ୮ଟି ଅତ୍ୟାଧୁନିକ Basic Life Support Ambulance, ସମନ୍ବିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଓ-ସ୍ବାସ୍ଥ୍ୟ ନାମକ ଏକ ଡିଜିଟାଲ୍ ସ୍ବାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥି ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ରିଜିଅନ୍‌ କୁ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ ସିଂହ ଓଡିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଦିଗରେ ଓଏମ୍‌ସିର ଅତୁଳନୀୟ ଯୋଗଦାନ ରହିଛି ବୋଲି ଉଲ୍ଲେଖ କରି ଓଏମ୍‌ସି ଦ୍ବାରା ପରିଚାଳିତ ଖଣି ଖାଦାନ ଗୁଡିକ କିଭଳି ରାଜ୍ୟ ଓ ଦେଶର ବିକାଶ କ୍ଷେତ୍ରରେ ଅଧିକ ଉପଯୋଗୀ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଥିଲେ।

ଓଡିଶା ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ଗିରିଶ୍ ଏସ୍‌.ଏନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା: କହିଲେ ଅପରାଧୀଙ୍କୁ ସାବଡ କର

Published

on

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ଅପରାଧୀଙ୍କୁ ସାବଡ଼ କରିବାକୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିର୍ମୂଳ କରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେପରି ନକ୍ସଲ ଅପରାଧକୁ ଦମନ କରାଯାଇଛି, ସେହିପରି ବାଲି ମାଫିଆ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦମନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେକୌଣସି ସ୍ଥାନରେ ଅପରାଧୀକ ତତ୍ତ୍ୱ ବିରୁଦ୍ଧରେ ପୋଲିସ ଆଇନ ଅନୁଯାୟୀ ଆଗୁଆ ପଦକ୍ଷେପ ନେଇ ଅପରାଧ ସମ୍ଭାବନାକୁ କମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ପୋଲିସ ଏଭଳି ପଦକ୍ଷେପ ନେଉ ଯାହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଆବଶ୍ୟକ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଟିମ୍‌ ସ୍ପିରିଟ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ସମ୍ପୂର୍ଣ୍ଣ ଭାବେ ଆଗୁଆ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ । ବିଭିନ୍ନ ଅଞ୍ଚଳର ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କ୍ରାଇମ୍‌ ମ୍ୟାପିଙ୍ଗ୍ କରିବା ଜରୁରୀ । ଏହା ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ।

ପୋଲିସ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପୋଲିସର ଉପସ୍ଥିତି ସର୍ବସାଧାରଣରେ ପରିଲକ୍ଷିତ ହେବା  ଅତ୍ୟନ୍ତ ଜରୁରୀ । ବ୍ୟାପକ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥା ଦ୍ୱାରା ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଆସ୍ଥା ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେମାନେ ଜିଲ୍ଲାସ୍ତରରେ ନିୟମିତ ଭାବେ ଜିଲ୍ଲାର ଆଇନ କାନୁନ ପରିସ୍ଥିତି ସମୀକ୍ଷା କରି ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପଠାନ୍ତୁ । ବିଭିନ୍ନ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିୟମିତ ଭାବେ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ପୋଲିସ ପ୍ରଶାସନ ଅନେକ କ୍ଷେତ୍ରରେ ସଫଳତା ଅର୍ଜନ କରିଛି । ପୋଲିସର ଉନ୍ନତ ତଦନ୍ତ ବ୍ୟବସ୍ଥା ଯୋଗୁ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଦୋଷୀ ସାବ୍ୟସ୍ତ ହାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ନକ୍ସଲ ଅପରାଧରେ ପୋଲିସର ସଫଳତା ପ୍ରଂଶସନୀୟ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

Continue Reading

Nation

ଭିଡ଼ ହିଂସା: ଓଡିଶା ମୁଖ୍ୟମନ୍ତ୍ରୀ ରାଗିଲେ, ଡିଜିପିଙ୍କୁ ତାଗିଦ କଲେ

Published

on

ଭୁବନେଶ୍ୱର:ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ତାଙ୍କର ରାଗ ଦେଖାଇଛନ୍ତି । ଏପରି ଘଟଣା ଯେଭଳି ଭବିଷ୍ୟତରେ ନଘଟେ ସେଥିପାଇଁ ପୁଲିସ ଡିଜିପିଙ୍କୁ ତାଗିଦ କଲେ l

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍‌ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ ।

ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ଶ୍ରୀ ସଞ୍ଜୟ କୁମାର, ଏ.ଡି.ଜି କ୍ରାଇମବ୍ରାଞ୍ଚ୍ ଶ୍ରୀ ବିନୟତୋଷ ମିଶ୍ର, ପୋଲିସ କମିଶନର ଶ୍ରୀ ଏସ. ଦେବଦତ୍ତ ସିଂହ ଏବଂ ଡ଼ି.ସି.ପି ଶ୍ରୀ ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ଓ୍ବାଟକୋର ଐତିହାସିକ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ

Published

on

ଭୁବନେଶ୍ୱର: ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।

ନିକଟରେ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଓ୍ବାଟକୋର ଏହି ସଫଳତା ସହିତ ଆଗାମୀ ଜଳ ଓ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ସ୍ୱାୟତ୍ତ ଶାସନ ନିର୍ଦେଶକ ଅରିନ୍ଦମ ଡାକୁଆ, ୱାଟକୋ ପରିଚାଳନା ନିର୍ଦେଶକ ଦେବବ୍ରତ ମହାନ୍ତି ବୈଠକରେ ଉପସ୍ଥିତ ଥିଲେ l

୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ ୧୧ଟି ସହରାଞ୍ଚଳରେ ୨୪x୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।

ଓ୍ବାଟକୋର ବର୍ତ୍ତମାନ ମୋଟ ଜଳ ଯୋଗାଣ କ୍ଷମତା ୯୮୮.୮୯ ଏମ୍ ଏଲ୍ ଡିରେ ପହଞ୍ଚିଥିବାବେଳେ ସହରାଞ୍ଚଳର ବର୍ତ୍ତମାନ ଚାହିଦା ୭୦୦.୬୭ ଏମ୍ ଏଲ୍ ଡି ରହିଛି। ଏହି ଅତିରିକ୍ତ କ୍ଷମତା ଆଗାମୀ ଦିନରେ ରାଜ୍ୟର ଦୀର୍ଘମିଆଦି ଜଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।

୨୦୨୫-୨୬ ଆର୍ଥିକ ବର୍ଷରେ ଓ୍ବାଟକୋ ନିଜର ୯୧୨ କୋଟି ଟଙ୍କାର ବଜେଟକୁ ଶତପ୍ରତିଶତ ବ୍ୟୟ କରିଥିବା ସହିତ ଅମୃତ ଏବଂ ଓଏମବିଏଡିସି (OMBADC) ପରି ଯୋଜନା ମାଧ୍ୟମରେ ଅତିରିକ୍ତ ୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଏହି ଧାରାକୁ ଜାରି ରଖି ୨୦୨୬-୨୭ ପାଇଁ ୯୨୦ କୋଟି ଟଙ୍କାର ଏକ ମହତ୍ବଙ୍କାକ୍ଷୀ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଗତ ଏକ ବର୍ଷ ମଧ୍ୟରେ ଓ୍ବାଟକୋ ୩ଟି ନୂତନ ଜଳ ବିଶୋଧନ ପ୍ଲାଣ୍ଟ ଓ ୫୮ଟି ଉଚ୍ଚକ୍ଷମତାସମ୍ପନ୍ନ ଜଳାଶୟ ନିର୍ମାଣ କରିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨,୬୫୮.୪୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଅବସ୍ଥାରେ ରହିଛି। ଏଥିରେ ଭୁବନେଶ୍ୱର ପାଇଁ ୧୩୦ ଏମ୍ ଏଲ୍ ଡି କ୍ଷମତା ବିଶିଷ୍ଟ ବୃହତ୍ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ସହରର ବସ୍ତି ଓ ଅଣ-ବସ୍ତି ଅଞ୍ଚଳରେ ସ୍ୱେରେଜ୍ ନେଟୱାର୍କ ସମ୍ପ୍ରସାରଣ ପରି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।

ଆଗାମୀ ପର୍ଯ୍ୟାୟରେ ଓ୍ବାଟକୋ ୬,୧୨୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହତ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ସେଥିରେ ସମ୍ବଲପୁର ପାଇଁ ୧,୬୮୨ କୋଟି ଟଙ୍କା ଓ ବାରିପଦା ପାଇଁ ୮୩୦.୯୭ କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି।

ଡିଜିଟାଲ୍ ଓ ସ୍ମାର୍ଟ ଜଳ ପରିଚାଳନାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା ଓ ବ୍ରହ୍ମପୁରରେ ୫୦ ହଜାର ସ୍ମାର୍ଟ ୱାଟର ମିଟର ସ୍ଥାପନ କାର୍ଯ୍ୟ ଚାଲିଛି। ଏହାଦ୍ୱାରା ବିଲିଂ ବ୍ୟବସ୍ଥା, ଜଳ ବ୍ୟବହାର ନିରୀକ୍ଷଣ ଓ ସମ୍ବଳ ପରିଚାଳନାରେ ଆଧୁନିକତା ଆସିବ।

ଜଳର ଗୁଣବତ୍ତା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଓ୍ବାଟକୋ ରାଜ୍ୟରେ ୧୪ଟି ଆଧୁନିକ ପରୀକ୍ଷାଗାର ପରିଚାଳନା କରୁଛି। ଏହା ସହ ଆଇଆଇଟି ଭୁବନେଶ୍ୱର ସହ ବୈଷୟିକ ସହଯୋଗ ମାଧ୍ୟମରେ ଜଳ ପରିଚାଳନାରେ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ସୁସ୍ଥିର ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳରେ ବିଶ୍ୱସ୍ତରୀୟ ନାଗରିକ ସେବା ପ୍ରଦାନ ପାଇଁ ଓ୍ବାଟକୋ ନିରନ୍ତର କାର୍ଯ୍ୟ କରୁଛି।

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions