Connect with us

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଶନିବାର ରଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନୂଆ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଭାସୀ ଜରିଆରେ ୧୩ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର ଓ ସବ୍‌-ରେଜିଷ୍ଟ୍ରାର୍‌ ମାନେ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ସବ୍‌-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଅବଶିଷ୍ଟ ୧୦୦ରୁ ଆଜି ୪୪ଟି ସବ୍‌-ରେଜିଷ୍ଟ୍ରେସନ ଅଫିସ ଖୋଲାଗଲା। ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବାପାଇଁ ଯୋଜନା ରଖାଯାଇଛ l

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାର ୩୨ଟି ବିଭାଗର ୪୩୩ଟି ସେବାକୁ ଅନ୍‌ଲାଇନ ଜରିଆରେ ଯୋଗାଇ ଦେଉଛନ୍ତି। ନିକଟରେ ଜମିଜମା ପଞ୍ଜୀକରଣ ପାଇଁ ସ୍ଲଟ୍ ବୁକିଂ ନିମନ୍ତେ ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍‌ର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଏଥିରେ ସ୍ଲଟ ବୁକିଂ ସହିତ ଇ.ସି ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ମିଳିପାରୁଛି। ଉଦ୍ଦେଶ୍ୟ ହେଉଛି ଯେତେଦୂର ସମ୍ଭବ ଲୋକଙ୍କୁ ସୁବିଧାରେ ଓ ସହଜରେ ସେବା ଯୋଗାଇଦେବା।

ସ୍ମାର୍ଟ ସର୍ଭେଲାନ୍‌ସ ଜରିଆରେ ସମସ୍ତ ସବ୍‌-ରେଜିଷ୍ଟ୍ରେସନ ଅଫିସକୁ ସିସିଟିଭି ଜରିଆରେ ନୀରିକ୍ଷଣ କରାଯାଉଛି। ଏହାଦ୍ୱାରା କର୍ମଚାରୀ ମାନଙ୍କର ସମୟାନୁବର୍ତ୍ତୀତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇ ପାରୁଛି। ଉପନିବନ୍ଧନ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ଓ ମଧ୍ୟସ୍ଥି ମୁକ୍ତ କରିବା ଦିଗରେ ଏହି Smart Surveillance ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ତହସିଲରେ ସବ୍‌ରେଜିଷ୍ଟ୍ରେସନ ଅଫିସ ଖୋଲିବା ଦ୍ବାରା ଜନସାଧାରଣଙ୍କୁ ଅନେକ ସୁବିଧା ମିଳିପାରିବ। ଦୂରଦୂରାନ୍ତକୁ ଯାଇ ଜମି ପଞ୍ଜୀକରଣ କରିବାର ଅସୁବିଧା ଓ ଖର୍ଚ୍ଚରୁ ମୁକ୍ତି, ସମୟଉପଯୁକ୍ତ ପଞ୍ଜୀକରଣ, ସହଜରେ ମ୍ୟୁଟେସନ ପଟ୍ଟା ଉପଲବ୍ଧ , ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ସର୍ବୋପରି ଜମି ପଞ୍ଜୀକରଣରେ ପାରଦର୍ଶିତା ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।

ନୂଆ ସରକାର ଆସିବା ପରେ ରାଜସ୍ୱ ମନ୍ତ୍ରୀ ପୂଜାରୀଙ୍କ ନେତୃତ୍ୱରେ ବିଭାଗ ପକ୍ଷରୁ ଲୋକଙ୍କୁ ସେବା ପ୍ରଦାନ କରିବାରେ ଦକ୍ଷତା ଆସିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବିଭାଗ ଅଳ୍ପ ସମୟ ମଧ୍ୟରେ ୨, ୧୮,୬୧,୦୬୩ଟି ସେବା ଅନଲାଇନ ଜରିଆରେ ଯୋଗାଇଦେଇଥିବା ବେଳେ ୨୫ ହଜାରରୁ ଅଧିକ ବାସଗୃହହୀନ ଲୋକଙ୍କୁ ଘରବାଡି ପଟ୍ଟା ଦିଆଯାଇଛି। ୨୭ ଲକ୍ଷ ଖାତାକୁ ସର୍ବେକ୍ଷଣ କରାଯାଇ ମୃତ ଲୋକଙ୍କ ଜମିବାଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ ରେକର୍ଡ କରାଯାଇଛି। ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ୨୩ ହଜାର ୯୮୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ପାରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ରାଜସ୍ୱ ମନ୍ତ୍ରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜମି କିଣାବିକା ସମୟରେ ସାଧାରଣତଃ ଭାବେ ଲୋକମାନେ ବହୁତ ହନ୍ତସନ୍ତ ହୁଅନ୍ତି। ଏଥି ପାଇଁ ବିଭାଗରେ ସଂସ୍କାର ଅଣାଯାଇ ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ୍ ଖୋଲାଯିବା, କିଣାବିକା ପ୍ରକ୍ରିୟାକୁ ସରଳ କରିବା, ରାଜସ୍ୱ ରେକର୍ଡକୁ ସଂଶୋଧନ କରିବା, କ୍ୟାସଲେସ୍ ଅର୍ଥ ନେଣ-ଦେଣ ଏବଂ ତ୍ୱରିତ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ବ୍ୟବସ୍ଥାକୁ ସହଜ, ସରଳ ଓ ସମୟୋପଯୋଗୀ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ତହସିଲ ଅଫିସ ଓ ସବ୍‌-ରେଜିଷ୍ଟ୍ରେସନ ଅଫିସକୁ କୋ-ଟର୍ମିନସ୍‌ କରାଯାଇଛି ବା ସମାନ କରାଯାଇଛି। ଏହା ଦ୍ବାରା ତହସିଲର ସମସ୍ତ ସେବା ଲୋକମାନେ ଗୋଟିଏ ଯାଗାରେ ସୁବିଧାରେ ପାଇପାରିବେ। ଅନେକ ଦିନ ଧରି ପାର୍ଟ ପ୍ଲଟ ବିକିବା ବ୍ୟବସ୍ଥା ବନ୍ଦ ଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ, ଏହାକୁ ଅନୁମୋଦନ ଦିଆଯାଇଛି। ଏହାଦ୍ବାରା ଜନସାଧାରଣ ସୁବିଧାରେ ଜମି କିଣାବିକା କରିପାରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀ ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ଗଙ୍ଗାଧର ବିଷୋୟୀ ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି

Published

on

ବୁଗୁଡ଼ା :  ଓଡ୍ର ଖଣ୍ଡାୟତ କାଳଁଞୀ ସମାଜର କେନ୍ଦ୍ରୀୟ ପରିଷଦ ପକ୍ଷରୁ ଆଜି ବେତାରସିଙ୍ଗି ଅଂଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୁଗୁଡ଼ା-ଭଞ୍ଜନଗର ଅଂଚଳର ଜଣାଶୁଣା ଲୋକପ୍ରିୟ ଜନନେତା ଗଙ୍ଗାଧର ବିଷୋୟୀଙ୍କୁ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି ଭାବେ ମନୋନୀତ କରାଯଇଛି l

ଅଞ୍ଚଳ ପରିଷଦର ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇଛନ୍ତି l

ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ, ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମମଣ୍ଡଳ,ଅଞ୍ଚଳ ଓ 19 ଖଣ୍ଡ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ l

ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ କୂଳ ଦେବତାଙ୍କ ନିକଟରେ ଶପଥ ପାଠ କରାଯାଇଥିଲା l

ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧା ଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l

Continue Reading

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions