Connect with us

ଭୁବନେଶ୍ୱର : ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷାକରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ (Ministry of Earth Science) ମଧ୍ୟରେ ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଏକ MoU ସ୍ବାକ୍ଷରିତ ହୋଇଛି

 

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପୂଜା ମିଶ୍ର ଓ National Centre for Coastal Researchର ନିର୍ଦ୍ଦେଶକ ଡକ୍ଟର ଆର୍‌.ଏସ୍. କନ୍‌କରା ଏହି MoUରେ ସ୍ବାକ୍ଷର କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP କାର୍ଯ୍ୟକାରୀ ହେବାଦ୍ବାରା ରାଜ୍ୟର ନୀଳ ଅର୍ଥନୀତି (Blue-Economy) ର ଉନ୍ନତି ହେବା ସହିତ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ମଧ୍ୟ ହୋଇପାରିବ। ସ୍ଥାନୀୟ ଉପକୂଳ ଅର୍ଥନୀତିର ଉନ୍ନତି ସହିତ ସାମୁଦ୍ରିକ ଜୀବଜଗତ ସୁରକ୍ଷିତ ରହିବେ। ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ ଏହି MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ୨୦୧୯ ମସିହା ଠାରୁ ଦେଶରେ Sustainable Ocean Planning ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହା କାର୍ଯ୍ୟକାରୀ କରୁଛି। ଓଡିଶାର ଉପକୂଳ ଅର୍ଥନୀତି ଏବଂ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP ଏକ ସମୟ ଉପଯୋଗୀ ପଦକ୍ଷେପ। ଏହା ଆମର ମତ୍ସ୍ୟଚାଷ, ପର୍ଯ୍ୟଟନ, ବନ୍ଦର, ସାମୁଦ୍ରିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ମେରାଇନ୍ ଇକୋସିଷ୍ଟମର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ଅଗଷ୍ଟ ମାସରେ ସାମୁଦ୍ରିକ ପର୍ଯ୍ୟାବରଣର ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ପାଇଁ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ କରିବାକୁ OMBRIC (Odisha Marine Biotechnology Research and Innovation Corridor) ଆରମ୍ଭ କରାଯାଇଥିଲା। ଏହା ଆମର ବର୍ତ୍ତମାନର MSP କାର୍ଯ୍ୟକ୍ରମକୁ ସୁଦୃଢ କରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ଦୃଢ ସମର୍ଥନ ଦେଇଆସିଛନ୍ତି। ଓଡିଶାର ବିକାଶ ପ୍ରତି ତାଙ୍କର ଫୋକସ ଯୋଗୁ Sustainable Ocean Planning ର ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିବାର ସୁଯୋଗ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ନିଜର ମତାମତ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ନେସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ବା NCCR ହେଉଛି ସାମୁଦ୍ରିକ ଗବେଷଣାରେ ଏକ ଅଗ୍ରଣୀ ଅନୁଷ୍ଠାନ। ସାମୁଦ୍ରିକ ଜୀବଜଗତର ସୁରକ୍ଷା, ପରିବେଶ ପରିବର୍ତ୍ତନର ପ୍ରଭାବ ଏବଂ ସାମୁଦ୍ରିକ ସମ୍ବଳର ଉନ୍ନତ ବ୍ୟବହାର ଦିଗରେ ଏହି ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ମଡେଲ୍ ପ୍ରସ୍ତୁତକରିଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ MSPର ସଫଳତା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ୨୦୩୬ ଓ ୨୦୪୭ର ପରିକଳ୍ପନାକୁ ସଫଳ କରିବା ପାଇଁ ଏହି MSP ଏକ ମହତ୍ବପୂର୍ଣ୍ଣ ଅଭିଯାନ। ମତ୍ସ୍ୟ, ପର୍ଯ୍ୟଟନ ଏବଂ ସାମୁଦ୍ରିକ ଉତ୍ସ ଗୁଡିକର ସର୍ବାଧିକ ବିନିଯୋଗ ସହିତ ପର୍ଯ୍ୟାବରଣର ସୁରକ୍ଷା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।

କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଭିଜନ ୨୦୪୭ ପାଇଁ ଦେଶକୁ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ। ତା ସହିତ ପରିବେଶ ପରିବର୍ତ୍ତନର ଆହ୍ବାନକୁ ମଧ୍ୟ ମୁକାବିଲା କରିବାକୁ ହେବ। ଆମର ବ୍ଲୁ-ଇକୋନୋମି ଯେପରି ସଷ୍ଟେନେବଲ୍ (ଦୀର୍ଘସ୍ଥାୟୀ) ହେବ, ସେଥିପାଇଁ ଏହି MSP ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ରୟାଲ ନରୱେଜିଆନ୍ ଏମ୍ବାସୀର ଡେପୁଟି ଆମ୍ବାସାଡର ମିଷ୍ଟର ଅର୍‌ଭିନ୍ ଗାଡ୍‌ଗିଲ କହିଲେ ଯେ, ସାମୁଦ୍ରିକ ଅର୍ଥନୀତି ତଥା ପର୍ଯ୍ୟାବରଣର ସୁରକ୍ଷା ପାଇଁ ଓଡିଶାର ଏହି ଉଦ୍ୟମରେ ନରୱେ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଟେକ୍ନୋଲୋଜି ଭିତ୍ତିକ ସମ୍ବଳ ପରିଚାଳନା ଜରିଆରେ ଓଡିଶାର ଲୋକଙ୍କ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଅନ୍ତର୍ଜାତୀୟ ଜଳସୀମାରେ ଏବେ ଟୁନା ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ: ମିଳିଲା ଅନୁମୋଦନ ପତ୍ରର

Published

on

ଭୁବନେଶ୍ୱର :  ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଏଠାରେ ମୁକ୍ତ ସମୁଦ୍ରରେ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ।

ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।

 

ଶ୍ରୀ ରାଧାକୃଷ୍ଣନ୍ ଏହି ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରାଧିକରଣ ପତ୍ର (LoA) ପ୍ରଦାନ କରିଥିଲେ। ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ।

ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି LoA କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଥିଲେ, ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି।

ସେ କହିଥିଲେ ଯେ, ବର୍ତ୍ତମାନ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ପ୍ରାଧିକରଣ ପତ୍ର (LoA) ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରାରମ୍ଭିକ ଭାବେ ଓଡିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଏହି LoA ପ୍ରଦାନ କରାଯିବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ EEZ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜ (DSFV) କୁ ମଧ୍ୟ ‘ଗୋ-ଆହେଡ୍‌’ ଅନୁମତି ଜାରି କରାଯାଇଛି। ଦେଶର ସମଗ୍ର ଉପକୂଳର ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ (EEZ) ଆମ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପୁଳ ସୁଯୋଗ ଆଣିଦେବ।

 ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି ।

 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,  ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ  କହିଥିଲେ ଯେ ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ଆମେ ବ୍ୟାପକ ସହାୟକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ କରିଛୁ।

ଏହି ଜାତୀୟସ୍ତରର ସମାରୋହରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ବ୍ରହ୍ମପୁର-ଉଧ୍‌ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏବେ ଦୈନିକ

Published

on

ଭୁବନେଶ୍ୱର: ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍‌ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ ଟ୍ରେନ ରୂପେ ନିଜର ଯାତ୍ରା ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀ, ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହାକୁ ଓଡ଼ିଶାର ବିକାଶ ଲାଗି ଏକ ଐତିହାସିକ ଦିନ ବୋଲି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼। ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ଓ ବ୍ୟବସାୟୀ ଭାଇମାନେ ସୁରଟରେ ରହି ସେଠାକାର ଟେକ୍ସଟାଇଲ ଓ ଡାଇମଣ୍ଡ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ପୂର୍ବରୁ ସାପ୍ତାହିକ ଟ୍ରେନ ଯୋଗୁ ଯାତାୟତରେ ଅନେକ ଅସୁବିଧା ହେଉଥିଲା। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହି ସେବାକୁ ଦୈନିକ କରିଥିବାରୁ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଟ୍ରେନ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭାଇଭଉଣୀଙ୍କ ପାଇଁ ନିରାପଦ, ଶସ୍ତା ଓ ଦ୍ରୁତ ଯାତ୍ରାର ସୁବିଧା ପ୍ରଦାନ କରିବ। ଏହାଦ୍ୱାରା ଗୁଜୁରାଟ ସହ ଓଡିଶାର ସମ୍ପର୍କ ଆହୁରି ନିବିଡ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁର ସହରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍‌ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଅତୀତରେ ସୁରଟ ଠାରେ ଗୋଟିଏ ସଭାରେ ଯୋଗଦେଇଥିବା ଅବସରରେ ସୁରଟରୁ ବ୍ରହ୍ମପୁର ଯାଏ ନିୟମିତ ରେଳ ଚଳାଚଳ ପାଇ ଯେଉଁ ଅନୁରୋଧ କରାଯାଇଥିଲା, ଆଜି ତାହା ପୂରଣ କରାଯାଇଛି । ବର୍ତ୍ତମାନ ସମୟର Latest Technology ର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ । ସେ ଆହୁରି ଘୋଷଣା କରିଥିଲେ ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ କରିବା ପାଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହି ଶୁଭାରମ୍ଭ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁରର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ୍ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଗଣ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୂର୍ବ ତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Continue Reading

Nation

ସ୍କୁଲ ବହି ତ୍ରୁଟି ପାଇଁ ବଡ ବଡିଆଙ୍କ ଗଡ଼ିଲା ମୁଣ୍ଡ

Published

on

ଭୁବନେଶ୍ୱର : ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତି ଅନୁଯାୟୀ

ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର (Teachers Training & SCERT) ତତ୍କାଳୀନ ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ, ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି।

ଏହା ସହିତ

୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ।

ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ୧୪ ଟି ସୁପାରିଶ କାର୍ଯ୍ୟକାରୀ କରାଯିବ।

ଏଗୁଡ଼ିକ ହେଉଛି

SCERT ପକ୍ଷରୁ ମାଷ୍ଟର ତ୍ରୁଟି (Errata) ରେଜିଷ୍ଟର ପ୍ରସ୍ତୁତ କରାଯିବ, ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଧାନ କରାଯିବ, SCERT ରେ Quality Assurance Cell ଖୋଲାଯିବ ଇତ୍ୟାଦି। ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସ କୁ ଯିବ ନାହିଁ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions