Connect with us

ଭୁବନେଶ୍ୱର : ଓଡିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ 4.36 କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ 2019-20 ଏବଂ 2020-21 ନିମନ୍ତେ ଆଜି ଏହି ଲାଭାଂଶ ପ୍ରଦାନ କରାଯାଇଛି ।

ଏହି ଅବସରରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ ।

ଏହାର ଭଣ୍ଡାରଣ କ୍ଷମତାର (Storage Capacity) ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାରଙ୍କୁ ଅର୍ଥାତ୍ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମ ଙ୍କୁ ନିୟମିତ ଭାବରେ ଡିଭିଡେଣ୍ଡ୍ ପ୍ରଦାନ କରୁଅଛି ।

 

ସୂଚନାଯୋଗ୍ୟ ଯେ, ଆର୍ଥିକ ବର୍ଷ 2019-20 ଏବଂ 2020-21 ପାଇଁ ନିଗମର ମୋଟ ଲାଭ ହେଉଛି ଯଥା କ୍ରମେ Rs. 6,36,95,556 ଏବଂ Rs. 22,71,79,454 । ତେଣୁ ଏହି ଦୁଇ ବର୍ଷ ପାଇଁ ମୋଟ ଲାଭର 30% ହିସାବରେ ଡିଭିଡେଣ୍ଡ୍ ରାଶି ଯାହାକି Rs. 8,72,62,502 କୁ ଉଭୟ ଅଂଶୀଦାରଙ୍କୁ (ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମ) ସମ ପରିମାଣରେ (ଅର୍ଥାତ ପ୍ରତିଟି ଅଂଶୀଦାରଙ୍କୁ Rs. 4,36,31,251 ) ପ୍ରଦାନ କରାଯାଇଛି ।

 

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ମୁଖ୍ୟତ ୫,୨୧,୪୦୦ ମେଟ୍ରିକ ଟନ୍ ଷ୍ଟୋରେଜ୍ କ୍ଷମତା ସହିତ ରାଜ୍ୟର ୩୦ ଟି ଜିଲ୍ଲାରେ ଥିବା ୬୮ ଗୋଦାମକୁ ପରିଚାଳନା କରି କୃଷି କ୍ଷେତ୍ରକୁ ଭଣ୍ଡାରଣ ଏବଂ ପରିବହନ ସେବା ଯୋଗାଇଥାଏ |

ଏହି ଗୋଦାମଗୁଡ଼ିକ ମୁଖ୍ୟତଃ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଓଡିଶା ରାଜ୍ୟ ଯୋଗାଣ ନିଗମ (OSCSC Ltd) ଓ ଭାରତୀୟ ଖାଦ୍ୟ ନିଗମ (FCI) ର ଖାଦ୍ୟଶସ୍ୟର ବୈଜ୍ଞାନିକ ସଂରକ୍ଷଣରେ ସହାୟକ ହୁଅନ୍ତି | ସେହିପରି ଅନ୍ୟାନ୍ୟ ସରକାରୀ ସଂସ୍ଥା ଯଥା NAFED ଏବଂ TDCC Ltd ଇତ୍ୟାଦି ଙ୍କ ଦ୍ଵାରା କିଣାଯାଇଥିବା ଖାଦ୍ୟଶସ୍ୟ, ତୈଳବୀଜ , ଡାଲି ଏବଂ ମାଣ୍ଡିଆ , OSWC ର ବିଭିନ୍ନ ଗୋଦାମରେ ଗଚ୍ଛିତ ରଖା ଯାଇଥାଏ ଯାହା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦର ସର୍ବନିମ୍ନ ସହାୟତା ମୂଲ୍ୟ ପାଇବାରେ ସାହାଯ୍ୟ କରିଥାଏ ଏବଂ ଅମଳ ସମୟରେ ଅଭାବୀ ବିକ୍ରୀରୁ ରକ୍ଷା କରିଥାଏ |

ରାଜ୍ୟର 30 ଟି ଜିଲ୍ଲାର ଗୋଦାମ ଗୃହଗୁଡିକ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ଏକ ନିର୍ଭରଯୋଗ୍ୟ ସ୍ଥାନ ଯାହା ବନ୍ୟା, ଘୂର୍ଣ୍ଣିବଳୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କର ଆବଶ୍ୟକତା ପୂରଣ କରେ | OSWC ର ଗୋଦାମଗୁଡ଼ିକ ମଧ୍ୟ ତୃଣମୂଳ ସ୍ତରରେ ସ୍ଥାନୀୟ ଲୋକଙ୍କୁ ଜୀବିକା ସହାୟତା ଯୋଗାଇଥାଏ ଏବଂ ପରିବହନ କାର୍ଯ୍ୟ ତଥା ଭଣ୍ଡାରଣ ସମ୍ବନ୍ଧିତ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇଥାଏ |

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ଗଙ୍ଗାଧର ବିଷୋୟୀ ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି

Published

on

ବୁଗୁଡ଼ା :  ଓଡ୍ର ଖଣ୍ଡାୟତ କାଳଁଞୀ ସମାଜର କେନ୍ଦ୍ରୀୟ ପରିଷଦ ପକ୍ଷରୁ ଆଜି ବେତାରସିଙ୍ଗି ଅଂଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୁଗୁଡ଼ା-ଭଞ୍ଜନଗର ଅଂଚଳର ଜଣାଶୁଣା ଲୋକପ୍ରିୟ ଜନନେତା ଗଙ୍ଗାଧର ବିଷୋୟୀଙ୍କୁ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି ଭାବେ ମନୋନୀତ କରାଯଇଛି l

ଅଞ୍ଚଳ ପରିଷଦର ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇଛନ୍ତି l

ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ, ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମମଣ୍ଡଳ,ଅଞ୍ଚଳ ଓ 19 ଖଣ୍ଡ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ l

ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ କୂଳ ଦେବତାଙ୍କ ନିକଟରେ ଶପଥ ପାଠ କରାଯାଇଥିଲା l

ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧା ଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l

Continue Reading

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions