ଭୁବନେଶ୍ୱର : ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାର ୨୦ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯% ହାସଲ କରିଥିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ବିକାଶ ମନ୍ଥନ 1.0: ଗଭର୍ଣ୍ଣାସ ଇନ ଆକ୍ସନ” କାର୍ଯ୍ୟକ୍ରମର ଉଦ୍ଯାପନୀରେ ଉଦ୍ବୋଧନ ଦେଇ ତାଙ୍କ ସରକାରର ଉପଲବ୍ଧି ସମ୍ପର୍କରେ କହିଥିଲେ ।
ସେ କହିଥିଲେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍ଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି।
ସେ କହିଥିଲେ ଯେ Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।
ସେ କହିଥିଲେ ଯେ, ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି। ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ୍ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି, ଯାହା FRBM ସୀମାଠାରୁ ଯଥେଷ୍ଟ କମ୍।
ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କର ଭରସା ବଢ଼ିଛି। ୨୦୨୪–୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬–୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।
ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନ (BCPPER) ର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି।
ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି। ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।
ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।