ଭୁବନେଶ୍ୱର: ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମ। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣଙ୍କ ଓଡ଼ିଶୀ ନୃତ୍ୟ ଶୈଳୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଆଜିର “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ଡ଼. ସୋନଲ ମାନସିଂହ, ପଦ୍ମଶ୍ରୀ ଡ଼. ପ୍ରିୟମ୍ବଦା ମହାନ୍ତି ହେଜ୍ମାଦି, ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଆଜିର ଓଡ଼ିଶୀ ସନ୍ଧ୍ୟାରେ ସୃଜନ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ “ବନ୍ଦେ ମାତରମ୍” ପରିବେଷଣ କରିବା ସହ ମା’ ଭାରତୀର ଜୟଗାନ କରିଥିଲେ। ନୃତ୍ୟଶିଳ୍ପୀ କୁମ୍କୁମ୍ ମହାନ୍ତି “ହେ ବନଗିରି ହେ ଲତା ଗିରି”, କୁମ୍କୁମ୍ ଲାଲ “କୁରୁ ଯଦୁ ନନ୍ଦନ”, ମାଧବୀ ମୁଦ୍ଗଲ “ଶଙ୍କରଭରଣ ପଲ୍ଲବୀ”, ଇଲିଆନା ସିତାରିଷ୍ଟ “ଧୀର ସମୀରେ”, ଅରୁଣା ମହାନ୍ତି “ଅଶ୍ୱତ୍ଥମା”, ରୀନା ଜେନା “ବିହଗ ପଲ୍ଲୀବୀ”, ଦକ୍ଷା ମସୁରୱାଲା “କିଶାଲୟ ଶୟନ ତଲେ” ଆଲୋକା କାନୁନଗୋ “ପଥ ଛାଡି ଦେ”, ସ୍ୱପ୍ନୋକଳ୍ପା ଦାସଗୁପ୍ତା “ସଖି ହେ” ସଂଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।