Nation

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଅଚାନକ କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ

Published

on

ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଅଚାନକ ଓ.ଏଲ୍.ଆଇ.ସି. କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସେ କାର୍ଯ୍ୟରତ ମୋଟ ଯନ୍ତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଯାଞ୍ଚ କରିବା ସହ ପ୍ରକୃତ ଉପସ୍ଥିତି ଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା କର୍ମଚାରୀଙ୍କ ସମ୍ପର୍କରେ ଅବଗତ ହୋଇଥିଲେ । ଅଧ୍ୟକ୍ଷ ପତ୍ରୀ ଡିଭିଜନର କାର୍ଯ୍ୟ ତଦାରଖ ଓ ସମୀକ୍ଷା କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ଅବଗତ ହୋଇଥିଲେ । ଜିଲ୍ଲାରେ ଥିବା ଉଠା ଜଳସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ପୂର୍ବକ କୃଷି ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ । ଡିଭିଜନର ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ଏଲ୍.ଆଇ ଡିଭିଜନ ଏବଂ ସବ୍ ଡିଭିଜନ ପୁରୁଣା କୋଠାର ନବୀକରଣ, ଅନୁମୋଦିତ ରାଜ୍ୟ ଯୋଜନା ଅନୁସାରେ ଜିଲ୍ଲାରେ ପୁନଃ କାର୍ଯ୍ୟକ୍ଷମ ଯୋଗ୍ୟ ପ୍ରକଳ୍ପର ମରାମତି କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା ପୂର୍ବକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ଉଠା ଜଳସେଚନ ମାଧ୍ୟମରେ କୃଷିକ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦେଇ କୃଷିର ଉନ୍ନତି ସହିତ କୃଷକଙ୍କ ଆୟବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଆଶା ରଖିଛନ୍ତି ତାହାକୁ ପୂରଣ କରିବାରେ ଡିଭିଜନର ଯନ୍ତ୍ରୀମାନେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଆଦି ସଂପୃକ୍ତ ବିଭାଗ ସହିତ କୃଷକ ତଥା ପାଣି ପଂଚାୟତ ସଦସ୍ୟମାନଙ୍କ ସହିତ ସୁସମନ୍ୱୟ ରଖି କାର୍ଯ୍ୟ କରିବାକୁ ପତ୍ରୀ ପରାମର୍ଶ ଦେଇଥିଲେ । ଆଗାମୀ ରବି ଋତୁ ପାଇଁ ଉଠା ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ ରଖିବାକୁ ସେ କହିଥିଲେ । ତତ୍ ସହିତ ଓ.ଏଲ୍.ଆଇ.ସି ତରଫରୁ କେନ୍ଦ୍ରାପଡା ଡିଭିଜନ ପାଇଁ ସମୟ ଅନୁସାରେ ବିଭନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଯେଉଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି, ତାହାକୁ “୫-ଟି” ଆଧାରରେ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ପତ୍ରୀ ଡିଭିଜନ ଅନ୍ତର୍ଗତ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ କହିଥିଲେ । ଏଥି ସହିତ ଶ୍ରୀ ପତ୍ରୀ କର୍ମଚାରୀମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ଏହି ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ(ସିଭିଲ) ତଥା ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ( ଓଲ୍.ଆଇ.ସି), କଟକ ପବିତ୍ର ପରିଡା, ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ନିମାଇଁ ଚରଣ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ,ଏଲ୍ .ଆଇ୍. ସବ୍ ଡିଭିଜନ, କେନ୍ଦ୍ରାପଡା ରଘୁନାଥ ବେହେରା, ବିଭାଗୀୟ ସହାୟକ ବଟକୃଷ୍ଣ ସେଠୀ, ମୁଖ୍ୟ କିରାଣୀ ସଂଜୟ କୁମାର ପଣ୍ଡା ଏବଂ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version