Connect with us

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରଳ ଅଲିଭ ରିଡ଼ଲେ କଇଁଛ ଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣା ରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ ଅଲିଭ ରିଡ଼ଲେ କଇଁଛ ର ସୁରକ୍ଷା ପାଇଁ ଆପଣମାନେ ଅନେକ ତ୍ୟାଗ କରୁଛନ୍ତି । ଆପଣଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି ଓ ପରିବେଶ ପାଇଁ ଆପଣଙ୍କ ନିଷ୍ଠା ପାଇଁ ଧନ୍ୟବାଦ ଜଣାଉଛି ।”

ଜଗତସିଂହପୁର ,କେନ୍ଦ୍ରାପଡ଼ା,ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୪୨୨୮ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୧୫,୦୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି । ମୋଟ ୨୧.୩୪ କୋଟିରୁ ରୁ ଉର୍ଦ୍ଧ ଟଙ୍କା ସହାୟତା ଦିଆଯାଇଥିଲା। ପୂର୍ବରୁ ଏହି ମାଛଧରା କଟକଣା ସମୟରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଥିଲା।

ପ୍ରକାଶ ଯୋଗ୍ୟ ଯେ ଓଡ଼ିଶାର ୧୨୦ କିମି ସାମୁଦ୍ରିକ ଉପକୂଳ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ମାଇଲ ଦୂରରୁ ଓଡ଼ିଶା ଉପକୂଳକୁ ସେମାନେ ଅଣ୍ଡାଦାନ ପାଇଁ ଛୁଟି ଆସିଥାନ୍ତି । ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ନିମନ୍ତେ ଦେବୀ ନଦୀ ମୁହାଣ, ଧାମରା ମୁହାଣ , ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ନଭେମ୍ବର 1 ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ବର୍ଷସାରା ମାଛଧରା କଟକଣା ଲାଗୁ କରାଯାଇଥାଏ।

ଅବସରରେ ଦୁଇ ଜଣ ମତ୍ସଜୀବି, ଗଞ୍ଜାମରୁ ଅଧୁ କାଳିଆ ଓ କେନ୍ଦ୍ରାପଡାରୁ ଭକ୍ତରଞ୍ଜନ ମାହାଳି ସେମାନଙ୍କ ମତ ଦେଇ କହିଲେ କଇଁଛର ଅଣ୍ଡା ଦେବା ସମୟରେ ସେମାନଙ୍କ ମାଛଧରିବା ଉପରେ କଟକଣା ଥାଏ । ରାଜ୍ୟ ସରକାର ଏଥିପାଇଁ ସେମାନଙ୍କୁ ୭,୫୦୦ ଟଙ୍କା ଲେଖାଁଏ ଦେଉଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ତାକୁ ୨ ଗୁଣ କରିଛନ୍ତି ଓ ସେମାନଙ୍କ ପରିବାର ମୁଁହରେ ହସ ଫୁଟାଉଛନ୍ତି ବୋଲି ସେମାନେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ ୫ଟି ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ । ଯୁବ ପ୍ରାଣୀ ଚିକିତ୍ସକଭାବେ ପ୍ରାଣୀଧନର ସ୍ୱାସ୍ଥ୍ୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ୨୦୯ ଜଣ ପ୍ରାଣୀଧନ ଚିକିତ୍ସକଙ୍କୁ (Veterinary Assistant Surgeon) ନିଯୁକ୍ତି ପତ୍ର ଦିଆଯାଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର ଅର୍ଥନୀତିର ଉନ୍ନତି କ୍ଷେତ୍ରରେ ପ୍ରାଣୀ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଓଡିଶାର ଚାଷୀମାନଙ୍କ ଜୀବିକାରେ ବିବିଧତା ଆଣି ଅଧିକ ରୋଜଗାର ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ପ୍ରାଣୀଧନ ଚାଷୀମାନଙ୍କର ଜୀବିକାର ଉନ୍ନତି ପାଇଁ ନୀତି ପ୍ରସ୍ତୁତି କରିବା ସହିତ ଅନେକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ନୂତନ ୟୁନିଟ୍ ସ୍ଥାପନ କରିବା ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ମିଶନ ଶକ୍ତିର ମା ମାନଙ୍କୁ ମଧ୍ୟ ଏଥି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ମିଶନ ମୋଡ୍‌ରେ ପ୍ରାଣୀ ସମ୍ପଦର ଟୀକାକରଣ କରାଯାଉଛି । ୩,୬୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଯୋଡି ହୋଇ ସୋମାନଙ୍କ ଉତ୍ପାଦ ବିକ୍ରୟ କରିପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ଏହି ନୂତନ ନିଯୁକ୍ତି ରାଜ୍ୟରେ ପ୍ରାଣୀପାଳନ କ୍ଷେତ୍ରରେ ନିୟୋଜିତ ଚାଷୀଙ୍କ ଜୀବନରେ ଖୁସି ଏବଂ ପରିବର୍ତ୍ତନ ଆଣିପାରିବ। କୃଷି ଓ ପ୍ରାଣୀ ପାଳନ ଆମ ଗ୍ରାମ୍ୟ ଜୀବନର ଏକ ଅଭିନ୍ନ ଅଙ୍ଗ ବୋଲି ମତ ଦେଇ ରାଜ୍ୟରେ ପ୍ରାଣୀଜ ଦ୍ରବ୍ୟର ଉତ୍ପାଦନ ଗତ ୨୦ ବର୍ଷ ମଧ୍ୟରେ ଅନେକ ଗୁଣ ବୃଦ୍ଧି ପାଇଛି ଓ ଚାଷୀମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି ବୋଲି ସେ କହିଥିଲେ ।

ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଲେ ଯେ ଓଡିଶାରେ କୃଷି ଓ ପ୍ରାଣୀଧନ କ୍ଷେତ୍ରରେ ନିରବଛିନ୍ନ ଅଭିବୃଦ୍ଧି ହୋଇଚାଲିଛି । କୃଷି କ୍ଷେତ୍ରକୁ ରାଜ୍ୟ ସରକାର ପ୍ରତି ବର୍ଷ ବଜେଟ୍‌ରେ ୨୦ ପ୍ରତିଶତ ବୃଦ୍ଧି କରୁଛନ୍ତି ବୋଲି ସେ କହିଥିଲେ । ପ୍ରାଣୀ ସମ୍ପଦର ବିକାଶରେ ରାଜ୍ୟରେ ଚାଷୀମାନଙ୍କ ଆୟ ୪ ଗୁଣ ହୋଇପାରିବ ବୋଲି ସେ ମତ ଦେଇଥିଲେ ।

ଏହି ଅବସରରେ ୨ ଜଣ ନବନିଯୁକ୍ତ ପ୍ରାଣୀଧନ ଡାକ୍ତର ଡ. ରୁକ୍ମଣୀ ନାୟକ ଓ ଡ. ନରେନ୍ଦ୍ର ହେମ୍ବ୍ରମ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି ୫ଟି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଏହା ଦ୍ୱାର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ତ୍ୱରଣ ଆସିଛି ବୋଲି ସେମାନେ ମତ ଦେଇଥିଲେ ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରାଣୀପାଳନ ଗ୍ରାମୀଣ ପରିବାରକୁ ଜୀବିକା, ରୋଜଗାର, ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ଏବଂ ଖାଦ୍ୟ ନିରାପତ୍ତା ଯୋଗାଉଥିବାରୁ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ଅପରିହାର୍ଯ୍ୟ ହୋଇପଡିଛି। ପ୍ରାଣୀ ସ୍ବାସ୍ଥ୍ୟସେବା ପରିଚାଳନା, ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବିକା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁରକ୍ଷିତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ତୃଣମୂଳ ସ୍ତରର ପ୍ରମୁଖ କର୍ମଚାରୀ ଯେଉଁମାନେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି। ସରକାରଙ୍କ ବିଭିନ୍ନ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେମାନେ କାର୍ଯ କରିଥାନ୍ତି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

୨୧୦ କୋଟି ଟଙ୍କାର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

 

 

ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ ବିଭିନ୍ନ ଯାନିଯାତ୍ରା (Festive Purpose) ପାଇଁ ମଧ୍ୟ ଉପଯୋଗୀ କରାଯିବ । ଏଥିରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ କୋର୍ଟ, ଲନ, ବଗିଚା, ମହାନଦୀ କୂଳ ସ୍ଥିତ ବିଭିନ୍ନ ୱାଟରବଡିର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି । ଏସବୁ ନିର୍ମାଣ କାର୍ଯ୍ୟରେ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ପାଳନ କରାଯିବ ।

ଏହି ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଗୁଜରାଟର ସାବରମତୀ ଡିଜାଇନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ପ୍ରଥମ ପର୍ଯ୍ୟାୟ କାମ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମହାନଦୀ କୂଳ ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଯେଉଁ ନିର୍ମାଣ କାର୍ଯ୍ୟ ହେଉଛି, ସେହି ପ୍ରକଳ୍ପ ଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଏହି ପ୍ରକଳ୍ପ ଗୁଡିକ ନଦୀତଟକୁ ସୁରକ୍ଷା ଦେବା ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାମ ବେଳେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ National Law University ନିକଟସ୍ଥ ପଠାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଆକର୍ଷଣୀୟ କରିବା ପାଇଁ ମହାନଦୀ ମଧ୍ୟରେ କ୍ରୁଜ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ଦେଇଥଲେ । ଏ ସବୁ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ମିଶ୍ର, ନିର୍ଦ୍ଦେଶକ ପୌର ପ୍ରଶାସନ ଅରିନ୍ଦମ ଡାକୁଆ, କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ୍ କୌର ସହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Nation

ଏଥର ତୃତୀୟ ଲିଙ୍ଗୀ ପଶିବେ…

Published

on

ଭୁବନେଶ୍ୱର : ସେ ପୁରୁଷ ନୁହଁନ୍ତି l ମହିଳା ବି ନୁହନ୍ତି l ସେ ଜଣେ ଜଣାଶୁଣା ତୃତୀୟ ଲିଙ୍ଗୀ ମଣିଷ l

ଆତ୍ମ ଘୋଷିତ ତୃତୀୟ ଲିଙ୍ଗୀ ମେନକା ଗୁରୁସ୍ୱାମୀ ଯିବେ ରାଜ୍ୟସଭା l ପାର୍ଲିଆମେଣ୍ଟରେ ସଭ୍ୟ ହିସାବରେ ପ୍ରବେଶ କରିବାରେ ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ଭାବେ ସେ ଇତିହାସ ରଚିବାକୁ ଯାଉଛନ୍ତି l

ସବୁ ରାଜନୈତିକ ଦଳଗୁଡିକ ବିସ୍ତାରିତ ପ୍ରତିନିଧିତ୍ୱ କଥାର ଡିଣ୍ଡିମ ପିଟୁଥିବା ବେଳେ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମେନକାଙ୍କୁ ରାଜ୍ୟସଭା ପାର୍ଥି କରି ଏକ ନୂତନ ପରମ୍ପରା ସୃଷ୍ଟି କରିଛି l

Continue Reading

Nation

ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଖୁବ୍ ଶୀଘ୍ର ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

Published

on

ଭୁବନେଶ୍ୱର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଏହା ଜଣା ଯାଇଛି।

ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ ଯେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ଯ ଇତି ମଧ୍ଯରେ ସରିଛି । ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ଏହା ଆରମ୍ଭ କରାଯିବ। କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ, ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions