Nation

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରିତ

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ ୨୦୨୧ ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ସମ୍ପ୍ରସାରଣ ଲାଗି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେବେ।

କ୍ୟାବିନେଟ ବୈଠକରେ ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି:
● ପ୍ରଚଳିତ ନିୟମ ଅନୁଯାୟୀ ମାର୍ଚ୍ଚ ୨୦୨୧ ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ଜାରି ରଖାଯିବ। ଏହି ଯୋଜନାରେ ୨.୯୫  କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଅବଶିଷ୍ଟ ଆବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
● ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ ମୋଟ ୨,୧୭,୨୫୭  କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ୧,୨୫,୧୦୬ କୋଟି ଏବଂ ରାଜ୍ୟ ସରକାର ୭୩,୪୭୫  କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବ୍ୟତୀତ ନାବାର୍ଡକୁ ସୁଧ ପଇଠ କରିବା ଲାଗି ଅତିରିକ୍ତ ୧୮,୬୭୬ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ।
● ଅର୍ଥ ମନ୍ତ୍ରଣାଳୟ ସହିତ ପରାମର୍ଶ କରି ମୋଟ ବଜେଟ ଆଧାରିତ ସହାୟତା (ଜିବିଏସ) ଜରିଆରେ ଇବିଆର ପର୍ଯ୍ୟାୟ ନିର୍ଦ୍ଧାରଣ ଏବଂ ସମ୍ପୂର୍ଣ୍ଣ ଯୋଜନା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯିବ।
● ହିମାଚଳ ପ୍ରଦେଶ, ହରିୟାଣା, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଭଳି ପ୍ରତ୍ୟେକ କ୍ଷୁଦ୍ର ରାଜ୍ୟ; ଆସାମ ଓ ତ୍ରିପୁରାକୁ ଛାଡ଼ି ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀରକୁ ଛାଡ଼ି ଅନ୍ୟ ସମସ୍ତ କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରଶାସନିକ ପାଣ୍ଠିର କେନ୍ଦ୍ରୀୟ ଅଂଶଧନରୁ ବାର୍ଷିକ ୪୫ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରଶାସନିକ ପାଣ୍ଠି ଜାରି କରାଯିବ। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଜାରି କରାଯାଉଥିବା ୧.୭୦ ପ୍ରତିଶତ ପ୍ରଶାସନିକ ପାଣ୍ଠି ଠାରୁ ଅତିରିକ୍ତ ଏବଂ ଅଧିକ ଏହି ପାଣ୍ଠି ଯୋଗାଇ ଦିଆଯିବ।
● ୨୦୧୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ (ପିଏମୟୁ) ଏବଂ ଜାତୀୟ ବୈଷୟିକ ସହାୟତା ଏଜେନ୍ସି (ଏନଟିଏସଏ) ଜାରି ରହିବ।
ଲାଭ:
ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବା ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଧାର୍ଯ୍ୟ କରାଯାଇଥିବା ସର୍ବମୋଟ ୨.୯୫  କୋଟି ଆବାସ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ସୁନିଶ୍ଚିତ ହେବ। ସମ୍ପ୍ରସାରିତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ନଭେମ୍ବର ୨୯, ୨୦୨୧ 2021 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ ୨.୯୫  କୋଟି ଆବାସ ଲକ୍ଷ୍ୟ ମଧ୍ୟରୁ ୧.୬୫  କୋଟି ଆବାସ ନିର୍ମାଣ କରାଯାଇସାରିଛି। ଅଗଷ୍ଟ ୧୫, ୨୦୨୨ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟସୀମା ମଧ୍ୟରେ ୨.୦୨ କୋଟି ଆବାସ ନିର୍ମାଣ କରାଯାଇପାରିବ ବୋଲି ଆକଳନ କରାଯାଇଛି, ଏହା ଏସଇସିସି ୨୦୧୧  ଡାଟାବେସ ଉପରେ ଆଧାରିତ ସ୍ଥାୟୀ ପ୍ରତୀକ୍ଷା ସୂଚୀ ସହ ପ୍ରାୟତଃ ସମାନ। ତେଣୁ ୨.୯୫  କୋଟି ପକ୍କା ଆବାସ ଲକ୍ଷ୍ୟ ହାସଲ କରିବା ଲାଗି ଏହି ଯୋଜନା ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version