Connect with us

କେଓଡ଼ିଆ(ଗୁଜରାଟ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ସମ୍ମିଳନୀରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀ ଗୁଜରାଟର କେଓଡ଼ିଆ ଠାରେ ଅନୁଷ୍ଠିତ ହେଉଛି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନ କେଓଡ଼ିଆରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ସର୍ଦ୍ଦାର ପଟେଲ ସବୁବେଳେ ପ୍ରଶାସନକୁ ଭାରତର ପ୍ରଗତି, ଜନସାଧାରଣଙ୍କ ଚିନ୍ତା ଏବଂ ଲୋକକଲ୍ୟାଣର ଆଧାରରେ ପରିଣତ କରିବା ପ୍ରତି ପ୍ରାଥମିକତା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ଏ ଅମୃତ କାଳରେ ଏକ ବିଶାଳ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଆଜି ଯେତେବେଳେ ଆମେ ଲୋକାଭିମୁଖି ଏବଂ ସକ୍ରିୟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ହୋଇଛୁ, ଆପଣମାନଙ୍କର କାର୍ଯ୍ୟ ତତ୍ପରତା ସର୍ଦ୍ଦାର ସାହେବଙ୍କ ଆଦର୍ଶକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।
ରାଷ୍ଟ୍ରୀୟ ଜୀବନର ସମସ୍ତେ କ୍ଷେତ୍ରରେ ଦୁର୍ନୀତି ନିବାରଣ ପାଇଁ ନିଜକୁ ସମର୍ପି ଦେବା ଲାଗି ପ୍ରଧାନମନ୍ତ୍ରୀ ସିବିଆଇ ଏବଂ ସିଭିସି ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଦୁର୍ନୀତି ଲୋକମାନଙ୍କର ଅଧିକାରକୁ ଛଡ଼ାଇ ନେଇଥାଏ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ। ଏହା ରାଷ୍ଟ୍ରୀୟ ପ୍ରଗତିରେ ବାଧକ ସାଜିବା ସହିତ ରାଷ୍ଟ୍ରର ମିଳିତ ଶକ୍ତିକୁ ପ୍ରଭାବିତ କରିଥାଏ।
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି। ସେ କହିଥିଲେ, ଦଲାଲ ଓ ମଧ୍ୟସ୍ଥଙ୍କ ବିନା ଲୋକମାନେ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ସୁବିଧା ପାଇବା ନେଇ ଏକ ବିଶ୍ବାସ ଆଜି ଦେଶରେ ସୃଷ୍ଟି ହୋଇଛି। ଲୋକମାନଙ୍କ ମନରେ ଏବେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ଯୁଆଡ଼େ ଯାଆନ୍ତୁ ପଛେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। “ପୂର୍ବରୁ ସରକାର ଏବଂ ବ୍ୟବସ୍ଥା ଯେପରି ମାର୍ଗରେ ପରିଚାଳିତ ହେଉଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହିଥିଲା। ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”, ପ୍ରଧାନମନ୍ତ୍ରୀ କହିଥିଲେ। ପରିବର୍ତ୍ତିତ ଭାରତ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକବିଂଶ ଶତାବ୍ଦୀର ଭାରତ, ଆଧୁନିକ ଚିନ୍ତାଧାରା ସହିତ ମାନବଜାତିର କଲ୍ୟାଣ ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ବାରୋପ କରୁଛି। “ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି। ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ। ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ବାଧିକ ନିୟନ୍ତ୍ରଣ ଏବଂ ସର୍ବାଧିକ କ୍ଷତି ଠାରୁ ସରକାର ଏବେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଯାତ୍ରା ଦିଗରେ ଆଗେଇ ଆସିଛନ୍ତି। ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର କିଭଳି ଭାବେ ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ। ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ବିଶ୍ବାସ ଓ ପ୍ରଯୁକ୍ତି ଉପରେ ସରକାର କିପରି ଭାବେ ଜୋର ଦେଇ ଆସୁଛନ୍ତି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏ ସରକାର ନାଗରିକଙ୍କୁ ଅବିଶ୍ବାସ କରନ୍ତି ନାହିଁ ଏବଂ ଏହି କାରଣରୁ ବିଭିନ୍ନ ସ୍ତରରେ ବହୁସଂଖ୍ୟକ କାଗଜପତ୍ର ଯାଞ୍ଚ କରିବାର ପ୍ରକ୍ରିୟାକୁ ଉଠାଇ ଦିଆଯାଇଛି। ଫଳରେ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା ପ୍ରଯୁକ୍ତି ମାଧ୍ୟମରେ ଜନସାଧାରଣଙ୍କୁ ମିଳିପାରୁଛି। ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସାକ୍ଷାତକାର ପରୀକ୍ଷାକୁ ଉଠାଇ ଦିଆଯାଇଛି। ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ଆରମ୍ଭ କରି ଟିକସ ପଇଠ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ଫେସଲେସ୍ (ବ୍ୟକ୍ତିଗତ ସାକ୍ଷାତକାର ମୁକ୍ତ) ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ପଦକ୍ଷେପ ଦୁର୍ନୀତି ହ୍ରାସ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶ୍ବାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି। ସେ କହିଥିଲେ, ବ୍ୟବସାୟ ପାଇଁ ଅନୁମତି ଏବଂ ଅନୁପାଳନ ସଂକ୍ରାନ୍ତ କେତେକ ପୁରୁଣା କାଳିଆ ନିୟମ ଉଚ୍ଛେଦ କରାଯାଇଛି। ଏଥିସହିତ ବର୍ତ୍ତମାନ ସମୟରେ ଦେଖାଦେଉଥିବା ସମସ୍ୟାର ସମାଧାନ ଲାଗି କେତେକ କଠୋର ଆଇନ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁସଂଖ୍ୟକ ଅନୁପାଳନ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏଥିସହିତ ବିଭିନ୍ନ ଅନୁମତି ଏବଂ ଅନୁପାଳନ ପ୍ରକ୍ରିୟାକୁ ଫେସଲେସ୍ କରାଯାଇଛି। ସେଲ୍ଫ-ଆସେସମେଣ୍ଟ (ଆତ୍ମ-ମୂଲ୍ୟାଙ୍କନ) ଏବଂ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ଭଳି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି। ସରକାରୀ ଇ-ମାର୍କେଟପ୍ଲେସ ଜିଇଏମ ଇ-ଟେଣ୍ଡର ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଆଣିଛି। ଡିଜିଟାଲ ବ୍ୟବସ୍ଥା ତଦନ୍ତ ପ୍ରକ୍ରିୟାକୁ ସହଜ କରିଛି। ସେହିପରି ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟାରେ ରହିଥିବା ବହୁ ବାଧା ଦୂର କରିବ। ସେ ଜୋର ଦେଇ କହିଥିଲେ ଯେ ବିଶ୍ବାସ ଏବଂ ପ୍ରଯୁକ୍ତିର ଏହି ଯାତ୍ରାରେ ସିଭିସି ଓ ବିବିଆଇ ଭଳି ସଂସ୍ଥା ପ୍ରତି ଦେଶର ଭରସା ରହିବା ଅତି ଜରୁରି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରକୁ ପ୍ରାଥମିକତା ଏବଂ ପ୍ରମୁଖ ଗୁରୁତ୍ବ ଦେବା ସବୁବେଳେ ଆମର ଲକ୍ଷ୍ୟ ହେବା ଉଚିତ୍। ଆମର କାର୍ଯ୍ୟ ସର୍ବଦା ଜନକଲ୍ୟାଣ ଏବଂ ଜନସାଧାରଣଙ୍କ ଚିନ୍ତା ପ୍ରତି କେନ୍ଦ୍ରିତ ହେବା ଉଚିତ୍ ବୋଲି ସେ କହିଥିଲେ। ଏହି ନିୟମ ପାଳନ କରୁଥିବା ‘କର୍ମଯୋଗୀ’ଙ୍କୁ ସେ ସବୁବେଳେ ସମର୍ଥନ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
‘ଦୁର୍ନୀତି ନିବାରଣ’ ଉପରେ ପ୍ରଧାନମନ୍ତ୍ରୀ ନିଜର ମତାମତ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ସତର୍କତା ମାଧ୍ୟମରେ ସମ୍ପୂର୍ଣ୍ଣ ଦୁର୍ନୀତି ନିବାରଣ ସମ୍ଭବ। ପ୍ରଯୁକ୍ତି ଏବଂ ଅନୁଭୂତି ମାଧ୍ୟମରେ ଏହାକୁ ସୁଦୃଢ଼ କରାଯାଇପାରିବ। ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପଛଘୁଞ୍ଚା ନଦେବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ଦେଶ ଓ ଦେଶବାସୀଙ୍କ ସହ ବିଶ୍ବାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ମିଳିବ ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ସବୁଠୁ ଗରିବ ଅବହେଳିତ ଲୋକମାନଙ୍କ ମନରୁ ବ୍ୟବସ୍ଥା ପ୍ରତି ରହିଥିବା ଭୟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିଜନିତ ଆହ୍ବାନ ଏବଂ ସାଇବର ଠକେଇ ପ୍ରତି ସତର୍କ ଓ ସଜାଗ ରହିବା ଲାଗି ମଧ୍ୟ ସେ ଆହ୍ବାନ କରିଥିଲେ।
ଆଇନ ଓ ପ୍ରକ୍ରିୟାକୁ ସରଳ କରିବା ଲାଗି ନିଜର ସ୍ବାଧୀନତା ଦିବସ ଅଭିଭାଷଣ ଗୁରୁତ୍ବାରୋପ କରିଥିବା ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ମୋଦୀ କହିଥିଲେ ଯେ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ଭାରତର ନୀତିକୁ ଆପଣମାନେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଆପଣମାନେ ଆଇନକୁ ଏପରି ଭାବେ କାର୍ଯ୍ୟକାରୀ କରିବା ଜରୁରି ଯାହାଫଳରେ ଗରିବ ଲୋକମାନେ ବ୍ୟବସ୍ଥାର ଅଧିକ ନିକଟତର ହୋଇପାରିବେ ଏବଂ ଦୁର୍ନୀତିଗ୍ରସ୍ତମାନେ ଏହାଠାରୁ ବାହାରେ ରହିପାରିବେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ତିନି ଜିଲ୍ଲାରେ ବନ୍ୟା ରିଲିଫ କାର୍ଯ୍ୟ ତଦାରଖ ପାଇଁ ତିନି ଆଇଏଏସ ଅଫିସର ଗଲେ

Published

on

ଭୁବନେଶ୍ୱର : ଓଡିଶା ସରକାର ଆଜି ତିନିଜଣ ଆଇ ଏ ଏସ ଅଫିସରଙ୍କୁ ବନ୍ୟା ରିଲିଫ ଓ ଥଇଥାନ କାର୍ଯ୍ୟ ତଦାରଖ ପାଇଁ ତିନି ବନ୍ୟା ପ୍ଲାବିତ ଜିଲ୍ଳାକୁ ପଠାଇଛନ୍ତି l ଓଏମସିର ଏମଡ଼ି ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, ଓଡିଶା ରାଜ୍ୟ ସିଭିଲ ସପଲାୟୀ ନିଗମ ଏମଡି  କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ରାଜ୍ୟ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାକୁ ପଠା ଯାଇଛି l

Continue Reading

Nation

ଅନ୍ତର୍ଜାତୀୟ ଜଳସୀମାରେ ଏବେ ଟୁନା ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ: ମିଳିଲା ଅନୁମୋଦନ ପତ୍ରର

Published

on

ଭୁବନେଶ୍ୱର :  ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଏଠାରେ ମୁକ୍ତ ସମୁଦ୍ରରେ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ।

ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।

 

ଶ୍ରୀ ରାଧାକୃଷ୍ଣନ୍ ଏହି ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରାଧିକରଣ ପତ୍ର (LoA) ପ୍ରଦାନ କରିଥିଲେ। ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ।

ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି LoA କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଥିଲେ, ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି।

ସେ କହିଥିଲେ ଯେ, ବର୍ତ୍ତମାନ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ପ୍ରାଧିକରଣ ପତ୍ର (LoA) ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରାରମ୍ଭିକ ଭାବେ ଓଡିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଏହି LoA ପ୍ରଦାନ କରାଯିବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ EEZ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜ (DSFV) କୁ ମଧ୍ୟ ‘ଗୋ-ଆହେଡ୍‌’ ଅନୁମତି ଜାରି କରାଯାଇଛି। ଦେଶର ସମଗ୍ର ଉପକୂଳର ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ (EEZ) ଆମ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପୁଳ ସୁଯୋଗ ଆଣିଦେବ।

 ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି ।

 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,  ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ  କହିଥିଲେ ଯେ ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ଆମେ ବ୍ୟାପକ ସହାୟକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ କରିଛୁ।

ଏହି ଜାତୀୟସ୍ତରର ସମାରୋହରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ବ୍ରହ୍ମପୁର-ଉଧ୍‌ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏବେ ଦୈନିକ

Published

on

ଭୁବନେଶ୍ୱର: ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍‌ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ ଟ୍ରେନ ରୂପେ ନିଜର ଯାତ୍ରା ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀ, ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହାକୁ ଓଡ଼ିଶାର ବିକାଶ ଲାଗି ଏକ ଐତିହାସିକ ଦିନ ବୋଲି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼। ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ଓ ବ୍ୟବସାୟୀ ଭାଇମାନେ ସୁରଟରେ ରହି ସେଠାକାର ଟେକ୍ସଟାଇଲ ଓ ଡାଇମଣ୍ଡ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ପୂର୍ବରୁ ସାପ୍ତାହିକ ଟ୍ରେନ ଯୋଗୁ ଯାତାୟତରେ ଅନେକ ଅସୁବିଧା ହେଉଥିଲା। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହି ସେବାକୁ ଦୈନିକ କରିଥିବାରୁ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଟ୍ରେନ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭାଇଭଉଣୀଙ୍କ ପାଇଁ ନିରାପଦ, ଶସ୍ତା ଓ ଦ୍ରୁତ ଯାତ୍ରାର ସୁବିଧା ପ୍ରଦାନ କରିବ। ଏହାଦ୍ୱାରା ଗୁଜୁରାଟ ସହ ଓଡିଶାର ସମ୍ପର୍କ ଆହୁରି ନିବିଡ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁର ସହରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍‌ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଅତୀତରେ ସୁରଟ ଠାରେ ଗୋଟିଏ ସଭାରେ ଯୋଗଦେଇଥିବା ଅବସରରେ ସୁରଟରୁ ବ୍ରହ୍ମପୁର ଯାଏ ନିୟମିତ ରେଳ ଚଳାଚଳ ପାଇ ଯେଉଁ ଅନୁରୋଧ କରାଯାଇଥିଲା, ଆଜି ତାହା ପୂରଣ କରାଯାଇଛି । ବର୍ତ୍ତମାନ ସମୟର Latest Technology ର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ । ସେ ଆହୁରି ଘୋଷଣା କରିଥିଲେ ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ କରିବା ପାଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହି ଶୁଭାରମ୍ଭ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁରର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ୍ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଗଣ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୂର୍ବ ତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions